ଆଜିର ଦିବସର ଅନୁଚିନ୍ତା: ଅଗଷ୍ଟ ୧୨ ତାରିଖ :ସମୟର ନିର୍ଜୀବ ପୃଷ୍ଠା ନୁହେଁ,ବରଂ ଏହା ମାନବୀୟ ପ୍ରଜ୍ଞା,ତ୍ୟାଗ ଓ ସଂକଳ୍ପର ଏକ ଜୀବନ୍ତ ଦଲିଲ୍
ଡା.ଦେବୀ ପ୍ରସାଦ ମିଶ୍ର,
କାଳର କରାଳ ସ୍ରୋତରେ ପ୍ରତିଟି ଦିନ ଇତିହାସର ଗୋଟିଏ ଗୋଟିଏ ନୂତନ ପୃଷ୍ଠା ଉନ୍ମୋଚନ କରିଥାଏ।ଇତିହାସ କେବଳ ସମୟର ନିର୍ଜୀବ ପୃଷ୍ଠା ନୁହେଁ,ବରଂ ଏହା ମାନବୀୟ ପ୍ରଜ୍ଞା,ତ୍ୟାଗ ଓ ସଂକଳ୍ପର ଏକ ଜୀବନ୍ତ ଦଲିଲ୍।ଆଜି ଅଗଷ୍ଟ ୧୨ ତାରିଖ।ବିଶ୍ୱ,ଭାରତ ଏବଂ ଆମ ପ୍ରିୟ ଓଡ଼ିଶାର ସାମାଜିକ,ସାଂସ୍କୃତିକ ତଥା ବୈଜ୍ଞାନିକ ପ୍ରେକ୍ଷାପଟରେ ଏହି ଦିନଟିର ଗୁରୁତ୍ୱ ଅନନ୍ୟ।ଯାହା ମାନବ ସମାଜକୁ ବିଜ୍ଞାନର ପ୍ରଗତି,ମାନବୀୟ ଚେତନା ଯୁବଶକ୍ତିର ଜାଗରଣ ପାଇଁ ଅନେକ ପ୍ରେରଣା ଯୋଗାଇଥାଏ।
ବିଶ୍ୱକ୍ଷେତ୍ରରେ ଆଜି ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହେଉଛି।୧୯୯୯ ମସିହାରେ ମିଳିତ ଜାତିସଂଘ ଦ୍ୱାରା ଘୋଷିତ ଏହି ଦିବସ ଯୁବ ସମାଜର ଶକ୍ତି,ସୃଜନଶୀଳତା ଓ ନେତୃତ୍ୱକୁ ସମ୍ମାନ ଜଣାଏ।ଦେଶର ପ୍ରଗତି ଯୁବପିଢ଼ିଙ୍କ ହାତରେ।ଏହା ସହିତ ଆଜି ବିଶ୍ୱ ହସ୍ତୀ ଦିବସ ମଧ୍ୟ ପାଳନ କରାଯାଏ,ଯାହା ପରିବେଶ ସନ୍ତୁଳନ ରକ୍ଷା ଓ ଗଜରାଜଙ୍କ ସୁରକ୍ଷା ପାଇଁ ଆମକୁ ସଚେତନ କରାଏ।
ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ୧୯୮୧ ମସିହା ଆଜିର ଦିନରେ ପ୍ରଥମ ଆଇବିଏମ୍ ବ୍ୟକ୍ତିଗତ କମ୍ପ୍ୟୁଟର (ପି ସି)ବଜାରକୁ ଆସି ସୂଚନା ପ୍ରଯୁକ୍ତିବିଦ୍ୟାରେ ବିପ୍ଳବ ଆଣିଥିଲା।ଆଜି ପ୍ରସିଦ୍ଧ ବ୍ରିଟିଶ୍ ଲେଖକ ତଥା କାଳ୍ପନିକ ଚରିତ୍ର ଜେମ୍ସ ବଣ୍ଡର ସ୍ରଷ୍ଟା ଆଇୟାନ୍ ଫ୍ଲେମିଂଙ୍କ (୧୯୬୪) ମୃତ୍ୟୁ ବାର୍ଷିକୀ।ତାଙ୍କ ସାହିତ୍ୟ କୃତି ବିଶ୍ୱ ସିନେମା ଜଗତକୁ ସମୃଦ୍ଧ କରିଛି।
ଭାରତ କ୍ଷେତ୍ରରେ ଐତିହାସିକ ଘଟଣାବଳୀ ମଧ୍ୟରେ ୧୭୬୫ ମସିହା ଅଗଷ୍ଟ ୧୨ ତାରିଖରେ ମୋଗଲ ସମ୍ରାଟ ଶାହା ଆଲମ (ଦ୍ୱିତୀୟ)ଇଷ୍ଟ ଇଣ୍ଡିଆ କମ୍ପାନୀକୁ ବେଙ୍ଗଲ,ବିହାର ଓ ଓଡ଼ିଶାର ଦେୱାନୀ ଅଧିକାର ପ୍ରଦାନ କରିଥିଲେ,ଯାହା ଭାରତୀୟ ରାଜନୀତିର ଗତିପଥ ବଦଳାଇ ଦେଇଥିଲା।ସେହିପରି ୧୯୪୭ ମସିହା ସ୍ୱାଧୀନତାର ଠିକ୍ ତିନି ଦିନ ପୂର୍ବରୁ ଆଜିର ଦିନରେ ଭାରତର ସୀମା ନିର୍ଦ୍ଧାରଣ କରୁଥିବା ‘ର୍ୟାଡକଲିଫ୍ ଲାଇନ୍’ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା।
ଭାରତୀୟ ବିଜ୍ଞାନ ଓ ମହାକାଶ ଗବେଷଣା ଇତିହାସରେ ଆଜିର ଦିନ ଅତି ସ୍ମରଣୀୟ। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ,୧୯୧୯ ମସିହାରେ ମହାନ ବୈଜ୍ଞାନିକ ଡକ୍ଟର ବିକ୍ରମ ସାରାଭାଇଙ୍କ ଆଜି ଜନ୍ମ ଜୟନ୍ତୀ।ତାଙ୍କରି ଦୂରଦୃଷ୍ଟି ଯୋଗୁଁ ଆଜି ଭାରତ ମହାକାଶ ବିଜ୍ଞାନରେ ବିଶ୍ୱର ଅଗ୍ରଣୀ ଦେଶ ହୋଇପାରିଛି।
ଆଜିର ଦିବସର ଅନୁଚିନ୍ତାକୁ ଅନୁଶୀଳନ କଲେ ଜଣାପଡ଼େ ଯେ ଇତିହାସର ଏହି ସ୍ମୃତି ଆମକୁ ମନେ ପକାଇଦିଏ ଯେ ସମୟ ସବୁବେଳେ ପ୍ରଗତିଶୀଳ।ଯୁବଶକ୍ତିର ବିନିଯୋଗ ଏବଂ ବିଜ୍ଞାନର ସଦୁପଯୋଗ ଦ୍ୱାରା ହିଁ ଆମେ ପ୍ରଦେଶ ଓଡ଼ିଶା,ଆମର ଭାରତବର୍ଷକୁ ତଥା ସମଗ୍ର ବିଶ୍ୱକୁ ସମୃଦ୍ଧିର ଶିଖରକୁ ନେଇପାରିବା।ତେବେ ଆସନ୍ତୁ,ଆମେ ସମସ୍ତେ ଆଜିର ଦିନରେ ବିକ୍ରମ ସାରାଭାଇଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ନିଜକୁ ସାମିଲ କରିବା।
ଡା.ଦେବୀ ପ୍ରସାଦ ମିଶ୍ର,

