ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପିୟୁଟିରେ “ବିକଶିତ ଓଡ଼ିଶା ପାଇଁ ବୈଷୟିକ ଶିକ୍ଷାର ରୂପାନ୍ତରଣ : ଏନଇପି ୨୦୨୦ ଦୃଷ୍ଟିକୋଣ” ଶୀର୍ଷକ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ

ବିପିୟୁଟିରେ “ବିକଶିତ ଓଡ଼ିଶା ପାଇଁ ବୈଷୟିକ ଶିକ୍ଷାର ରୂପାନ୍ତରଣ : ଏନଇପି ୨୦୨୦ ଦୃଷ୍ଟିକୋଣ” ଶୀର୍ଷକ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ

ରାଉରକେଲା ୩୦/୬, ଓଡ଼ିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ର ନେତାଜୀ ସୁଭାଷ ପ୍ରେକ୍ଷାଳୟରେ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ ସମୟରେ ‘ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ’ର ସହଯୋଗରେ “ବିକଶିତ ଓଡ଼ିଶା ପାଇଁ ବୈଷୟିକ ଶିକ୍ଷାର ରୂପାନ୍ତରଣ : ଏନଇପି ୨୦୨୦ ଦୃଷ୍ଟିକୋଣ” ଶୀର୍ଷକ ଏକ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି I ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ଲକ୍ଷ୍ୟ ଅନୁଯାୟୀ ବୈଷୟିକ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରାର ସମନ୍ୱୟ ଉପରେ ଆଲୋଚନା କରିବା ପାଇଁ ଏହି କର୍ମଶାଳାରେ ରାଜ୍ୟର ବିଭିନ୍ନ ଇଞ୍ଜିନିୟରିଂ କଲେଜରୁ ୨୦୦ରୁ ଊର୍ଦ୍ଧ୍ବ ଅଧ୍ଯକ୍ଷ ଓ ବରିଷ୍ଠ ଅଧ୍ୟାପକ ଯୋଗଦେଇଥିଲେ।

     ଉଦ୍ଘାଟନୀ ସଭାକୁ ସମ୍ବୋଧିତ କରି ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ବିଶ୍ବ ଶିକ୍ଷାର କେନ୍ଦ୍ର ଭାବେ ଭାରତର ଗୌରବମୟ ଇତିହାସ ବିଷୟରେ ଆଲୋକପାତ କରିଥିଲେ। ଯେଉଁଠାକୁ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ବିଦ୍ବାନମାନେ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ ପାଇଁ ଆସୁଥିଲେ I ସେ ଗୁରୁତ୍ବ ଦେଇଥିଲେ ଯେ, ଏନଇପି ୨୦୨୦ର ଲକ୍ଷ୍ୟ ହାସଲ କରିବା ଏବଂ ଭାରତର ସଭ୍ୟତା ଓ ସଂସ୍କୃତି ସହ ଜଡ଼ିତ ନବୋନ୍ମେଷକୁ ପ୍ରୋତ୍ସାହିତ କରିବା ପାଇଁ ବୈଷୟିକ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରାକୁ ସାମିଲ କରିବା ଅତ୍ୟନ୍ତ ଜରୁରୀ I ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସୁକାନ୍ତ କୁମାର ପ୍ରଧାନ ଉଚ୍ଚ ଓ ବୈଷୟିକ ଶିକ୍ଷାରେ ଭାରତୀୟ ଜ୍ଞାନ ପରମ୍ପରା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ଏବଂ ଏହି କର୍ମଶାଳା ପାଠ୍ୟକ୍ରମ ସମନ୍ୱୟ ପାଇଁ ବ୍ୟବହାରିକ ସୁପାରିଶ ପ୍ରଦାନ କରିବ ବୋଲି ଆଶା ପ୍ରକଟ କରିଥିଲେ I ମୁଖ୍ୟ ଅତିଥ୍ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସର ଜାତୀୟ ସମ୍ପାଦକ ଡ. ଅତୁଲ କୋଠାରୀ କହିଥିଲେ ଯେ ବିଶ୍ବଗୁରୁ ଭାବେ ଭାରତର ଆବିର୍ଭାବ ଏହାର ସମୃଦ୍ଧ ଜ୍ଞାନ ପରମ୍ପରା ଉପରେ ଆଧାରିତ ଥିଲା। ସେ ଜୋର୍ ଦେଇଥିଲେ ଯେ ଏନଇପି ୨୦୨୦ ଆଧାରରେ ଆଧୁନିକ ବୈଷୟିକ ପ୍ରଗତି ସହିତ ଆଞ୍ଚଳିକ ଜ୍ଞାନର ମିଶ୍ରଣ କରି ଭାରତୀୟ ଜ୍ଞାନ ପରମ୍ପରା ଉଚ୍ଚଶିକ୍ଷାକୁ ଅଧିକ ମଜବୁତ କରିପାରିବ। କର୍ମଶାଳାର ସଂଯୋଜକ ଡ. ଦେବାଶ୍ରୀତ ଦାସଙ୍କ ସ୍ବାଗତ ଭାଷଣ ସହ ଉଦ୍ଘାଟନୀ ସଭା ଆରମ୍ଭ ହୋଇଥିବା ବେଳେ ଶ୍ରୀମତୀ ନିଶି ପୁନମ ମିଞ୍ଜଙ୍କ ଧନ୍ୟବାଦ ଅର୍ପଣ ସହ ଶେଷ ହୋଇଥିଲା I

    ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଶିଷ୍ଟ ଶିକ୍ଷାବିତମାନେ ଭାରତୀୟ ଜ୍ଞାନ ପରମ୍ପରା ଏବଂ ଆଧୁନିକ ଶିକ୍ଷା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ଡ. ଶ୍ରୀମତୀ ରଜ୍ଜୁଲ କେ. ଗଜର (କୁଳପତି, ଗୁଜରାଟ ବୈଷୟିକ ବିଶ୍ବବିଦ୍ୟାଳୟ), ଡ. ପ୍ରଭାତ ମହାପାତ୍ର (କୁଳପତି, ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ), ପ୍ରଫେସର ଶ୍ରୀପଦ କର୍ମାଲକର (ନିର୍ଦ୍ଦେଶକ, ଆଇଆଇଟି ଭୁବନେଶ୍ବର), ପ୍ରଫେସର ଅଖେଳ ରଞ୍ଜନ ଗର୍ଗ (କୁଳପତି, ବିକାନେର ବୈଷୟିକ ବିଶ୍ବବିଦ୍ୟାଳୟ), ପ୍ରଫେସର କେ, ଉମାମହେଶ୍ବର ରାଓ (ନିର୍ଦ୍ଦେଶକ, ଏନଆଇଟି ରାଉରକେଲା), ପ୍ରଫେସର ସଞ୍ଜୟ କୁମାର ପାତ୍ର (କୁଳପତି, ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝର), ଏବଂ ପ୍ରଫେସର ଏ. ଇଲାୟାପେରୁମାଲ (ନିର୍ଦ୍ଦେଶକ, ଏନଆଇଟି ନାଗାଲାଣ୍ଡ)ଙ୍କ ସମେତ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସର ପ୍ରତିନିଧୁମାନେ ସାମିଲ ଅଛନ୍ତି I ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଅଧ୍ୟାପକମାନଙ୍କୁ ଅଭିନବ ଶିକ୍ଷାଦାନ ଶୈଳୀ ଏବଂ ପାଠ୍ୟକ୍ରମ ସହ ପରିଚିତ କରାଇବା, ଯାହା ଭାରତର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ବୈଷୟିକ ପ୍ରଗତିର ସମନ୍ୱୟ ରକ୍ଷା କରିବ ଏବଂ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ର ସ୍ବପ୍ନକୁ ସାକାର କରିବାରେ ସହାୟକ ହେବ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପି ମେଳା ୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡାରେ ଅନୁଷ୍ଠିତ

masiha

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ ଅବସରରେ ସଫଳ ରକ୍ତଦାନ ଶିବିର ଆୟୋଜିତ

masiha

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!