ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବେଶ ଅନୁକୂଳ ଜୀବନ ପାଇଁ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ

ପରିବେଶ ଅନୁକୂଳ ଜୀବନ ପାଇଁ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ

ଯାଜପୁର /ମସିହା ନିୟୁଜ, ୩୦/୬ (ପ୍ରଦୀପ କୁମାର ମଲ୍ଲିକ): ଯାଜପୁର ଜିଲ୍ଲାର ବିଞ୍ଝାରପୁର ମେଡ଼ିକାଲ ଛକଠାରେ ‘ସମ୍ବାଦ’ ପକ୍ଷରୁ ଆଜି ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ କହିଥିଲେ ଯେ, ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ; ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ସଚେତନତା ଓ ସାମୂହିକ ପ୍ରୟାସ ଅପରିହାର୍ଯ୍ୟ। ପରିବେଶ ଅନୁକୂଳ ଜୀବନଶୈଳୀକୁ ଆପଣେଇବା ସମୟର ଆବଶ୍ୟକତା ବୋଲି ସେ କହିଥିଲେ।

ସମ୍ମାନିତ ଅତିଥି ଭାବେ ପରିବେଶବିତ୍ ଓ ସମାଜସେବୀ ପଦ୍ମାକର ଗୁରୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଅବଦୁଲ କାଦିର ଖାନ, କଂଗ୍ରେସ ନେତା ଚନ୍ଦ୍ରଶେଖର ଧଳ ଓ ଟିଣା ପଞ୍ଚାୟତର ସରପଞ୍ଚ ବିଟାରଶ୍ମି ମଲ୍ଲିକ ଯୋଗଦେଇ ପରିବେଶ ସୁରକ୍ଷାକୁ ବର୍ତ୍ତମାନ ସମୟର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ମତ ପ୍ରକାଶ କରିଥିଲେ। ବିଶ୍ୱ, ମାନବଜାତି ଓ ସମଗ୍ର ଜୀବଜଗତର ସୁରକ୍ଷା ପାଇଁ ପରିବେଶ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ସେମାନେ କହିଥିଲେ। ଏଥିପାଇଁ ବ୍ୟାପକ ଜନଆନ୍ଦୋଳନ ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦି ଯୋଜନାର ଆବଶ୍ୟକତା ରହିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଡ. ବେହେରା କହିଥିଲେ, ବ୍ୟାପକ ବୃକ୍ଷରୋପଣ, ଜଳ, ବାୟୁ ଓ ମୃତ୍ତିକା ସଂରକ୍ଷଣ ଯେପରି ଜରୁରୀ, ସେହିପରି ପ୍ଲାଷ୍ଟିକ, ଇ-ବର୍ଜ୍ୟ ଓ ନ୍ୟୁକ୍ଲିୟର ବର୍ଜ୍ୟର ସଠିକ୍ ପରିଚାଳନା ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ଏହି ବର୍ଜ୍ୟଗୁଡ଼ିକର ସଠିକ୍ ରିସାଇକ୍ଲିଂ ନ ହେବା ବିଶ୍ୱ ପରିବେଶ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ଏହାଛଡ଼ା ବିଶ୍ୱରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟ ପରିବେଶ ଉପରେ ଗୁରୁତର ପ୍ରଭାବ ପକାଉଛି। ଏଲ୍-ନିନୋର ପ୍ରଭାବରେ ଗ୍ରାମାଞ୍ଚଳର ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ‘ସମ୍ବାଦ’ର ‘ପୁନଶ୍ଚ ପୃଥିବୀ’ ଅଭିଯାନକୁ ସେ ପ୍ରଶଂସା କରିଥିଲେ।

ମୁଖ୍ୟ ବକ୍ତା ପଦ୍ମାକର ଗୁରୁ ବିଞ୍ଝାରପୁରକୁ ପୁଣିଥରେ ଶସ୍ୟଶ୍ୟାମଳ ଓ ପ୍ରକୃତିସମୃଦ୍ଧ ଅଞ୍ଚଳରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଯାଜପୁର ଜିଲ୍ଲାର ବିଭିନ୍ନ ନଦୀରୁ ବେଆଇନ ବାଲି ଉତ୍ତୋଳନ ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଉଛି ଓ ନଦୀପଠାର ବହୁ ଗଛ ନଷ୍ଟ ହୋଇଯାଉଛି। ବଜ୍ରପାତରୁ ସୁରକ୍ଷା ଦେଉଥିବା ତାଳଗଛ ଦିନକୁ ଦିନ ଲୋପ ପାଉଥିବା ବେଳେ ପରିବେଶର ସନ୍ତୁଳନ ରକ୍ଷା କରୁଥିବା ଅନେକ ପଶୁପକ୍ଷୀ ଓ ଜୀବଜନ୍ତୁ ବିଲୁପ୍ତି ଆଡ଼କୁ ଯାଉଛନ୍ତି। ଜୈବିକ ଚାଷର ପ୍ରସାର ଓ ଦେଶୀ ଗାଈର ସଂରକ୍ଷଣ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ସେ ଆହୁରି ପ୍ରସ୍ତାବ ଦେଇଥିଲେ ଯେ, ପରିବେଶ ସୁରକ୍ଷା ବିଷୟକୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ କରାଯିବା ଉଚିତ୍। ଏ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ସାଂସଦଙ୍କୁ ଅନୁରୋଧ କରିଥିଲେ।

ଅବଦୁଲ କାଦିର ଖାନ କହିଥିଲେ, ପ୍ରକୃତି ଓ ପରିବେଶ ହିଁ ଆମ ଜୀବନର ମୂଳ ଆଧାର। କିନ୍ତୁ ପ୍ରକୃତିକୁ ସୁରକ୍ଷା କରିବା ପରିବର୍ତ୍ତେ ଆମେ ତାହାକୁ କ୍ଷତି ପହଞ୍ଚାଉଛୁ। ବର୍ତ୍ତମାନ ସମୟ ଆସିଛି ପ୍ରକୃତିକୁ କିଛି ଫେରାଇବାର। ଏଥିପାଇଁ ସମସ୍ତଙ୍କୁ ସଚେତନ ହେବାକୁ ସେ ଆହ୍ୱାନ ଦେଇଥିଲେ।

ଚନ୍ଦ୍ରଶେଖର ଧଳ ଓ ସରପଞ୍ଚ ବିଟାରଶ୍ମି ମଲ୍ଲିକ କହିଥିଲେ, ବିଞ୍ଝାରପୁରର ପରିବେଶର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଦୀର୍ଘ ଦିନ ଧରି ବିଭିନ୍ନ ସ୍ତରରେ ପ୍ରୟାସ ଚାଲିଛି। ଗଣମାଧ୍ୟମର ସଚେତନତା ସୃଷ୍ଟିର ଭୂମିକା ପ୍ରଶଂସନୀୟ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ସେମାନେ ଆହ୍ୱାନ ଜଣାଇଥିଲେ।

‘ସମ୍ବାଦ’ର ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ପରିବେଶ ପଞ୍ଚାୟତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଅତିଥିମାନଙ୍କୁ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସେକ୍ ଜାକିର ହୋସେନ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ପର୍ବ ପୂର୍ବରୁ ରାୟଗଡ଼ାରେ ମିଠା ଓ ଦୁଗ୍ଧଜାତ ଖାଦ୍ୟର ମାନ ଯାଞ୍ଚ ଦାବି

Sunil Chandra Nayak

ସହୀଦ ବିର୍ସା ମୁଣ୍ଡା ଙ୍କ ଜନ୍ମଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (ନାସ) ର ମେନେଜିଙ୍ଗ କମିଟି ଚୟନ ପ୍ରକ୍ରିୟା ସମ୍ପନ୍ନ 

masiha

Leave a Comment

error: Content is protected !!