ମିକ୍ସଚର ମେସିନ୍ ଓଲଟି ରାଜମିସ୍ତ୍ରୀ ମୃତ
ଭଞ୍ଜନଗର :୦୫/୫ ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଂ ନିକଟ ରାଜ୍ୟ ରାଜପଥରେ ଚାଲିଥିବା ଏକ କଲଭର୍ଟ୍ ନିର୍ମାଣ କାମରେ ବଡ ଅଘଟଣ ଘଟିଛି। ରବିବାର ଅପରାହ୍ନ ସମୟରେ କାମରେ ନିୟୋଜିତ ଏକ ମିକ୍ସଚର ମେସିନ୍ ଗାଡ଼ି ଓଲଟି ପଡି ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଝାଡଖଣ୍ଡର ମଦନ ସିଂ(୩୮) ବୋଲି ଜଣାପଡିଛି।
ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ସୁଚନାନୁସାରେ, ଗତ କିଛି ମାସ ହେବ ପୁର୍ତ୍ତ ବିଭାଗ ପକ୍ଷରୁ ଭଞ୍ଜନଗର-ଦଶପଲ୍ଲା ରାଜ୍ୟ ରାଜପଥର ପ୍ରଶସ୍ତିକରଣ କାମ ଚାଲିଛି। ନିର୍ମାଣକାରୀ ସଂସ୍ଥା ପକ୍ଷରୁ ରାସ୍ତାର ବିଭିନ୍ନ ସ୍ଥାନରେ କଲଭର୍ଟ ନିର୍ମାଣ ସହ ଗାର୍ଡ ଓ୍ବାଲ କରାଯାଉଛି।ତିଲିସିଂ ଗାଁ ନିକଟ ରାଜ୍ୟ ରାଜପଥରେ ମଧ୍ୟ ଏକ କଲଭର୍ଟ ନିର୍ମାଣ କରାଯାଉଛି। ରବିବାର ଉକ୍ତ କଲଭର୍ଟ ର କିଛି ଢଳେଇ କାମ ଥିବା ବେଳେ ରାଜମିସ୍ତ୍ରୀଙ୍କ ସମେତ କିଛି ଶ୍ରମିକ ସେଠାରେ ନିୟୋଜିତ ଥିଲେ। ଅପରାହ୍ନ ସମୟରେ ଏକ ଢଳେଇ ମିକ୍ସଚର ମେସିନ ଘଟଣାସ୍ଥଳରେ ଥିବା ବେଳେ ମାଟି ଦବି ଯିବାରୁ ଗାଡିଟି ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଓଲଟି ପଡିଥିଲା। ସୌଭାଗ୍ୟ ବଶତଃ ଗାଡି ଚାଳକ ଅଲ୍ପକେ ବର୍ତ୍ତି ଯାଇଥିଲେ। ହେଲେ କଲଭର୍ଟ କାମରେ ନିୟୋଜିତ ଜଣେ ରାଜମିସ୍ତ୍ରୀ ମିକ୍ସଚର ମେସିନ ତଳେ ଚାପି ହୋଇଯାଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଓ ଭଞ୍ଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଦିର୍ଘ ସମୟ ଧରି ଉଦ୍ଧାର କାରୀ ଦଳର ଆପ୍ରାଣ ଉଦ୍ୟମ ପରେ ଘଟଣାସ୍ଥଳରୁ ମଦନଙ୍କ ମୃତ ଦେହ ମିଳିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି।

