ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ 

ନବରଂଗପୁର :(ତା ୬.୮.୨୦୨୬)(ରବି ନାରାୟଣ ମହାନ୍ତି)ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୬ ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା, ସୁପୋଷଣ, ନବଜାତ ଶିଶୁଙ୍କ ଉନ୍ନତ ବିକାଶ ଏବଂ ସ୍ତନ୍ୟପାନର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଫୁଲ କୁମାର ପାଢୀ ଅଧ୍ୟକ୍ଷତା କରିଥିଲେ। ସେ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଚଳିତ ବର୍ଷର ବିଷୟବସ୍ତୁ “ଜୀବନର ଚୀରସ୍ଥାୟୀ ଆରମ୍ଭ ପାଇଁ ସ୍ତନ୍ୟପାନ : ଏହାକୁ ଉତ୍ସାହିତ ଓ ସମର୍ଥନ କରିବା” ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଶିଶୁ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା ଏବଂ ଜନ୍ମରୁ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ମା’ର କ୍ଷୀର ଖୁଆଇବା ପ୍ରତ୍ୟେକ ଶିଶୁର ସୁସ୍ଥ ବିକାଶ ପାଇଁ ଅତ୍ୟାବଶ୍ୟକ। ଏହା ପରେ ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଉପଯୁକ୍ତ ପରିପୂରକ ଖାଦ୍ୟ ସହ ସ୍ତନ୍ୟପାନ ଜାରି ରଖିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।ମା’ର କ୍ଷୀର ଶିଶୁ ପାଇଁ ସମ୍ପୂର୍ଣ୍ଣ ପୁଷ୍ଟିକର ଖାଦ୍ୟ ହୋଇଥିବା ସହ ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିଥାଏ। ନିୟମିତ ସ୍ତନ୍ୟପାନ ଦ୍ୱାରା ଡାଇରିଆ, ନିମୋନିଆ, ଶ୍ୱାସନଳୀ ସଂକ୍ରମଣ, କୁପୋଷଣ ଏବଂ ଅନ୍ୟାନ୍ୟ ସଂକ୍ରାମକ ରୋଗର ଆଶଙ୍କା କମିଥାଏ। ସେହିପରି ସ୍ତନ୍ୟପାନ ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ଏବଂ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ସେ ପ୍ରକାଶ କରିଥିଲେ l ଶିଶୁରୋଗ ବିଶେଷଜ୍ଞ ଡା. ଭି. ରଜନୀକାନ୍ତ ସ୍ତନ୍ୟପାନର ବୈଜ୍ଞାନିକ ଉପକାରିତା, ନବଜାତ ଶିଶୁର ସଠିକ୍ ପୁଷ୍ଟି ଓ ମା’ଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ ଯେ ସ୍ତନ୍ୟପାନକୁ ସଫଳ କରିବା ପାଇଁ ପରିବାର, ସ୍ୱାସ୍ଥ୍ୟକର୍ମୀ ଏବଂ ସମାଜର ସମନ୍ୱିତ ସହଯୋଗ ଅତ୍ୟନ୍ତ ଆବଶ୍ୟକ।କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ବିକାଶ ଅଧିକାରୀ, ନର୍ସିଂ କଲେଜର ଅଧ୍ୟକ୍ଷା, ଅଧ୍ୟାପିକା ଓ ଛାତ୍ରୀମାନେ, ଆଶା, ଏଏନଏମ୍‌, ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ କମ୍ୟୁନିଟି ସ୍ତରର ସ୍ୱାସ୍ଥ୍ୟକର୍ମୀ ଏବଂ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ଯୋଗଦେଇ ସ୍ତନ୍ୟପାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଦିଗରେ ସମସ୍ତଙ୍କ ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ନର୍ସିଂ ଛାତ୍ରୀମାନଙ୍କ ମଧ୍ୟରେ ସଚେତନତାମୂଳକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଓ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କାର ପ୍ରଦାନ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ଏଡିପିଏଚସିଓ ରାମହରି ପଣ୍ଡା ଏବଂ ଡିଏମଆରସିଏଚ୍ ମାନସ କୁମାର ପଣ୍ଡା ସୁଚାରୁରୂପେ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜବର ଦଖଲରେ ସର୍ବ ସାଧାରଣଙ୍କ ରାସ୍ତା:ପ୍ରଶାସନ କରୁଛି କଣ?

Sunil Chandra Nayak

ଡାବୁଗାଁ ବଡଦିନ ପାଳିତ

Sunil Chandra Nayak

ଓଡିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!