ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳଠାରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୬ ମହାସମାରୋହରେ ଅନୁଷ୍ଠିତ

ଢେଙ୍କାନାଳଠାରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୬ ମହାସମାରୋହରେ ଅନୁଷ୍ଠିତ

ଢେଙ୍କାନାଳ : ତା.୨୯.୧୧.୨୦୨୬ ରିଖ : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରର ବିକାଶ,କୃଷକ ତଥା ପ୍ରାଣୀପାଳକଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନ‌ତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଢେଙ୍କାନାଳଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୬ ମହାସମାରୋହରେ ଆୟୋଜିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ,ଖାଉଟି କଲ୍ୟାଣ,ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ,ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ, କୃଷ୍ଣଚନ୍ଦ୍ର ପାତ୍ର ସ୍ଵୀୟ ଅଭିଭାଷଣରେ ଚାଷୀ,ମତ୍ସ୍ୟଜୀବୀ ଓ ପ୍ରାଣୀପାଳକମାନଙ୍କୁ ସରକାରଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ଯୋଜନାର ସର୍ବାଧ‌ିକ ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ।ଏହି ଯୋଜନାଗୁଡ଼ିକ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ଚାଷୀଙ୍କ ଆୟ ବୃଦ୍ଧି କରିବା,ସ୍ୱାବଲମ୍ବୀ ଉଦ୍ୟୋଗ ସୃଷ୍ଟି କରିବା ଏବଂ ନୂତନ ନିଯୁକ୍ତି ଓ ଜୀବିକାର ସୁଯୋଗ ପ୍ରଦାନ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଥିଲେ।ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଜ୍ଞାନ ରଞ୍ଜନ ନାୟକ ମଧ୍ୟ ନିଜ ଅଭିଭାଷଣରେ ବର୍ତ୍ତମାନର ସରକାରଙ୍କ କୃଷକ-କୈନ୍ଦ୍ରିକ ଆଭିମୁଖ୍ୟ ଓ ଚାଷୀଙ୍କ କଲ୍ୟାଣ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଢେଙ୍କାନାଳ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଉପନିର୍ଦ୍ଦେଶକ ଡା.ଶ୍ରୀପତି ସେଠୀ ପ୍ରମୁଖ ମଂଚାସୀନ ସମସ୍ତ ମାନ୍ୟଗଣ୍ୟ ଅତିଥି ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ।ନିଜ ଅଭିଭାଷଣରେ ସେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଉଦ୍ଦେଶ୍ୟ ଓ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଁଚିପାରିବ,ସେଥିପାଇଁ ଏହି ମେଳା ଏକ ଗୁରୁତ୍ବପୂର୍ଣ ମାଧ୍ଯମ ବୋଲି ସେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ପ୍ରଭାସ କୁମାର ବେହେରା ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିଷାନ୍ ନିଜ ନିଜ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥ‌ିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।ସହକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀ କଲ୍ୟାଣ) ଡା.ଶ୍ରୀକାନ୍ତ କୁମାର ପରିଡା ନିଜ ଅଭିଭାଷଣରେ ପ୍ରାଣୀ କଲ୍ୟାଣର ଗୁରୁତ୍ବ ଉପରେ ଆଲୋକପାତ କରିବା ସହିତ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କର ଯତ୍ନ,ସୁରକ୍ଷା ଓ ଆଶ୍ରୟ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଇଥିଲେ।ଗୋଶାଳା ପ୍ରତିଷ୍ଠା ଓ ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଉପଲବ୍ଧ ସ‌ହାୟତା ସମ୍ପର୍କରେ ସେ ବିସ୍ତୃତ ଭାବରେ ବୁଝାଇଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ ନିଜ କରକମଳରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ବିଭିନ୍ନ ଯୋଜନା ଅଧୀନରେ ଉଦ୍ୟୋଗ ସ୍ଥାପନ କରିଥିବା ୪ ଜଣ ସଫଳ ଚାଷୀଙ୍କୁ ସରକାରୀ ରିହାତି ସହାୟତା ରାଶିର ଚେକ୍ ପ୍ରଦାନ ଏବଂ ନୂତନ ଭାବେ ଉଦ୍ୟୋଗ ସ୍ଥାପନ କରିବାକୁ ଆଗ୍ରହୀ ଥିବା ଆଉ ୪ ୪ ଜଣ ଚାଷୀଙ୍କୁ ପ୍ରକଳ୍ପ ଆରମ୍ଭ କରିବା ନିମନ୍ତେ କାର୍ଯ୍ୟାଦେଶ ପତ୍ର ପ୍ରଦାନ କରିଥିଲେ।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ,ଓଡ଼ିଶା ସରକାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମେଳାରେ ୧ ହଜାରରୁ ଊର୍ଦ୍ଧ୍ବ ଚାଷୀ, ମତ୍ସ୍ୟଜୀବୀ,ପ୍ରାଣୀପାଳକ,ଗ୍ରାମୀଣ ଉଦ୍ୟୋଗୀ,ହିତାଧିକାରୀ, ସାଧାରଣ ଜନତା ଏବଂ ସ୍କୁଲ୍ ଛାତ୍ରୀ,ଛାତ୍ର ଯୋଗଦେଇ ବିଭିନ୍ନ ବିଭାଗର ୧୨ରୁ ଉର୍ଦ୍ଧ୍ୱ ପ୍ରଦର୍ଶନୀ ଷ୍ଟଲ୍ ପରିଦର୍ଶନ କରିଥିଲେ।ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥୁଲା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା,ଜୀବିକା ନିର୍ବାହର ସୁଯୋଗ,ଆଧୁନିକ ଜ୍ଞାନକୌଶଳ ଏବଂ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉପଲବ୍ଧ ସହାୟତା ସମ୍ପର୍କରେ ଚାଷୀ ଓ ଗ୍ରାମାଂଚଳର ଲୋକମାନଙ୍କୁ ଅବଗତ କରାଇବା।ମେଳାର ଅନ୍ୟତମ ଆକର୍ଷଣ ଥିଲା ଶିବାୟ ଡ୍ୟାନ୍ସ ଗ୍ରୁପ୍ ଏବଂ ସଙ୍ଗୀତମ୍ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ୱାରା ପରିବେଷିତ ମନୋରମ ଲୋକନୃତ୍ୟ କାର୍ଯ୍ୟକ୍ରମ।ଓଡ଼ିଶାର ସମୃଦ୍ଧ ଲୋକକଳା,ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଥିବା ଏହି ନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିଥିଲା।ସତ୍ୟ ନାରାୟଣ କର ସମସ୍ତ କାର୍ଯ୍ୟକ୍ରମର ମଂଚ ପରିଚାଳନା କରିଥିବାବେଳେ ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ଏକାଡେମିକ ସଂଯୋଜକ ତଥା ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସ୍ୱାଧୀନ ସମ୍ବାଦଦାତା ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ନାବାଳିକା ଗଣଦୁଷ୍କର୍ମ କାରୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ ବିଶାଳ ଆଦିବାସୀ ସମାବେଶ 

ଲୋକ ମାନଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର

masiha

ବହୁଜନ ସଂଗ୍ରାମ ସମିତି ତରଫରୁ ମହାତ୍ମା ଜ୍ୟୋତିବା ଫୁଲେ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!