ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇକୋର୍ଟରୁ ଜଳେଶ୍ଵର ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କୁ ଆଶ୍ଵସ୍ତି ପାଇଁ ବିଜୟ ଉତ୍ସବ

ହାଇକୋର୍ଟରୁ ଜଳେଶ୍ଵର ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କୁ ଆଶ୍ଵସ୍ତି ପାଇଁ ବିଜୟ ଉତ୍ସବ

ଜଳେଶ୍ଵର,୨୪/୫(ମନିସ)-ହାଇକୋର୍ଟରୁ ଜଳେଶ୍ଵର ବିଧାୟକ ଅଶ୍ବିନୀ କୁମାର ପାତ୍ରଙ୍କୁ ଆଶ୍ଵସ୍ତି ମିଳିଛି । ଦୀର୍ଘ ଦିନ ଧରି ଚାଲିଥିବା ଜଳେଶ୍ବର ନିର୍ବାଚନୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି | ଏହି ନିର୍ଦ୍ଦେଶ ଜଳେଶ୍ୱରରେ ମିଳିବା ପରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ନେତୃବୃନ୍ଦ ଓ କାଉନସିଲର ମାନେ ବାଣ ଫୁଟାଇ ଉତ୍ସବ ପାଳନ କରିଥିଲେ।ଜଳେଶ୍ଵର ବିଜେଡ଼ି ବ୍ଲକ ସଭାପତି ଦିଲ୍ଲୀପ କୁମାର ସାମଲଙ୍କ ଆବାହକତ୍ୱରେ ଡାକ ବଙ୍ଗଳାରେ ଆୟୋଜିତ ବିଜୟ ଉତ୍ସବରେ ଜଳେଶ୍ଵର ବିଧାୟକ ଅଶ୍ଵିନୀ କୁମାର ପାତ୍ରଙ୍କୁ ଦଳୀୟ ନେତୃବୃନ୍ଦ ଓ କର୍ମୀ ମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ପାତ୍ର ଯୋଗଦେଇ ସତ୍ୟ,ନ୍ୟାୟ ଓ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ପ୍ରକାଶ କରିଥିଲେ।ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଶ୍ରୀ ପାତ୍ରଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରି ତାଙ୍କ ସମ୍ପର୍କରେ ଏକ ତଥ୍ଯ ପ୍ରକାଶ କରିଥିଲେ। ସାମୟିକ ଭାବରେ ସୂର୍ଯ୍ୟ ଉପରେ କଳା ମେଘ ଛାଇ ଯାଇଥିବା ବେଳେ ଏବେ ତାହା ଅପସରି ଯାଇ ପୂର୍ବବତ୍ ସେହି ସୂର୍ଯ୍ୟ ଆଲୋକ ବିକିରଣ କରିବ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଉପସଭାପତି ଅନୁସୟା ପ୍ରଧାନ,ବ୍ଲକ ଅଧକ୍ଷ ମାନସ କୁମାର ଜେନା,ନଗରପାଳ ପ୍ରତୀପ କୁମାର ପ୍ରଧାନ,ଲେଲିନ ପ୍ରଧାନ, ଜ୍ୟୋତିର୍ମୟାନନ୍ଦ ପାଲ, ଶିକ୍ଷକ ନେତା ମନୋରଞ୍ଜନ ଦାସ,ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ତଥା ସରପଞ୍ଚ ସୁବିନିତା ଦତ୍ତ,ସୁଗୋ ସରପଞ୍ଚ ଜୟନ୍ତୀ ପରିଡ଼ା,ସଞ୍ଜୟ ମହାନ୍ତି,ନାମ୍ପୋ ସମିତି ସଭ୍ୟା ସସ୍ମିତା ପରିଡ଼ା,ଭୋଗରାଇ ଜିଲ୍ଲା ପରିଷଦ ସଭ୍ୟ ଗିରିଶ ଚନ୍ଦ୍ର ଦତ୍ତ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।ସୂଚନା ଅନୁଯାୟୀ ଜଳେଶ୍ବର ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଶ୍ରୀ ପାତ୍ରଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ଦାୟର କରିଥିବା ନିର୍ବାଚନୀ ମକଦ୍ଦମାର ଶୁଣାଣି ଗତ ଏପ୍ରିଲ ୧୫ରେ ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ଥିଲା । ଗତ ୨୨ ତାରିଖରେ ହାଇକୋର୍ଟ ରାୟ ପ୍ରକାଶ କରି ନିର୍ବାଚନୀ ଆବେଦନକୁ ଖାରଜ କରିଛନ୍ତି । ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି । ଏହି ନିର୍ଦ୍ଦେଶ ସଂକ୍ରାନ୍ତରେ ନିର୍ବାଚନ କମିଶନ ଓ ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କୁ ଅବଗତ କରିବାକୁ ହାଇକୋର୍ଟ କହିଛନ୍ତି । ଶ୍ରୀ ପ୍ରଧାନ ଦାୟର କରିଥିବା ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାବଳୀ ଉଲଂଘନ କରି ତଥା ଜନପ୍ରତିନିଧି ଆଇନରେ ଥିବା ବ୍ୟବସ୍ଥାକୁ ଅଣଦେଖା କରି ଶ୍ରୀ ପାତ୍ର ଜଳେଶ୍ବର ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ଜେନାଙ୍କୁ ଇଲେକ୍ସନ୍ ଏଜେଣ୍ଟ ଓ କାଉଣ୍ଟିଂ ଏଜେଣ୍ଟ ଭାବେ ନିଯୁକ୍ତି ଦେଇଥିଲେ । ନିୟମ ଉଲଂଘନ କରିଥିବାରୁ ଶ୍ରୀ ପାତ୍ରଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ଓ ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ । ୨୦୨୪, ଅଗଷ୍ଟ ୫ରେ ହାଇକୋର୍ଟ ନିର୍ବାଚନୀ ମକଦ୍ଦମାକୁ ବିଚାର ପାଇଁ ଗ୍ରହଣ କରି ପ୍ରତିପକ୍ଷ ତଥା ବିଧାୟକ ଶ୍ରୀ ପାତ୍ରଙ୍କୁ ନୋଟିସ୍ ଜାରି କରିଥିଲେ । ମାମଲାର ଶୁଣାଣି ବେଳେ ଆବେଦନକାରୀ ଶ୍ରୀ ପ୍ରଧାନ, ପ୍ରତିପକ୍ଷ ତଥା ବିଧାୟକ ଶ୍ରୀ ପାତ୍ର ଓ ମାନସ ଜେନାଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ୨୦୨୪ରେ ଜଳେଶ୍ବର ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀ ପାତ୍ର ୮୩୧୦୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପ୍ରଧାନ ୮୨୭୮୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ । ପ୍ରତିପକ୍ଷ ଶ୍ରୀ ପାତ୍ରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ତରଣୀକାନ୍ତ ବିଶ୍ଵାଳ ମାମଲା ପରିଚାଳନା କରୁଥିଲେ ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଦାଦନ ଶ୍ରମିକଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେଲେ ଜନ ପ୍ରତିନିଧି

masiha

ରାଇରଙ୍ଗପୁର ଓକିଲ ସଂଘର ନିର୍ବାଚନ; ସଭାପତି ଅକ୍ଷୟ ମହାନ୍ତି, ସଂପାଦକ ମନୋଜ ଦାସ( ମୁନା),କୋଷାଧ୍ୟକ୍ଷ – ଶିଶୁପଦ ମହାନ୍ତ

Sunil Chandra Nayak

ମେଗା ଓଠା ଜଳସେଚନ ପ୍ରକଳ୍ପ ମଞ୍ଜୁରୀ ,ଉପକୃତ ହେବେ ୨୫ ଗୋଟି ଗ୍ରାମର ଚାଷୀ

Sunil Chandra Nayak

Leave a Comment

error: Content is protected !!