ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

ତେନ୍ତୁଳିଖୁଣ୍ଟି ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

ନବରଙ୍ଗପୁର:(ତା. ୧୭.୦୮.୨୦୨୬)(ରବି ନାରାୟଣ ମହାନ୍ତି)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ଗୁଣାତ୍ମକ ସମାଧାନ ନିମନ୍ତେ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ବନଖଣ୍ଡ ଅଧିକାରୀ ଉଦୟନ ସୁବୁଦ୍ଧି, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ।ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ମୋଟ ୫୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୩୦ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୨୨ଟି ସାମୂହିକ ଅଭିଯୋଗ ରହିଥିଲା।

ବ୍ୟକ୍ତିଗତ ଅଭିଯୋଗଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ରାସନ କାର୍ଡ, ବିଭିନ୍ନ ଭତ୍ତା, ଜମିଜମା ସମ୍ବନ୍ଧୀୟ ସମସ୍ୟା ଆଦି ରହିଥିବାବେଳେ ସାମୂହିକ ଅଭିଯୋଗଗୁଡ଼ିକ ମଧ୍ୟରେ ପାନୀୟ ଜଳ ଯୋଗାଣ, ରାସ୍ତା ମରାମତି, ବିଦ୍ୟୁତ୍ ସମସ୍ୟା, ଅଙ୍ଗନୱାଡ଼ି କେନ୍ଦ୍ର ସମ୍ବନ୍ଧୀୟ ସମସ୍ୟା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ବନ୍ଧୀୟ ଅଭିଯୋଗ ଅନ୍ତର୍ଭୁକ୍ତ ଥିଲା।ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୨ଟି ଅଭିଯୋଗର ତତ୍କାଳ ସମାଧାନ ଘଟଣାସ୍ଥଳରେ କରାଯାଇଥିଲା। ଅବଶିଷ୍ଟ ୫୦ଟି ଅଭିଯୋଗକୁ ଜନ ଶୁଣାଣି ପୋର୍ଟାଲରେ ପଞ୍ଜୀକୃତ କରାଯାଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯୋଗଗୁଡ଼ିକର ତ୍ୱରିତ, ନ୍ୟାୟସଙ୍ଗତ ଓ ଗୁଣାତ୍ମକ ଫଇସଲା କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।ଏହି ଅବସରରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ ଜନସାଧାରଣଙ୍କ ଅଭିଯୋଗକୁ ସର୍ବାଧିକ ପ୍ରାଥମିକତା ଦେଇ ସମ୍ବେଦନଶୀଳତା ଓ ଗମ୍ଭୀରତାର ସହ ଶୁଣାଣି କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି, ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ ଯେପରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସଠିକ୍ ଓ ସମୟୋପଯୋଗୀ ଭାବେ ପହଞ୍ଚିପାରିବ, ସେଥିପ୍ରତି ଅଧିକାରୀମାନେ ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଶିବିରରେ ଉପସ୍ଥିତ ଜନସାଧାରଣ ନିଜ ନିଜ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନର ଶୀର୍ଷ ଅଧିକାରୀମାନଙ୍କ ସମ୍ମୁଖରେ ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରାଯାଇ ଆଇନ ଓ ନିୟମ ଅନୁଯାୟୀ ଯଥାସମ୍ଭବ ତ୍ୱରିତ ପଦକ୍ଷେପ ନିଆଯାଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଫରଙ୍ଗ ଗ୍ରାମ ପଞ୍ଚାୟତରେ ଜନଭାଗିଦାରୀରେ ଅନୁଷ୍ଠିତ ହେଲା ଭବ୍ୟ ତ୍ରିରଙ୍ଗା ଯାତ୍ରା

Sunil Chandra Nayak

ତିରିଂ ଠାରେ ଅନୁଷ୍ଠିତ ହେଲା ବାମନଘାଟି ଉପଖଣ୍ଡସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର

Sunil Chandra Nayak

ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ୍ ଚାମ୍ପିଅନ 

masiha

Leave a Comment

error: Content is protected !!