ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରା 

ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରା 

କୁନି ଝିଅ ହିମାଦ୍ରୀ ତନୟା ଚୌଧୁରୀଙ୍କ ଜିଦ ରୁ ଆରମ୍ଭ ହେଲା ନୂଆ ପରମ୍ପରା 

 ରାଇରଙ୍ଗପୁର – ଶ୍ରୀକ୍ଷେତ୍ର ପୁରୀରେ ରଥ ଆଗରେ ଓଡିଶୀ ନୃତ୍ୟ ପ୍ରଦର୍ଶନ ହେଉଛି, ମାତ୍ର କଳାର ପୂଣ୍ୟ କ୍ଷେତ୍ର ତଥା ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ କାହିଁକି ନୁହେଁ ବୋଲି ଜଣେ କୁନି ଝିଅର ଗୋଟିଏ ଜିଦରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ରଥ ଆଗରେ ଆରମ୍ଭ ହେଲା ଓଡିଶୀ ନୃତ୍ୟ ପରମ୍ପରା l ୨୦୧୭ ମସିହାର କଥା l ଘରେ ବାପା ସାଙ୍ଗରେ ବସି ଟିଭିରେ ପୁରୀ ରଥ ଯାତ୍ରାର ଧାରା ବିବରଣୀ ଦେଖୁଥାଏ ସେହି କୁନି ଝିଅ ହିମାଦ୍ରିତନୟା ଚୌଧୁରୀ ଶ୍ରଦ୍ଧା ନାମ ମାମଲୁ l ସେତେବେଳେ ସେ ବାରିପଦା ଶ୍ରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ସପ୍ତମ ଶ୍ରେଣୀର ଛାତ୍ରୀ l ହଠାତ ସେ ତାଙ୍କ ବାପାଙ୍କୁ ପ୍ରଶ୍ନ କଲେ ପୁରୀ ରଥ ଆଗରେ କେତେ ସୁନ୍ଦର ଭାବେ ସମସ୍ତେ ଓଡିଶୀ ନୃତ୍ୟ କରୁଛନ୍ତି ବାରିପଦା ଦ୍ଵିତୀୟ ଶ୍ରୀକ୍ଷେତ୍ର ପୁଣି କଳା ଓ କଳାକାର ଙ୍କ ମାଟି ହୋଇ ବି ଏଠାରେ କାହିଁକି ରଥ ଆଗରେ କେହି ନାଚୁ ନାହାନ୍ତି l କାଳିଆ ଭାଇ ବଳିଆ ଭାଇ ମନ ଦୁଃଖ ହେଉ ନ ଥିବ ବାପା ! କୁନି ଝିଅ ମୁହଁରୁ ଏମିତି ଭାବ ପୂର୍ଣ୍ଣ କଥା ଶୁଣି ବାପା କହିଲେ ତୁ ତ ଓଡିଶୀ, ଛଉ, ଝୁମର ସବୁ କିଛି ଶିଖିଛୁ ନାଚୁନୁ l ବାପାଙ୍କ ଠାରୁ ଏ କଥା ଶୁଣି କୁନି ଝିଅ ହିମାଦ୍ରିତନୟା ବାପାଙ୍କୁ ଓଡିଶୀ ନୃତ୍ୟ ପାଇଁ ଡ୍ରେସ ଆଣିଦେବାକୁ ଜିଦ କଲେ l ଡ୍ରେସ ଆସିଲା l ତା ପର ଦିନ ଥାଏ ବାରିପଦାର ରଥ ଟଣା l କୁନି ଝିଅ ଟେ ବିନା କୌଣସି ସଂଗୀତ ବା ତାଳ ରେ ରଥ ଦାଣ୍ଡରେ ନାଚିବ l ହେଲେ ହଜାର ହଜାର ଲୋକଙ୍କ ଗହଳିରେ ସେ ନାଚିବ କେମିତି? କର୍ଡ଼ନ ଭିତରେ ନାଚିବାକୁ ହେଲେ ପ୍ରଶାସନର ଅନୁମତି ଦରକାର l ତେଣୁ ପ୍ରଶାସନର ଅନୁମତି ଲୋଡ଼ଗଲା l ଅନୁମତି ପାଇବା ପରେ ୨୦୧୭ ମସିହାରେ ହିମାଦ୍ରିତନୟା ଚୌଧୁରୀ ରଥ ଆଗରେ ଏକାକୀ ଓଡିଶୀ ନୃତ୍ୟ କରିବା ଆରମ୍ଭ କଲେ l ସେଇ ଦିନଠୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଅଭାବ ଥିବା ଓଡିଶୀ ନୃତ୍ୟ ପରମ୍ପରାର ଭିତ୍ତି ପଡିଲା l ବାରିପଦା ରଥ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହେଲା l

             ୨୦୧୭ ପୂର୍ବରୁ ଶ୍ରୀକ୍ଷେତ୍ର ଛଡା ଅନ୍ୟକେଉଁଠାରେ ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରା ପ୍ରାୟ ଦେଖିବାକୁ ମିଳୁ ନ ଥିବା ବେଳେ ହିମାଦ୍ରୀତନୟା ଚୌଧୁରୀ ପୁରୀ ଅନୁରୂପ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଠାରେ ଓଡିଶୀ ଓ ଛଉ ନୃତ୍ୟର ଫ୍ୟୁଜନ କରି ଏକ ନୂଆ ସାଂସ୍କୃତିକ ପରମ୍ପରା ର ମୂଳ ଦୁଆ ପକାଇଥିବା ବେଳେ ଏବେ ତାଙ୍କୁ ଅନୁକରଣ କରି ବାରିପଦାରେ ଅନେକ ନୃତ୍ୟଶିଳ୍ପୀ ରଥ ଆଗରେ ନୃତ୍ୟ କରିବାକୁ ଆଗେଇ ଆସିଛନ୍ତି l ସୋସିଆଲ ମିଡ଼ିଆ ଓ ବିଭିନ୍ନ ଗଣମାଧ୍ୟମରେ ହିମାଦ୍ରୀ ତନୟାଙ୍କ ନୃତ୍ୟ ର ପ୍ରଚାର ପ୍ରସାର ଯୋଗୁଁ କରୋନା ପର ଠାରୁ ଧିରେ ଧିରେ ନୂଆ ନୂଆ ନୃତ୍ୟ ଶିଳ୍ପୀ ତାଙ୍କ ସହ ଯୋଡି ହୋଇଛନ୍ତି l ଏହି ପରମ୍ପରା କ୍ରମରେ ଅନ୍ୟ ନୃତ୍ୟଶିଳ୍ପୀ ଓ ନୃତ୍ୟାଙ୍ଗନା ମାନଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ କରିଥିବାରୁ ସେ ଉଦାହରଣ ସାଜି ପ୍ରେରଣା ପାଲଟିଛନ୍ତି l ଏବେ ବାରିପଦା ରଥ ଆଗରେ ଓଡିଶୀ ନୃତ୍ୟ କରିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରର ନୃତ୍ୟାଙ୍ଗନା ମାନେ ମଧ୍ୟ ଆସି ମହାପ୍ରଭୁଙ୍କ ଆଗରେ ନୃତ୍ୟ କରୁଛନ୍ତି l କେବଳ ସେତିକି ନୁହେଁ ପୁରୀ ପରେ ବାରିପଦା ରେ ଓଡିଶୀ ନୃତ୍ୟ ପରମ୍ପରା ଆରମ୍ଭ ହୋଇଥିବା ବେଳେ ବାରିପଦା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯେପରି ବାଙ୍ଗିରିପୋଷି, ରାଇରଙ୍ଗପୁର, ଉଦଳା, ସାରସକ୍ଷେତ୍ର ଏମିତି ବହୁସ୍ଥାନରେ ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରା ସୃଷ୍ଟି ହୋଇପାରିଛି l

ଦୀର୍ଘ 9 ବର୍ଷ ଧରି ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ହିମାଦ୍ରୀ ତନୟା ଏହି ନୃତ୍ୟ ସେବା ମାଧ୍ୟମରେ ପରମ୍ପରାକୁ ବଜାୟ ରଖିଥିବା ବେଳେ ଏବେ ଏହା ଏକ ସାଂସ୍କୃତିକ ଆନ୍ଦୋଳନ ରେ ପରିଣତ ହୋଇଛି l 

 ବାରିପଦା ରେ ଏ ନିଆରା ପରମ୍ପରା କୁ ଆରମ୍ଭ କରିଥିବା ନୃତ୍ୟ ଶିଳ୍ପୀ ହିମାଦ୍ରୀତନୟା ଚୌଧୁରୀ କହନ୍ତି, ସବୁ ସେଇ ବିଶ୍ଵ ନିଅନ୍ତା ମହାପ୍ରଭୁଙ୍କ ଇଚ୍ଛା l ୨୦୧୭ ମସିହାରେ ମୁଁ ସପ୍ତମ ଶ୍ରେଣୀର ଛାତ୍ରୀ ଥାଏ l ଟିଭିରେ ରଥ ଯାତ୍ରାର ଧାରା ବିବରଣୀ ଦେଖୁଥାଏ l ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ରଥ ଆଗରେ ଓଡିଶୀ ନୃତ୍ୟ ପରିବେଷିତ ହେଉଥିବା ବେଳେ ଏଠାରେ କାହିଁକି ହେଉନି ବୋଲି ମୋ ଭିତରେ ପ୍ରଶ୍ନ ଉଙ୍କି ମରୁଥାଏ l ଆଉ ଏଠାରେ ନ ଥିବାରୁ ଦୁଃଖ ବି ହେଉଥାଏ l ବାପା ଙ୍କୁ ଏ କଥା ପଚାରିବାରୁ ବାପା କହିଲେ ତୁ ତ ଓଡିଶୀ, ଛଉ ଶିଖିଛୁ ନାଚୁନୁ l ମୋ ମନ ଭିତରେ ଉତ୍ସାହ ବଢିଗଲା l ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ବାପା ଅନୁମତି ନେବା ପରେ ଲକ୍ଷାଧିକ ଭକ୍ତଙ୍କ ଭିଡରେ କର୍ଡନ ଭିତରେ ପ୍ରଥମେ ଏକାକୀ ଓଡିଶୀ ଓ ଛଉ ର ଫ୍ୟୁଜନ କରି ନାଚିବା ଆରମ୍ଭ କଲି l ସେହି ଦିନ ଠାରୁ ବାରିପଦାରେ ରଥ ଆଗରେ ଓଡିଶୀ ନୃତ୍ୟ ପରମ୍ପରାର ଭିତ୍ତି ପଡିଲା l ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ମୋତେ ସମ୍ମାନିତ କରାଯାଇଛି l କରୋନା ପରଠାରୁ ଧିରେ ଧିରେ ମୋ ସହ ଅନେକ ନୃତ୍ୟଙ୍ଗନା ଯୋଡି ହୋଇଛନ୍ତି l ଫଳରେ ଏହା ଏକ ସାଂସ୍କୃତିକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସେ କହିଛନ୍ତି l

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

Sunil Chandra Nayak

ଵିଜାତଳା ବ୍ଳକ;ଲୁହାଶିଳା ପଂଚାୟତ ର ସରପଞ୍ଚ ଉପନିର୍ବାଚନ ପାଇଁ ପଞ୍ଚାୟତ ବାସୀଙ୍କ ଦାବି 

masiha

Leave a Comment

error: Content is protected !!