ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ ଦ୍ବାରା ଟଙ୍କା ଆତ୍ମସାତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି

ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକଙ୍କ ଦ୍ବାରା ଟଙ୍କା ଆତ୍ମସାତ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି

ଅଧ୍ଯକ୍ଷା ଉଚ୍ଚଶିକ୍ଷା ବିଭାଗକୁ ରିପୋର୍ଟ ଦେଲେ, ଥାନାରେ ଏତଲା ଦେବାକୁ କୁଣ୍ଠା କାହିଁକି ?

ରାଉରକେଲା : ପାନପୋଷ ଠାରେ ଥିବା ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ତହବିଲରୁ ୩୭ ଲକ୍ଷ ଟଙ୍କା ଆତ୍ମସାତ୍ ଘଟଣା ଘଟିବା ପରେ, ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଘଟଣା ବିଷୟରେ ଉଚ୍ଚଶିକ୍ଷା ବିଭାଗକୁ ଜଣାଇଥିଲେ। ଏନେଇ ତଦନ୍ତ କରିଛି ଉଚ୍ଚଶିକ୍ଷା ବିଭାଗ ତଦନ୍ତ କମିଟି। ଅଭିଯୁକ୍ତ ଅଧ୍ୟାପକ ମହେନ୍ଦ୍ର ତନୟା ଟୁଡୁ ତଦନ୍ତ କମିଟି ସମ୍ମୁଖରେ ହାଜର ହୋଇ ନିଜ ପକ୍ଷ ରଖିଥିଲେ। ବର୍ଷେ ଭିତରେ ସେ ମହାବିଦ୍ୟାଳୟ ଏକାଉଣ୍ଟରୁ ୩୭ ଲକ୍ଷରୁ ଅଧିକ ଟଙ୍କା ଉଠେଇ ନେଇଥିବା ସ୍ବୀକାର କରିଛନ୍ତି। ଶ୍ରୀ ଟୁଡୁ କହିଥିଲେ ଯେ “ବେଳ ଖରାପ ପଡ଼ିବାରୁ ଏଭଳି ଘଟିଲା”। କମିଟି ଉଚ୍ଚଶିକ୍ଷା ବିଭାଗକୁ ତଦନ୍ତ ରିପୋର୍ଟ ଦେଇଛି। ଏଠାରେ ପ୍ରଶ୍ନ ଉଠେ ଯେ, ଏତେ ବଡ଼ ଦୁର୍ନୀତି ଘଟିଥିଲେ ମଧ୍ଯ ଅଧ୍ୟକ୍ଷା ଥାନାରେ କାହିଁକି ଏତାଲା ଦେଲେନାହିଁ ? ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଧ୍ୟାପକ ଶ୍ରୀ ଟୁଡୁ ମହାବିଦ୍ୟାଳୟ ହଷ୍ଟେଲ ଅଧୀକ୍ଷକ ମଧ୍ଯ ଅଛନ୍ତି। ହଷ୍ଟେଲ ଛାତ୍ରଛାତ୍ରୀ ନାମଲେଖା ବେଳେ ମେସ୍ ଓ ଅନ୍ୟାନ୍ୟ ବାବଦକୁ ବାର୍ଷିକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ପୈଠ କରିଥାନ୍ତି। ସେହି ଟଙ୍କା କଲେଜ ଏକାଉଣ୍ଟରେ ଜମା ହୋଇଥାଏ। ଶ୍ରୀ ଟୁଡୁ ଆର୍ଥିକ ଦେଣନେଣ କରିଥାନ୍ତି। ଏହା ଭିତରେ ସେ ମହାବିଦ୍ୟାଳୟ ତହବିଲକୁ ଭିତରୁ ଭିତରୁ ସଫା କରି ଦେଇଛନ୍ତି। ଅଧ୍ଯକ୍ଷାଙ୍କ ବିନା ଅନୁମତିରେ ସେ ଗତ ଡିସେମ୍ବର ମାସରେ କଲେଜ ଏକାଉଣ୍ଟରୁ ୩ ଲକ୍ଷ ଟଙ୍କା ନିଜ ଏକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। ଏଥିସହିତ ୨୦୨୬ ଜାନୁଆରୀ ମାସରେ ୨୦ ଲକ୍ଷ ଟଙ୍କା, ଫେବୃଆରୀ ମାସରେ ୧ ଲକ୍ଷ ୫୦ ହଜାର ଟଙ୍କା ଓ ମଇ ମାସ ୧୨ ତାରିଖରେ ୩୫ ହଜାର ଟଙ୍କା ଖର୍ଚ୍ଚ କରି ଦେଇଥିଲେ। ଗତ ଅଗଷ୍ଟ ଓ ସେପ୍‌ପ୍ଟେମ୍ବର ମାସରେ କଲେଜରେ ନାମଲେଖା ଦାୟିତ୍ବରେ ରହିଥିଲେ ଶ୍ରୀ ଟୁଡୁ। ଛାତ୍ରଛାତ୍ରୀ ହଷ୍ଟେଲ ଫି, କସନ ମନି ସମେତ ବିଭିନ୍ନ ବାବଦରେ କଲେଜରେ ଟଙ୍କା ଜମା କରିଥିଲେ। ଶ୍ରୀ ଟୁଡୁ ଛାତ୍ରଛାତ୍ରୀଙ୍କୁ ମନି ରିସିପ୍ଟ ଦେଇଥିଲେ। ଏହି ଟଙ୍କାକୁ ସେ କଲେଜ ଏକାଉଣ୍ଟରେ ଜମା ନ‌କରି ନିଜେ ଉଦରସ୍ଥ କରି ପକାଇଥିଲେ। ଦୁଇଦିନ ହେଲା ମହାବିଦ୍ୟାଳୟର ଏକାଉଣ୍ଟସ ବିଭାଗର ଘଣ୍ଟାଚକଟା ପରେ ଏସବୁ ସାଂଘାତିକ କଥା ଜଣାପଡିଥିଲା। ମହାବିଦ୍ୟାଳୟ ଅଧ୍ଯକ୍ଷାଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ଘଟଣାର ତଦନ୍ତ କରିଛି। ୪୫ ଦିନ ମଧ୍ୟରେ ସବୁ ଟଙ୍କା ଫେରାଇଦେବେ ବୋଲି ଅଭିଯୁକ୍ତ ଅଧ୍ୟାପକ ପ୍ରତିଶ୍ରୁତି ଦେଇଥିବା ମଧ୍ଯ ସୂଚନା ମିଳିଛି। ଅଧ୍ଯକ୍ଷା ଥାନାରେ ଏତଲା ନଦେଇ ଅପରାଧକୁ ଘଣ୍ଟ ଘୋଡ଼ାଇବା ସହ ଅପରାଧୀକୁ ସୁରକ୍ଷା ଦେବାକୁ ପ୍ରୟାସ କରିଛନ୍ତି ବୋଲି ଅଭିଯୋଗ ହେଉଛି। ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ବିଗତ ଦିନରେ ଏଭଳି ବହୁ ଆର୍ଥିକ ହେରାଫେରି ଅଭିଯୋଗ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି। ଏହାର ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି ହେଉଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁମ୍ଭାରିଠାରେ ମତ୍ସ୍ୟ ପାଳନ ତାଲିମ ଶିବିର

Sunil Chandra Nayak

ନେଗିଗୁଡାରେ ଅଷ୍ଟ ପ୍ରହର ନାମଯଜ୍ଞ 

masiha

ଯୋଜନାରୁ ବଞ୍ଚିତ ଅଂଚଳବାସୀଙ୍କୁ ସହାୟତା କରୁ ଆର ଏମ ସି , ଅଧିକାରୀଙ୍କୁ ଭେଟି ଆଲୋଚନା କଲେ ସମାଜସେବୀ ପ୍ରଶାନ୍ତ ସେଠୀ

masiha

Leave a Comment

error: Content is protected !!