ସ୍ୱତନ୍ତ୍ର ଗହନ ସଂଶୋଧନ (SIR)-୨୦୨୬ ସମ୍ପର୍କରେ ରାଜନୈତିକ ଦଳମାନଙ୍କ ସହ ସମୀକ୍ଷା ବୈଠକ ଅନୁଷ୍ଠିତ
ନବରଙ୍ଗପୁର:(ତା. ୦୬.୦୮.୨୦୨୬)(ରବି ନାରାୟଣ ମହାନ୍ତି)ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା ଏବଂ ରାଜନୈତିକ ଦଳମାନଙ୍କ ସହଯୋଗ ଲୋଡିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୭୩-ଉମରକୋଟ, ୭୪-ଝରିଗାଁ, ୭୫-ନବରଙ୍ଗପୁର ଏବଂ ୭୬-ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ମାନଙ୍କ ଅଧ୍ୟକ୍ଷତାରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ SIR କାର୍ଯ୍ୟକ୍ରମର ବର୍ତ୍ତମାନ ସ୍ଥିତି, ଦାବି ଓ ଆପତ୍ତିର ଅଗ୍ରଗତି ଏବଂ ଶୁଣାଣି ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ରାଜନୈତିକ ଦଳମାନଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଏକ ତ୍ରୁଟିମୁକ୍ତ, ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତିରେ ସମସ୍ତ ରାଜନୈତିକ ଦଳର ସକ୍ରିୟ ସହଯୋଗ କାମନା କରାଯାଇଥିଲା।ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅନ୍ତର୍ଗତ ବିଭିନ୍ନ ବୁଥ୍ରୁ ପ୍ରାପ୍ତ ଫର୍ମ-୯ (ନାମ ଅନ୍ତର୍ଭୁକ୍ତି ପାଇଁ ଦାବି), ଫର୍ମ-୧୦ (ଆପତ୍ତି), ଫର୍ମ-୧୧, ଫର୍ମ-୧୧ଏ ଏବଂ ଫର୍ମ-୧୧ବି ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ତାଲିକା ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ତାଲିକାଗୁଡ଼ିକ ଯାଞ୍ଚ କରି ଯଦି କୌଣସି ଆପତ୍ତି କିମ୍ବା ମତାମତ ଥାଏ, ତାହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିବାକୁ ଅନୁରୋଧ କରାଯାଇଥିଲା।ଏହି ଅବସରରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା SIR-୨୦୨୬ କାର୍ଯ୍ୟକ୍ରମର ସମୟସୀମା ବୃଦ୍ଧି କରାଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ବର୍ଦ୍ଧିତ ସମୟସୀମା ମଧ୍ୟରେ ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ଏବଂ ନିଷ୍ପତ୍ତି ପ୍ରକ୍ରିୟା ସମ୍ପନ୍ନ କରାଯିବ ବୋଲି ଅବଗତ କରାଯାଇଥିଲା।ବୈଠକରେ ସୂଚନା ଦିଆଯାଇଥିଲା ଯେ, ଜିଲ୍ଲାର ଚାରିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା ୫୨,୯୧୮ ଜଣଙ୍କ ଦାବି ଓ ଆପତ୍ତି ସମ୍ପର୍କିତ ଶୁଣାଣି ସଫଳତାର ସହ ସମାପ୍ତ ହୋଇଛି। ସମସ୍ତ ଶୁଣାଣି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଏବଂ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହେଉଥିବା ସମ୍ପର୍କରେ ERO ମାନେ ସୂଚନା ପ୍ରଦାନ କରିଥିଲେ।ବୈଠକରେ ବିଜୁ ଜନତା ଦଳ (BJD) ପକ୍ଷରୁ ଶ୍ରୀ ପ୍ରମୋଦ ରଥ, ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ଶ୍ରୀ ସରୋଜ ବେହେରା ଏବଂ ଭାରତୀୟ ଜାତୀୟ କଂଗ୍ରେସ (INC) ପକ୍ଷରୁ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ସମେତ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ।ଶେଷରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନେ ସମସ୍ତ ରାଜନୈତିକ ଦଳଙ୍କୁ ସକ୍ରିୟ ସହଯୋଗ କରି ଏକ ସଠିକ୍, ତ୍ରୁଟିମୁକ୍ତ ଓ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତିରେ ସହଭାଗୀ ହେବାକୁ ଆହ୍ୱାନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଡ଼ ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରବାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

