ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଲର୍ସଙ୍କ ମର୍ଜି, ଚାଷୀଙ୍କ ଦୁର୍ଦ୍ଦଶା: କଳାହାଣ୍ଡି ମଣ୍ଡିରେ ଧାନ ନୁହେଁ, ଚାଲିଛି ମନମାନିର ମହୋତ୍ସବ !

ମିଲର୍ସଙ୍କ ମର୍ଜି, ଚାଷୀଙ୍କ ଦୁର୍ଦ୍ଦଶା: କଳାହାଣ୍ଡି ମଣ୍ଡିରେ ଧାନ ନୁହେଁ, ଚାଲିଛି ମନମାନିର ମହୋତ୍ସବ !

କଳାହାଣ୍ଡିର ମଣ୍ଡିଗୁଡ଼ିକରେ ଏବେ ଧାନ କିଣାବିକା ନୁହେଁ, ବରଂ ମିଲର୍ସଙ୍କ ମନମାନି, ପ୍ରଶାସନର ନିରବତା ଏବଂ ଚାଷୀଙ୍କ ଅସହାୟତାର ଏକ ଲଜ୍ଜାଜନକ ନାଟକ ଚାଲିଛି। ଯେଉଁ ଚାଷୀ ମାସ ମାସ ଧରି ଖରା, ବର୍ଷା, ଋଣ ଓ ଅନିଶ୍ଚିତତା ସହ ଲଢ଼ି ଧାନ ଉତ୍ପାଦନ କରିଛି, ସେହି ଚାଷୀ ଆଜି ନିଜ ଧାନକୁ ମଣ୍ଡିରୁ ଉଠାଇବା ପାଇଁ ରାସ୍ତାରେ ବସି ଆନ୍ଦୋଳନ କରୁଛି। ଅନ୍ୟପଟେ ମିଲର୍ସମାନେ ଚାଷୀଙ୍କ ନୁହେଁ, ସମଗ୍ର ବ୍ୟବସ୍ଥାର ମାଲିକ ହୋଇ ବସିଛନ୍ତି।

ସରକାରୀ ତଥ୍ୟ କହୁଛି, କଳାହାଣ୍ଡିରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୯.୬୧ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ରହିଥିଲା। କିନ୍ତୁ ଅଧାରୁ କମ୍ ଧାନ ଉଠାଣ ହୋଇଛି। ଗତବର୍ଷ ଏହି ସମୟରେ ୧୫.୫୭ ଲକ୍ଷ କୁଇଣ୍ଟାଲ ଧାନ ବିକ୍ରି ହୋଇଥିବା ବେଳେ ଚଳିତ ବର୍ଷ ସେହି ଚିତ୍ର ଅତ୍ୟନ୍ତ ନିରାଶାଜନକ। ପ୍ରଶ୍ନ ଉଠୁଛି, ଏତେ ବଡ଼ ପଛୁଆପଣର ଦାୟୀ କିଏ ?ମଣ୍ଡିରେ ଧାନ ପଡ଼ି ରହିଛି, କାଳବୈଶାଖୀରେ ଭିଜୁଛି, ତାତିରେ ନଷ୍ଟ ହେଉଛି, ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। କିନ୍ତୁ ମିଲର୍ସଙ୍କ ଆଖିରେ ଏହାର କୌଣସି ପ୍ରଭାବ ପଡ଼ୁନି। ସେମାନେ ବିଭିନ୍ନ ଆଳ ଦେଖାଇ ଧାନ ଉଠାଣରୁ ଦୂରେଇ ରହିଛନ୍ତି। ଏପରିକି ଚାଷୀମାନଙ୍କ ଅଭିଯୋଗ, ଦଲାଲମାନଙ୍କ ଜରିଆରେ କମ୍ ଦରରେ ଧାନ କିଣି ମିଲ ପଏଣ୍ଟକୁ ନେବାର ଖେଳ ମଧ୍ୟ ଚାଲିଛି। ଯଦି ଏହି ଅଭିଯୋଗ ସତ, ତେବେ ଏହା କେବଳ ଅନିୟମିତତା ନୁହେଁ, ଚାଷୀଙ୍କ ଅଧିକାର ଉପରେ ଏକ ସଂଗଠିତ ଡକାୟତି। ସବୁଠାରୁ ବଡ଼ ବିଡମ୍ବନା ହେଉଛି, ଜିଲ୍ଲାରେ ୯୭ ଜଣ ମିଲର୍ସଙ୍କୁ ଟ୍ୟାଗିଂ କରାଯାଇଥିବା ସତ୍ତ୍ୱେ ଧାନ ଉଠାଣ ସ୍ୱାଭାବିକ ହୋଇପାରିଲା ନାହିଁ। ଶେଷରେ ଜିଲ୍ଲା ପ୍ରଶାସନକୁ ବଲାଙ୍ଗିରରୁ ୨୨ ଜଣ ମିଲର୍ସଙ୍କୁ ଡାକିବାକୁ ପଡ଼ିଲା। ଏହା ପ୍ରମାଣ କରୁଛି ଯେ ସ୍ଥାନୀୟ ମିଲର୍ସଙ୍କ ଉପରେ ପ୍ରଶାସନର ନିୟନ୍ତ୍ରଣ ଭାରି ଦୁର୍ବଳ। ଯଦି ବାହାର ଜିଲ୍ଲାର ମିଲର୍ସ ଆସି ଧାନ କିଣିପାରିବେ, ତେବେ ସ୍ଥାନୀୟ ମିଲର୍ସ ଏତେଦିନ କଣ କରୁଥିଲେ ? ନା କି ସେମାନେ ଜାଣିଥିଲେ ଯେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ?

ଏଠାରେ ପ୍ରଶାସନର ଭୂମିକା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଚାଷୀମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଯୋଗାଣ ବିଭାଗ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ମିଳିଲା ନାହିଁ। ରାଜନେତାମାନେ ମଣ୍ଡି ବୁଲି ଫଟୋ ଉଠାଇବା ଓ ଆଶ୍ୱାସନା ଦେବାରେ ବ୍ୟସ୍ତ ଥିବା ବେଳେ ଚାଷୀଙ୍କ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଲାଗୁଛି ଯେ ଚାଷୀଙ୍କ ଦୁଃଖ କେବଳ ଭାଷଣ ପାଇଁ ଏକ ବିଷୟ, ସମାଧାନ ପାଇଁ ନୁହେଁ।କଟନି-ଛଟନିର ନାଁରେ କୁଇଣ୍ଟାଲ ପିଛା ୬ କେଜିରୁ ଅଧିକ ଧାନ କାଟି ନିଆଯାଉଥିବା ଅଭିଯୋଗ ମଧ୍ୟ ଗୁରୁତର। ଯଦି ଧାନ ଭିଜିଯାଉଛି ଏବଂ ତାହାର ଭାର କମୁଛି, ତେବେ ଏହାର କ୍ଷତି ଚାଷୀ ବହନ କରିବେ କାହିଁକି ? ଧାନ ଉଠାଣରେ ବିଳମ୍ବ କରୁଛି କିଏ ମିଲର୍ସ ନା ପ୍ରଶାସନ ?

ଏବେ ସମୟ ଆସିଛି ସରକାର କେବଳ ଚିଠି ଦିଆ ନିଆରେ ନୁହେଁ, କଠୋର ପଦକ୍ଷେପ ନିଅନ୍ତୁ। ମିଲ ପଏଣ୍ଟଗୁଡ଼ିକର ତୁରନ୍ତ ଯାଞ୍ଚ, ଧାନ ଉଠାଣରେ ଅବହେଳା କରୁଥିବା ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଦଲାଲ ଚକ୍ର ଉପରେ ଚଢ଼ାଉ ଅତ୍ୟାବଶ୍ୟକ। ନଚେତ୍ କଳାହାଣ୍ଡିର ଚାଷୀଙ୍କ ପାଇଁ ମଣ୍ଡି ବ୍ୟବସ୍ଥା ଏକ ସହାୟତା କେନ୍ଦ୍ର ନୁହେଁ, ବରଂ ଶୋଷଣର ଅନ୍ୟ ଏକ ନାମ ହୋଇ ରହିଯିବ। ଚାଷୀ ଧାନ ଫଳାଉଛି, କିନ୍ତୁ ଲାଭ ଉଠାଉଛନ୍ତି ଦଲାଲ ଓ ମନମୁଖୀ ମିଲର୍ସ। ଏହି ଚିତ୍ର କେବଳ କଳାହାଣ୍ଡିର ନୁହେଁ, ବ୍ୟବସ୍ଥାର ବିଫଳତାର ଏକ ନଗ୍ନ ପ୍ରତିଛବି। ଯେପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ନାହିଁ, ସେପର୍ଯ୍ୟନ୍ତ ଚାଷୀଙ୍କ ଆଖିର ଲୁହ ଓ ମଣ୍ଡିରେ ପଡ଼ିଥିବା ଧାନ—ଉଭୟେ ଏମିତି ଅପେକ୍ଷା କରି ରହିବେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଇଜିଆଇଟି ରେ ବାର୍ଷିକ ଉତ୍ସବ ଆରୋହଣ ୨୦୨୩ ବେଶ ଧୁମଧାମ ରେ ପାଳିତ

Sunil Chandra Nayak

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଗୋପାଳ ସ୍ମୃତି ବିଦ୍ୟାପୀଠର ପ୍ଲାଟିନମ ଜୁବୁଲି ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!