ଯାତ୍ରୀବାହୀ ବସ ରେ ଟୁରିଷ୍ଟ ପରମିଟ ରେ ଦାଦନ ଶ୍ରମିକ ଚାଲାଣ ଅଭିଯୋଗ
ତ୍ଵରିତ ପଦକ୍ଷେପ ନେଲା ଜିଲ୍ଲା ପରିବହନ ବିଭାଗ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଓ ବିଜୁ ଏକ୍ସପ୍ରେସ ୱେ ଦେଇ ରାଜ୍ୟ ବାହାର ହାଇଦ୍ରାବାଦ, ତେଲେଙ୍ଗାନା,ବାଙ୍ଗାଲୋର ଅଞ୍ଚଳ କୁ ନୂଆପଡା,ବଲାଙ୍ଗୀର, କଳାହାଣ୍ଡି ଅଞ୍ଚଳ ର ଦାଦନ ଶ୍ରମିକ ଙ୍କୁ ନେଇ ଟୁରିଷ୍ଟ ପରମିଟ ରେ ଅନେକ ଯାତ୍ରୀବାହୀ ବସ ବେଆଇନ ଭାବେ ଚଳାଚଳ କରୁଥିବା ବେଳେ ବୁଧବାର ହାଇଦ୍ରାବାଦ ରୁ ସାନ ନାମକ ଏକ ଯାତ୍ରୀବାହୀ ବସ ରେ ଘର କୁ ଫେରିବା ସମୟରେ ହାଇଦ୍ରାବାଦ ସ୍ଥିତ ରାଜଧାନୀ ବସ କାଉଣ୍ଟର ର କର୍ମଚାରୀ ମାନେ ନୂଆପଡା, ବଲାଙ୍ଗୀର ଓ କଳାହାଣ୍ଡି ର ୨୯ ଶ୍ରମିକ ଙ୍କୁ ନିର୍ଯ୍ୟାତନା ଦେବାସହ ସେମାନଙ୍କ ନିକଟରୁ ଟଙ୍କା ପଇସା ଲୁଟ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ବସ କର୍ମଚାରୀ ମାନେ ଶ୍ରମିକ ଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ କୁ ନ ପହଞ୍ଚାଇ ଆମପାଣି ବସଷ୍ଟାଣ୍ଡରେ ଓହ୍ଲାଇ ଦେଇଥିଲେ। ଏନେଇ ଶ୍ରମିକ ମାନେ ବସ କୁ ଅଟକ ରଖିବା ପରେ ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧି ଙ୍କ ହସ୍ତକ୍ଷେପ ପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ ପରେ ଶ୍ରମିକ ଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ କୁ ନେଇ ବସ କର୍ମଚାରୀ ଛାଡିଥିଲେ।
ଏହି ଘଟଣାର ଅଭିଯୋଗ ହେବା ପରେ କଳାହାଣ୍ଡି ଆଞ୍ଚଳିକ ପରିବହନ ବିଭାଗ ତ୍ୱରିତ ପଦକ୍ଷେପ ନେଇ ଏମଭିଆଇ ଅଧିକାରୀ ମିଥୁନ ପ୍ରଧାନ ଙ୍କ ନେତୃତ୍ବରେ ଏକ ଟିମ ଆମପାଣି ଥାନା ନିକଟରେ ଯାଞ୍ଚ ପାଇଁ ରହିଥିଲେ । ତେବେ ସ୍ଥାନୀୟ ଏଜେଣ୍ଟ ଙ୍କ ସୂତ୍ରରୁ ଖବର ପାଇ ହାଇଦ୍ରାବାଦ କୁ ଯିବା କୁ ଥିବା ଅନେକ ଯାତ୍ରୀବାହୀ ବସ ବିଭିନ୍ନ ସ୍ଥାନରେ ଅଟକି ରହି ଯାଇଥିଲେ। ତେବେ କିଛି ଗଣମାଧ୍ୟମ ପ୍ରତିନିଧି ଙ୍କ ସୂଚନା ପରେ ଏମଭିଆଇ ଟିମ ଆମପାଣି ବସଷ୍ଟାଣ୍ଡ ରେ ସଂଗୀତା ନାମକ ଏକ ହାଇଦ୍ରାବାଦ ଯାଉଥିବା ବସ ରେ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରିବା ସହ ବେଆଇନ ଭାବେ ଟୁରିଷ୍ଟ ପରମିଟ ରେ ଯାଉଥିବା ସହ ଯାତ୍ରୀ ଙ୍କୁ ଟିକେଟ ଦିଆ ଯାଇଥିବା ତଦନ୍ତ ରେ ସ୍ପଷ୍ଟ ହେବାପରେ ବସ କୁ ୧୦ ହଜାର ଟଙ୍କା ଫାଇନ କରିଥିଲେ। ଏହାପରେ ଅନ୍ୟ ଏକ ବସ ଯାହାର ନମ୍ବର (ବିଆର୦୧ ପିଏସ ୪୦୪୪) ଏମଭିଆଇ ଚେକିଂ ହେଉଥିବା ଖବର ପାଇ ବିଜୁ ଏକ୍ସପ୍ରେସ ୱେ କୁଳେରଗୁଡା ଛକ ନିକଟରେ ଲୁଚି ରହିଥିବା ବସ କୁ ଜବତ କରି ଆମପାଣି ଥାନା ରେ ଜିମା ଦେଇଥିବା ଜଣାପଡିଛି।ଏମଭିଆଇ ଯାଞ୍ଚ କୁ ନେଇ ଟୁରିଷ୍ଟ ପରମିଟ ରେ ଦାଦନ ଶ୍ରମିକ ନେଇ ଯାଉଥିବା ଯାତ୍ରୀବାହୀ ବସ କର୍ମଚାରୀ ଓ ଏଜେଣ୍ଟ ଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଆଗକୁ କଡାକଡି ଭାବେ ଯାଞ୍ଚ ଜାରି ରହିବା ନେଇ ଏମଭିଆଇ ଅଧିକାରୀ ମିଥୁନ ପ୍ରଧାନ ସୂଚନା ଦେଇଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

