ନୂଆପଡ଼ାରେ ଜିଲ୍ଲା ଆପତ୍ କାଳୀନ ବୈଠକ; ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ଓ ସମନ୍ୱୟ ଉପରେ ଗୁରୁତ୍ୱ
ନୂଆପଡ଼ା,(ସୁଜିତ କୁମାର ପ୍ରଧାନ ) ନୂଆପଡା ଜିଲ୍ଲାରେ ଯେକୌଣସି ଆପତ୍ କାଳୀନ ପରିସ୍ଥିତି ଓ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ପ୍ରସ୍ତୁତି, ବିଭାଗୀୟ ସମନ୍ୱୟ ଏବଂ ତ୍ୱରିତ ପଦକ୍ଷେପ ନେଇ ସଦ୍ ଭାବନା ସଭାଗୃହଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆପତ୍ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ ନାୟକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀ, ଆସିଷ୍ଟାଣ୍ଟ ଡାଇରେକ୍ଟର ଫ୍ୟାକ୍ଟରିଜ୍ ଆଣ୍ଡ୍ ବଏଲର୍ସ ସ୍ୱାଧୀନ କୁମାର ବେହେରା , ଡେପୁଟି କଲେକ୍ଟର (ଜରୁରୀକାଳୀନ) ଶେଖ୍ ନସୀମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାରେ ବିଭିନ୍ନ ପ୍ରକାରର ଆପତ୍ କାଳୀନ ପରିସ୍ଥିତି ଉପୁଜିଲେ ତାହାର ମୁକାବିଲା ପାଇଁ ଉପଲବ୍ଧ ସମ୍ବଳ, ଉପକରଣ, ମାନବ ସମ୍ବଳ ଓ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆପତ୍ କାଳୀନ ସମୟରେ ସମସ୍ତ ବିଭାଗ ମଧ୍ୟରେ ତୁରନ୍ତ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଜିଲ୍ଲାପାଳ ଆପତ୍ କାଳୀନ ପରିସ୍ଥିତିରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ତ୍ୱରିତ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ କହିଥିଲେ। ବିଭିନ୍ନ ବିଭାଗ ନିଜ ନିଜ ଦାୟିତ୍ୱ ଅନୁଯାୟୀ ପ୍ରସ୍ତୁତ ରହିବା ସହ ଆପତ୍ କାଳୀନ ସମୟରେ ପରସ୍ପର ମଧ୍ୟରେ ଉତ୍ତମ ସମନ୍ୱୟ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ଆପତ୍ କାଳୀନ ପରିସ୍ଥିତିରେ ଉଦ୍ଧାର, ସ୍ଥାନାନ୍ତରଣ, ଚିକିତ୍ସା ସେବା, ଅଗ୍ନିଶମ ସେବା, ପୁଲିସ ସହାୟତା ଏବଂ ଆବଶ୍ୟକୀୟ ଜରୁରୀ ସେବା ଯୋଗାଇବା ସମ୍ପର୍କରେ ବିଭାଗୱାରୀ ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା। ଆବଶ୍ୟକ ସମୟରେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଥିଲା।ସେହିପରି, ଆପତ୍ କାଳୀନ ସମୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ ରଖିବା, ଆବଶ୍ୟକ ତଥ୍ୟ ତୁରନ୍ତ ଆଦାନପ୍ରଦାନ କରିବା ଏବଂ ଜନସାଧାରଣଙ୍କୁ ସଠିକ୍ ଓ ସମୟୋପଯୋଗୀ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଜିଲ୍ଲାର ଆପତ୍ କାଳୀନ ପ୍ରସ୍ତୁତିକୁ ନିୟମିତ ଭାବେ ସମୀକ୍ଷା କରିବା ସହ ଆବଶ୍ୟକ ସ୍ଥାନରେ ମକ୍ ଡ୍ରିଲ୍ ଆୟୋଜନ କରି ବିଭାଗଗୁଡ଼ିକର ପ୍ରସ୍ତୁତି ପରୀକ୍ଷା କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଆପତ୍ କାଳୀନ ସମୟରେ କୌଣସି ବିଳମ୍ବ ନକରି ତ୍ୱରିତ ଓ ପ୍ରଭାବୀ ପଦକ୍ଷେପ ନେବା ସହ ଜିଲ୍ଲା ପ୍ରଶାସନର ସମସ୍ତ ଅଙ୍ଗ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକୁ ସମୟବଦ୍ଧ ଭାବେ କାର୍ଯ୍ୟକାରୀ କରିବା ସହ ଜିଲ୍ଲାର ଆପତ୍ କାଳୀନ ପ୍ରସ୍ତୁତିକୁ ସର୍ବଦା ସକ୍ରିୟ ଓ ସୁଦୃଢ଼ ରଖିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

