ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିନ୍ଦାଗୁଡ଼ାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ସ୍ଥାନୀୟ ରୋଜଗାର ସୁଯୋଗର ସଦୁପଯୋଗ କରି ପ୍ରବାସ ରୋକିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ଚିନ୍ଦାଗୁଡ଼ାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର

ସ୍ଥାନୀୟ ରୋଜଗାର ସୁଯୋଗର ସଦୁପଯୋଗ କରି ପ୍ରବାସ ରୋକିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଚିନ୍ଦାଗୁଡ଼ା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରବାସ ରୋକିବା ସହ ଗ୍ରାମାଞ୍ଚଳରେ ଉପଲବ୍ଧ ରୋଜଗାର ଓ ଜୀବିକା ସୁଯୋଗର ସଦୁପଯୋଗ ନେଇ ଏହି ଶିବିରରେ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କର, ସ୍ଥାନୀୟ ସରପଞ୍ଚ ଜେମାମଣି ରଣାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ବିଭିନ୍ନ ବିଭାଗର ଅଧିକାରୀମାନେ ଶ୍ରମିକ, କୃଷକ, ମହିଳା ଓ ସାଧାରଣ ଜନତାଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଓ କର୍ମନିଯୁକ୍ତିମୂଳକ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ‘ଝିଅ ପାଇଁ ଗଛଟିଏ’ ଓ ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାପାଳ ନବଜାତ କନ୍ୟାଶିଶୁ ରୁଦ୍ରାକ୍ଷୀ ରଣାଙ୍କୁ କୋଳରେ ଧରି ତାଙ୍କ ସୁସ୍ଥ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶିଶୁର ପିତାମାତାଙ୍କୁ ବୃକ୍ଷଚାରା ଓ ଉପହାର ପ୍ରଦାନ କରିଥିଲେ। ‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମରେ ଗର୍ଭବତୀ ମହିଳାମାନଙ୍କୁ ଫଳ, ପନିପରିବା, ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଓ ଉପହାର ପ୍ରଦାନ କରାଯାଇଥିଲା। ସ୍ଥାନୀୟ ଛାତ୍ରୀମାନେ ଗୀତ ଓ ନୃତ୍ୟ ମାଧ୍ୟମରେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ଜିଲ୍ଲାପାଳ ମଧୁସୂଦନ ଦାଶ ନିଜ ଉଦ୍‌ବୋଧନରେ ପ୍ରବଳ ବର୍ଷା ସତ୍ତ୍ୱେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଚିନ୍ଦାଗୁଡ଼ା ଗ୍ରାମ ପଞ୍ଚାୟତରୁ ବର୍ତ୍ତମାନ କୌଣସି ଶ୍ରମିକ ପ୍ରବାସକୁ ଯାଉନଥିବା ସରପଞ୍ଚଙ୍କ ସୂଚନାରେ ସେ ଖୁସି ବ୍ୟକ୍ତ କରିଥିଲେ। ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ପ୍ରବାସମୁକ୍ତ କରିବା ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ।

ଜିଲ୍ଲାରେ ସରକାରଙ୍କ ପକ୍ଷରୁ ବହୁ ଜନକଲ୍ୟାଣକାରୀ ଓ କର୍ମନିଯୁକ୍ତିମୂଳକ ଯୋଜନା କାର୍ଯ୍ୟକାରୀ ହେଉଥିବା ଦର୍ଶାଇ ଜିଲ୍ଲାପାଳ ଭିବି-ଜି ରାମ-ଜି (VB-G RAM G – Viksit Bharat–Guarantee for Rozgar and Ajeevika Mission) ଅଧୀନରେ ଉପଲବ୍ଧ ରୋଜଗାର ସୁଯୋଗର ସଦୁପଯୋଗ କରିବାକୁ ଗ୍ରାମବାସୀଙ୍କୁ ଆହ୍ୱାନ ଦେଇଥିଲେ। ନିଜ ଅଞ୍ଚଳର ବିକାଶମୂଳକ କାର୍ଯ୍ୟରେ ନିୟୋଜିତ ହୋଇ ଗାଁରେ ରହି ସମ୍ମାନଜନକ ରୋଜଗାର ଓ ଆୟ ହାସଲ କରିବାର ସୁଯୋଗ ରହିଛି ବୋଲି ସେ କହିଥିଲେ। ପରିବାରର ସଦସ୍ୟମାନଙ୍କୁ ପ୍ରବାସକୁ ନପଠାଇ ସ୍ଥାନୀୟ ରୋଜଗାର ସୁଯୋଗର ଲାଭ ନେବାକୁ ମହିଳାମାନଙ୍କୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ଏଥିସହ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ର ବ୍ୟବହାର ବନ୍ଦ କରି ଚିନ୍ଦାଗୁଡ଼ାକୁ ଏ କ୍ଷେତ୍ରରେ ଏକ ଆଦର୍ଶ ଗ୍ରାମ ଭାବେ ଗଢ଼ିବା ପାଇଁ ଜିଲ୍ଲାପାଳ ଆଶା ପ୍ରକାଶ କରିଥିଲେ। ଶିଶୁ ଶ୍ରମ ଓ ଶିଶୁ ବିବାହକୁ ‘ନା’ କହିବା ସହ ପିଲାମାନଙ୍କୁ ଶ୍ରମରେ ନିୟୋଜିତ ନକରି ନିୟମିତ ବିଦ୍ୟାଳୟକୁ ପଠାଇବା ପାଇଁ ସେ ଅଭିଭାବକମାନଙ୍କୁ ଆହ୍ୱାନ ଦେଇଥିଲେ।ଏହି ଅବସରରେ ଗତ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ୧୦୦ ଦିନରୁ ଅଧିକ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସୁବିଧା ଓ ସହାୟତା ପ୍ରଦାନ କରାଯାଇଥିଲା। ଦୁଇଜଣଙ୍କୁ ‘ସ୍ୱଚ୍ଛତା ଦୂତ ସମ୍ମାନ’ ପ୍ରଦାନ କରାଯାଇଥିଲା।ଶେଷରେ ‘ପକ୍ଷୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଅତିଥିମାନେ ପକ୍ଷୀମାନଙ୍କ ପାଇଁ ବାସସ୍ଥାନ, ଖାଦ୍ୟ ଓ ଜଳର ବ୍ୟବସ୍ଥା କରିବା ସହ ବୃକ୍ଷରୋପଣ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ପୂର୍ବରୁ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବକଚନ ରଣାଙ୍କ ଘର ପରିଦର୍ଶନ କରି ତାଙ୍କ ପରିବାର ସହ ଆଲୋଚନା କରିଥିଲେ। ବର୍ତ୍ତମାନ ସେ ସରକାରୀ ରୋଜଗାର ଯୋଜନାରେ କାର୍ଯ୍ୟ କରି ନିଜ ଗାଁରେ ଜୀବିକା ନିର୍ବାହ କରୁଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ବିଭିନ୍ନ ସରକାରୀ ଯୋଜନାର ସର୍ବାଧିକ ସୁଯୋଗ ନେଇ ନିଜ ଅଞ୍ଚଳରେ ଜୀବିକା ସୁଦୃଢ଼ କରିବାକୁ ସେ ପରାମର୍ଶ ଦେଇଥିଲେ।

ଖଡ଼ିଆଳ ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ, ପଞ୍ଚାୟତିରାଜ ବିଭାଗ, ବନ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ମିଳିତ ସହଯୋଗରେ ଏହି ସଚେତନତା ଶିବିର ଆୟୋଜିତ ହୋଇଥିଲା।

Related posts

ତିତକେଲା ବୀଣାପାଣି କ୍ଲବରେ ନୂଆଁଖାଇ ଭେଟଘାଟ, ସାଂସ୍କୃତିକ କାର୍ଯ୍ୟକ୍ରମ

masiha

ତେରେସିଂହାରେ ଶ୍ରୀମଦ୍ ଭାଗବତ ଜନ୍ମ ପାଳିତ 

Sunil Chandra Nayak

ଆମ ହସ୍ପିଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!