ଲୋକ ମାନଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର
ବାଲେଶ୍ଵର,୨୧/୧୦/୨୩ – ବାଲେଶ୍ଵର ଜିଲ୍ଲା ସୋର-କୁପାରି ରାସ୍ତାର ସମ୍ପ୍ରସାରଣ ପରେ ଯାତ୍ରୀ ମାନଙ୍କ ପାଇଁ ଯାତ୍ରୀ ବିଶ୍ରାମଗାରର ଅତ୍ୟନ୍ତ ଜରୁରୀ ହୋଇ ପଡିଥିଲା । ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ପାଇଁ ଯାତ୍ରୀ ମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା । ଏଥିପାଇଁ କୌଣସି ସ୍ଥାୟୀ ବିଶ୍ରାମଗାର ନ ଥିଲା । ତାହାର ଏକ କରୁଣ ଦୃଶ୍ୟ ଦେଖିବକୁ ମିଳିଥିଲା ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମହତୀପୁର ଠାରେ । ସୂଚନାଯୋଗ୍ୟ କି ଏହି ଛକରେ ରାସ୍ତା ସମ୍ପ୍ରସାରଣ ପୂର୍ବରୁ ଯାତ୍ରୀ ବିଶ୍ରାମଗରଟିଏ ଥିଲା । ଯାତ୍ରୀମାନେ ଯାତ୍ରୀବାହୀ ଯାନକୁ ଅପେକ୍ଷା କରି ସୁରୁଖୁରୁରେ ଯିବା ଆସିବା କରୁଥିଲେ । ମାତ୍ର ରାସ୍ତା ସମ୍ପ୍ରସାରଣ ପରେ ସେହି ବିଶ୍ରାମଗାରଟିକୁ ଭାଙ୍ଗି ଦିଆଯାଇଥିଲା । ସେବେଠାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ହଠାତ୍ ଏ ଦୃଶ୍ୟ ହିମାଂଶୁ ଶେଖର ବେହେରାଙ୍କ ଆଖିରେ ପଡିଥିଲା । ଯିଏକି ୨୦୨୪ ମସିହା ସାଧାରଣ ନିର୍ବାଚନର ଜାତୀୟ କଂଗ୍ରେସ ବିଧାୟକ ପ୍ରାର୍ଥୀ । ଯାହାଙ୍କ ଜନ୍ମମାଟି ଖଇରା ବ୍ଲକ । ଦୀର୍ଘଦିନ ହେବ ପ୍ରଶାସନ ନିକଟରେ ସମ୍ପୃକ୍ତ ଅଞ୍ଚଳବାସୀ ଓ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଯାତ୍ରୀ ବିଶ୍ରାମଗାର ନିମନ୍ତେ ଦାବି ହୋଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ହଠାତ୍ ଯାତ୍ରୀ ମାନଙ୍କ ଦୁଃଖ ଦେଖି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ହିମାଂଶୁ ଶେଖର । ଏହାର ସମାଧାନ ପାଇଁ ଶ୍ରୀ ବେହେରା ନିଜସ୍ୱ ରୋଜଗାରରୁ କିଛି ଅର୍ଥ ଖର୍ଚ୍ଚ କରି ଯାତ୍ରୀ ବିଶ୍ରାମଗରଟିଏ ନିର୍ମାଣ କରି ଲୋକମାନଙ୍କ ପାଇଁ ଲୋକାର୍ପଣ କରିଛନ୍ତି । ଯାହାଦ୍ୱାରା ମହତୀପୁର ଛକ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଉପକୃତ ହେବେ । ଗତକାଲି ଏହି ଲୋକାର୍ପଣ ଉତ୍ସବରେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବନେତା ନିରଞ୍ଜନ ପରିଡାଙ୍କ ସମେତ ବ୍ଲକ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଯାତ୍ରୀ ବିଶ୍ରାମଗର ଲୋକାର୍ପଣ ପରେ ସମ୍ପୃକ୍ତ ଅଞ୍ଚଳବାସୀ ଶ୍ରୀ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ।।