ଆଠଘରିୟା ରେ ତିନି ମାସ ଜଳକଷ୍ଟ ,ପ୍ରଶାସନ ନିରବ
ଆସିକା, ୨୦/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ବରଡାବିଲି ପଞ୍ଚାୟତ ଅନ୍ତର୍ଗତ ଆଠଘରିଆ ଗାଁ ରେ ତିନି ମାସଧରି ଲୋକେ ଜଳକଷ୍ଟ ଭୋଗୁଛନ୍ତି ।ଖରାର ଉତ୍ତାପ ରେ ଲୋକେ ଡହକ ବିକଳ ହେଉଥିବା ବେଳେ ପିଇବା ପାଣି ର ସଙ୍କଟ ସମୟକୁ ଦ୍ୱିଗୁଣିତ କରିଛି। ଗାଁରେ 65 ଗୋଟି ପରିବାରର ପ୍ରାୟ ଚାରିଶହ ଲୋକ ବସବାସ କରୁଛନ୍ତି । ପୂର୍ବରୁ ଗ୍ରାମ ବିକାଶ ତରଫରୁ ଗାଁରେ ପିଇବା ପାଣି ଯୋଗାଣ ହୋଇ ଆସୁଥିବା ବେଳେ ଏହା ରୁଗ୍ଣ ଅବସ୍ଥାକୁ ଆସିବା ପରେ ଗ୍ରମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତରଫରୁ ବସୁଧା ଯୋଜନା ରେ ଏକ ତିରିଶି ହଜାର ଲିଟର ପାଣି ଟାଙ୍କି ନିର୍ମାଣ କରାଯାଇ ଲୋକଙ୍କୁ ଜଳ ଯୋଗାଣ କରାଯାଉଥିଲା । ମାତ୍ର ଉକ୍ତ ଯୋଜନାରେ ଖୋଲା ଯାଇଥିବା ବୋର ରେ ଜଳର ପରିମାଣ କମ ରହୁଥିବାରୁ ସ୍ୱଳ୍ପ ଶକ୍ତି ସମ୍ପନ୍ନ ମୋଟର ଦ୍ଵାରା ଜଳଯୋଗାଣ ସମ୍ଭବ ନହେବା ଫଳରେ ଧୀରେ ଧୀରେ ପିଇବା ପାଣି ସମସ୍ୟା ଉତ୍କଟ ଆକାର ଧାରଣ କରିଥିଲା । ଗତ ତିନିମାସ ପୂର୍ବରୁ ଅର୍ଥାତ ଖରାଦିନ ଆରମ୍ଭ ରୁ ଜଳ ଯୋଗାଣ ଏକ ରକମ ଠପ୍ ହୋଇଯାଇଥିଲା । ଲୋକେ ସ୍ଥାନୀୟ ପଞ୍ଚାୟତ ଓ ବିଭାଗୀୟ ଅଧିକାରୀ ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଗ୍ରାମରେ ରହିଛି ମାତ୍ର ଦୁଇଟି ନଳକୂପ । ସେଥିରୁ ଗୋଟିଏ ନଳକୂପରୁ ପର୍ଯ୍ୟାପ୍ତ ପରିମାଣର ପାଣି ବାହାରୁ ନଥିବା ଯୋଗୁଁ କେବଳ ଗୋଟିଏ ନଳକୂପ ଓ ଘର ବାଡିପଟର କୂଅ ରୁ ଗାଁର ଝିଅ ବୋହୂ ପିଇବା ପାଣି ସଂଗ୍ରହ କରୁଛନ୍ତି । ଘଟଣା ସମ୍ପର୍କରେ ଲୋକେ ଭଞ୍ଜନଗର ଉପ ଜିଲ୍ଲାପାଳ ଙ୍କୁ ଅବଗତ କରାଇଛନ୍ତି । ଘଟଣା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ବେଳେ ବୋର ରେ ଜଳର ଅଭାବ ରହିଛି ଏଣୁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ବନ୍ଦୋବସ୍ତ କରାଯାଉଛି ଏବଂ ଜଳସ୍ତର ନଥିବାରୁ ସମସ୍ୟା ସୃଷ୍ଟି ହୋଇଛି ଏଣୁ ଏକ ନୂତନ ବୋର ଖୋଲାଯାଇ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଗ୍ରାମର ପବିତ୍ର ବିଷୋୟୀ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ଉପେନ୍ଦ୍ର ବିଷୋୟୀ, ସୁଦର୍ଶନ ବାଡତୀୟା, ବାବୁ ଗୌଡ଼, ଗଣେଷର ଗୌଡ, ପଞ୍ଚୁ ଗୌଡ଼ ଏବଂ ଅନ୍ୟ ମାନଙ୍କ ଶହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପ୍ରକାଶ କରିଥିଲେ ଯେ ଯଦି ଗାଁ ର ପାନୀୟ ଜଳର ସଙ୍କଟ ଦୂର ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଏ ତାହେଲେ ଆମେ ସମସ୍ତ ଗ୍ରାମବାସୀ ମିଶି ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବୁ ସେଥି ପାଇଁ ସରକାର ହିଁ ଦାୟୀ ରହିବେ ବୋଲି ପ୍ରକାଶ କରିଛନ୍ତି। ଏଣୁ ଆଠଘରିଆ ଗାଁର ଏହି ପିଇବା ପାଣି ସମସ୍ୟା ସରକାରୀ କଳ ପ୍ରତି ଏକରକମ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଉଲ୍ଲାସ ପ୍ରମାଣ ପତ୍ର ବଣ୍ଟନ
ଆସିକା, ୨୦/୫/୨୬ (ଶିବ ଶଙ୍କର ମିଶ୍ର ) ଧରକୋଟ ବ୍ଲକରେ ନବଭlରତ ସ୍ଵାକ୍ଷର କାର୍ଯ୍ୟକ୍ରମ (ଉଲ୍ଲାସ ) ପ୍ରମାଣପତ୍ର ବଣ୍ଟନ କରାଯାଇଛି ।
ଆଜି ତା 20/06/2026 ରିଖ ଦିନ ମୁଣ୍ଡମରାଇ ଓ ବଳରାମପୁର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ବି.ଆର୍.ସି.ସି ସୌରୀ ଶଙ୍କର ବେହେରା, ସି.ଆର୍.ସି.ସି ଗୌରୀ ଶଙ୍କର ଶତପଥି, ପ୍ରମୋଦ ସେଠୀ, ଶ୍ରୀକାନ୍ତ କୁମାର ନାୟକ,ସନ୍ୟାସୀ ସେଠୀଙ୍କ ଉପସ୍ଥିତିରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହା ଫଳରେ ସମସ୍ତଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି l

