ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଲା କୁକୁର ବନ୍ଧ୍ୟାକରଣ, ୧୩୫ ଦିନରେ ୨୧୯୯: ଲକ୍ଷ୍ୟର ୪୧.୫%

ବୁଲା କୁକୁର ବନ୍ଧ୍ୟାକରଣ, ୧୩୫ ଦିନରେ ୨୧୯୯: ଲକ୍ଷ୍ୟର ୪୧.୫%

ବ୍ରହ୍ମପୁର; ୦୪/୦୬ : ସହରରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ସହ ଜନସୁରକ୍ଷା ଓ ପ୍ରାଣୀ କଳ୍ୟାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚାଲିଥିବା ବନ୍ଧ୍ୟାକରଣ ଓ ଟିକାକରଣ ଅଭିଯାନ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ୧୩୫ ଦିନ ମଧ୍ୟରେ ୨୧୯୯ଟି ବୁଲା କୁକୁରଙ୍କ ବନ୍ଧ୍ୟାକରଣ ସହ ଟିକାକରଣ କରାଯାଇଛି।

             ବିଏମ୍‌ସି ସୂତ୍ରରୁ ପ୍ରକାଶ ଯେ, ବନ୍ଧ୍ୟାକରଣ ହୋଇଥିବା କୁକୁରଙ୍କ ମଧ୍ୟରୁ ୧୨୧୩ଟି ପୁରୁଷ ଓ ୯୮୬ଟି ମହିଳା କୁକୁର ରହିଛନ୍ତି। ଅସ୍ତ୍ରୋପଚାର ପରେ ସେମାନଙ୍କୁ ୩ରୁ ୪ ଦିନ ପର୍ଯ୍ୟନ୍ତ ଚିକିତ୍ସା ନିରୀକ୍ଷଣରେ ରଖାଯାଇ ସୁସ୍ଥ ହେବା ପରେ ପୁନର୍ବାର ସେମାନଙ୍କ ଅଞ୍ଚଳରେ ଛାଡ଼ି ଦିଆଯାଉଛି।

             ପୂର୍ବରୁ କରାଯାଇଥିବା ସର୍ଭେ ଅନୁସାରେ ସହରରେ ପ୍ରାୟ ୫,୩୦୦ରୁ ଅଧିକ ବୁଲା କୁକୁର ଥିବା ଆକଳନ କରାଯାଇଥିଲା। ଏକ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବନ୍ଧ୍ୟାକରଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ପାଞ୍ଚ ମାସରେ ପ୍ରାୟ ୪୧. ୫ ପ୍ରତିଶତ କାର୍ଯ୍ୟ ସମ୍ପନ୍ନ ହୋଇଛି। ବର୍ତ୍ତମାନର ଗତି ଅବ୍ୟାହତ ରହିଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲକ୍ଷ୍ୟ ପୂରଣ ହେବ ବୋଲି ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି।

            ମେୟର ସଂଘମିତ୍ରା ଦଳେଇ କହିଛନ୍ତି ଯେ, ବୈଜ୍ଞାନିକ ପଦ୍ଧତିରେ ବୁଲା କୁକୁରଙ୍କ ପରିଚାଳନା ମାଧ୍ୟମରେ ସହରକୁ ଅଧିକ ସୁରକ୍ଷିତ ଓ ସୁସଂଗଠିତ କରିବା ବିଏମ୍‌ସିର ଲକ୍ଷ୍ୟ। ଏଥିପାଇଁ ସହରବାସୀଙ୍କ ସହଯୋଗ ଜରୁରୀ ବୋଲି ସେ କହିଛନ୍ତି।

            ବିଏମ୍‌ସି କମିଶନର ଶ୍ରୀମତୀ ରେଡ୍ଡୀ କହିଛନ୍ତି ଯେ, ବନ୍ଧ୍ୟାକରଣ ଓ ଟିକାକରଣ ମାଧ୍ୟମରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ସହ ଜନସ୍ୱାସ୍ଥ୍ୟ ଏବଂ ପ୍ରାଣୀ କଳ୍ୟାଣକୁ ସମାନ ଗୁରୁତ୍ୱ ଦିଆଯାଉଛି। ଜନସଚେତନତା ଓ ଜନସହଯୋଗ ବୃଦ୍ଧି ପାଇଲେ ଅଭିଯାନ ନିଶ୍ଚିତ ଭାବେ ନିଜ ଲକ୍ଷ୍ୟରେ ପହଞ୍ଚିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

              ଯାଞ୍ଚ ସମୟରେ କମିଟିର ଅଧ୍ୟକ୍ଷ ଓ ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଚିକିତ୍ସାଧିକାରୀ ଡ଼. ଅଞ୍ଜନ ଦାସଙ୍କ ସହ ଡ଼. ଅରବିନ୍ଦ ବେହେରା, ଡ଼. ସତ୍ୟନାରାୟଣ କର, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ଆସିଷ୍ଟାଣ୍ଟ କମିଶନର ବିଭୂ ପ୍ରସାଦ ମହାପାତ୍ର, ରାଜ୍ୟ ପଶୁ କଳ୍ୟାଣ ବୋର୍ଡର ପ୍ରତିନିଧି ଲଲାଟେନ୍ଦୁ ଚୌଧୁରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପରେ ଅତ୍ସୋପଚାର ହୋଇଥିବା ଉକ୍ତ ଅଙ୍ଗଗୁଡ଼ିକୁ ନିୟମାନୁସାରେ ପୋତା ଯାଇଥିବା ଜଣାପଡ଼ିଛି।

Related posts

ଜବାହାର ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

masiha

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

Sunil Chandra Nayak

Leave a Comment

error: Content is protected !!