ଜୁନାଗଡ଼ ରେ ଡିଜିଟାଲ ପେମେଣୁ ଠକେଇ ଅଭିଯୋଗ
ଅଗ୍ରସେନ ଭବନରୁ ଅଭିଯୁକ୍ତଙ୍କୁ ଧରି ପୁଲିସ ଜିମା ଦେଲେ ବଣିକ ସଂଘ ସଦସ୍ୟ….
ଜୁନାଗଡ଼ :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ବିଭିନ୍ନ ବ୍ୟବସାୟୀଙ୍କୁ ନକଲି PhonePe/UPI ପେମେଣ୍ଟ ପ୍ରମାଣ ଦେଖାଇ ସାମଗ୍ରୀ ନେଇଯାଇଥିବା ଅଭିଯୋଗ ଘଟଣାରେ ଜୁନାଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ବିଶ୍ବଜିତ ଦାଶଙ୍କୁ ଜୁନାଗଡ଼ ଅଗ୍ରସେନ ଭବନରୁ ଧରି ପୁଲିସ ଜିମା ଦିଆଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଶ୍ବଜିତ ଦାଶ ଜୁନାଗଡ଼ ଅଗ୍ରସେନ ଭବନରେ ରହୁଥିବା ନେଇ ଜୁନାଗଡ଼ ବଣିକ ସଂଘର ସଦସ୍ୟମାନେ ଖବର ପାଇଥିଲେ। ଏହାପରେ ବଣିକ ସଂଘର ସମ୍ପାଦକ ପ୍ରଭାତ କୁମାର ଦାଶ କିଛି ସଦସ୍ୟଙ୍କୁ ସାଙ୍ଗରେ ନେଇ ଅଗ୍ରସେନ ଭବନରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିଥିଲେ।
ପରେ ଜୁନାଗଡ଼ ବଣିକ ସଂଘର ସଭାପତି ମୁକେଶ ଅଗ୍ରୱାଲଙ୍କ ସମେତ ଅନ୍ୟ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସଂଘର ସଦସ୍ୟମାନେ ଅଭିଯୁକ୍ତଙ୍କୁ ଜୁନାଗଡ଼ ପୁଲିସ ନିକଟରେ ହସ୍ତାନ୍ତର କରିଥିଲେ। ଏହାପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ନେଇ ଘଟଣା ସମ୍ପର୍କରେ ତଦନୁ ଆରମ୍ଭ କରିଛି।
FIR ଅନୁଯାୟୀ, ଅଭିଯୁକ୍ତ ଜଣକ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ଯାଇ ସାମଗ୍ରୀ କିଣିବା ସମୟରେ ନକଲି କିମ୍ବା ଜାଲିଆତି କରାଯାଇଥିବା PhonePe/UPI ପେମେଣ୍ଟ ସ୍କ୍ରିନ୍ଶଟ୍, ମେସେଜ୍ କିମ୍ବା ଅନ୍ୟାନ୍ୟ ପେମେଣ୍ଟ ପ୍ରମାଣ ଦେଖାଇଥିବା ଅଭିଯୋଗ ରହିଛି। ଏହାକୁ ସତ ବୋଲି ବିଶ୍ବାସ କରି ବ୍ୟବସାୟୀମାନେ ସାମଗ୍ରୀ ଦେଇଥିଲେ। ପରେ ବ୍ୟାଙ୍କ ଖାତା ଓ UPI ଟ୍ରାଞ୍ଜାକ୍ସନ୍ ଯାଞ୍ଚ କରିବାରୁ ଟଙ୍କା ଜମା ହୋଇନଥିବା ଜଣାପଡ଼ିଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ଜୁନାଗଡ଼ର ଏକାଧିକ ବ୍ୟବସାୟୀ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା FIRରେ ଦର୍ଶାଯାଇଛି। ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪), ୩୫୧(୩) ଏବଂ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୬(ଡି) ଅଧୀନରେ ମାମଲା ରୁଜୁ ହୋଇଛି।
ଘଟଣା ସମ୍ପର୍କିତ CCTV ଫୁଟେଜ୍, ପେମେଣ୍ଟ ସ୍କ୍ରିନ୍ଶଟ୍, ମୋବାଇଲ୍ ନମ୍ବର, କଲ୍/ମେସେଜ୍ ରେକର୍ଡ, ବ୍ୟାଙ୍କ ଷ୍ଟେଟମେଣ୍ଟ ଓ UPI ଟ୍ରାଞ୍ଜାକ୍ସନ୍ ରେକର୍ଡ ଭଳି ପ୍ରମାଣ ଆଧାରରେ ପୁଲିସ ତଦନ୍ତି କରୁଛି। ଏହି ଘଟଣା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ଯ ତଦନ୍ତ ଚାଲିଛି ।
ତେବେ ଅଭିଯୁକ୍ତଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ତଦନ୍ତ ଚାଲୁଥିବା ବେଳେ, ପୁଲିସ ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସୃଷ୍ଟହେବ। ସୁଚନା ଯୋଗ୍ୟ ଯେ, ଏହା ପୁର୍ବରୁ ଉକ୍ତ ଯୁବକ ଚାକିରି କରାଇଦେବା ନାଁରେ ୪୧ ଲକ୍ଷ ଟଙ୍କା ଠକି ରାଉରକେଲା ଝିରିପାଣି ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବାର ଅଭିଯୋଗ ଏକ ସମ୍ବାଦ ପତ୍ର ର କ୍ଲିପ୍ ସାମ୍ନା କୁ ଆସିଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

