ବର୍ଷକ ଆୟ ଅପେକ୍ଷାରେ ମୃର୍ତ୍ତି କାରିଗର, ମିଳୁନି ପ୍ରୋତ୍ସାହନ ବୁଡୁଛି ବୃତ୍ତି
ଢ଼େଙ୍କାନାଳ – ପାଖେଇ ଆସିଛି ପାର୍ବଣ ଋତୁ। ଏହି ଋତୁରେ କାରିଗର ଆୟ ଋତୁ କହିଲେ ଅତ୍ୟୁକ୍ତି ହେବନାହିଁ। ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇ ମାର୍ଗଶିର ମାସର ମଣବସା ଲକ୍ଷ୍ମୀପୂଜା ଯାଏଁ ଚାଲିଥାଏ। ହେଲେ ସରକାରଙ୍କଠାରୁ ଅବଶ୍ୟକ ପ୍ରୋତ୍ସାହନ ମିଳୁନଥିବାରୁ ଏହି ବୃତ୍ତି ବୁଡ଼ିବାରେ ଲାଗିଛି। ଢ଼େଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୂର୍ତ୍ତି କାରିଗରମାନେ ନିଜ କାରିଗରଶାଳାରେ ଭଳିକି ଭଳି ଗଣେଶଙ୍କ ମାଟି ମୂର୍ତ୍ତି ତିଆରିରେ ନିମଗ୍ନ ରହିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଳକର ପ୍ରାୟ ଅଧିକାଂଶ ଅଞ୍ଚଳ ଓ ଢ଼େଙ୍କାନାଳ ସହରରେ ଥିବା ମୂର୍ତ୍ତି କାରିଗରଙ୍କ ଉପରେ ନିର୍ଭର କରିଥାନ୍ତି। ହେଲେ ପରିଶ୍ରମ ତୁଳନାରେ ସେମାନଙ୍କ ଆୟ କମ୍ ରହୁଥିବା କାରିଗରମାନେ କହିଛନ୍ତି। ପାର୍ବଣ ଋତୁ ପାଇଁ ଏବେ ଅନେକ କଳାକାର ପରିବାରମାନେ ରୋଜଗାର ଆଶାରେ ଧାରକରଜ ଆଣି ମୂର୍ତ୍ତି ତିଆରିରେ ଲାଗିଛନ୍ତି। ଖୁଦୁରୁକୁଣୀ,ଗଣେଶ ପୂଜା ପରେ ବିଶ୍ୱକର୍ମା,ଦୁର୍ଗାପୂଜା,ଲକ୍ଷ୍ମୀପୂଜା,କାଳିପୂଜା,କର୍ତ୍ତିକେଶ୍ୱର ପୂଜା ଆଦି ପୂଜା ଆସୁଛି। ବୃଦ୍ଧିରେ ଉପୁଜିଥିବା ଅସୁବିଧା ବିଷୟରେ ଢେଙ୍କାନାଳ ଜିଲ୍ଲା ଭିତରେ ଥିବା ମୂର୍ତ୍ତିକାରିଗରଙ୍କୁ ପଚାରିବାରୁ ସେ କହିଛନ୍ତି – ତାଙ୍କ ପରିବାରରେ ବାପା,ଜେଜେଙ୍କ ପରେ ସେ ମୂର୍ତ୍ତି ତିଆରି କରିବା ସହ ବିଭିନ୍ନ କାରିଗରୀକୁ ପେଶା ଭାବେ ଗ୍ରହଣ କରିଛନ୍ତି। ପୂବାପେକ୍ଷା ମୂର୍ତ୍ତି ବିକ୍ରି ବହୁଗୁଣରେ ବୃଦ୍ଧି ପାଇଛି। ହେଲେ ସେ ତୁଳନାରେ ଆୟ ହେଉନାହିଁ। କାରଣ ମାଟି,ନଡ଼ା,ଅଧିକ ଦାମରେ କିଣିବାକୁ ପଡ଼ୁଛି। ରଙ୍ଗ ସହ ବିଭିନ୍ନ ଉପକରଣ ଦାମ ଅହେତୁକ ମହଙ୍ଗା ରହିଥିବାରୁ ପରିଶ୍ରମ ଅନୁଯାୟୀ ଲାଭମିଳୁନାହିଁ। ତେଣୁ ଯୁବଗୋଷ୍ଠୀ ଏହି କଳାଠାରୁ ଦୂରେଇ ଗଲେଣି। ବହାରକୁ ଯାଇ କାମଧନ୍ଦା କରୁଛନ୍ତି। ସରକାର ମୂର୍ତ୍ତିକଳାକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ସଚେତନତା ମେଳା ଆୟୋଜନ କରୁଛନ୍ତି। ହେଲେ ରଣ ପାଇଁ ଗଲେ ବ୍ୟାଙ୍କ ବିଭିନ୍ନ କାଗଜପତ୍ର ମାଗୁଛନ୍ତି। ତେଣୁ ନା ଋଣ ମିଳୁଛି ନା ସରକାରୀ ପ୍ରୋତ୍ସାହନ ମିଳୁଛି। ସେସବୁ କେବଳ ସଚେତନତା ମେଳାରେ ସୀମିତ ବୋଲି ଅଭିଯୋଗ କରୁଛନ୍ତି। ବିଭାଗୀୟ ଅଧିକାରୀମାନେ ମୂର୍ତ୍ତି କାରିଗରଙ୍କ ନିକଟକୁ ପହଞ୍ଚି ସହାୟତା ଯୋଗାଇଦେଲେ ଆଗାମୀ ପିଢ଼ି ଏହି କଳା ପ୍ରତି ଆକୃଷ୍ଟ ହେବେ ବୋଲି ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୃର୍ତ୍ତି କାରିଗର ଦାବୀ କରିବା ସହ ଭାପୁର ଛଦେଶ ଅଞ୍ଚଳର ମୃର୍ତ୍ତି କାରିଗରମାନେ କହିଛନ୍ତି।
ପାଳ ବାଇଗଣକୁ ମିଳିବ ଜିଆଇ ଟ୍ୟାଗ
ଢେଙ୍କାନାଳ – ଢେଙ୍କାନାଳର ସୁଆଦିଆ ପାଳ ବାଇଗଣକୁ ଜିଆଇ ଟ୍ୟାଗ (ଭୌଗୋଳିକ ସୂଚକାଙ୍କ) ମାନ୍ୟତା ମିଳିବା ଆଶା ଉଜ୍ଜୀବିତ ହୋଇଛି। ପ୍ରକ୍ରିୟାର ପ୍ରାକ୍ ପରୀକ୍ଷା ସୋପାନରେ ଆବେଦନ ବିଚାରଧୀନ ରହିଥିବା ଜଣାପଡିଛି। ଓଡିଶା କୃଷି ବୈଷୟିକ ବିଶ୍ଵ ବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ପାଳ ବାଇଗଣକୁ ଜିଆଇ ଟ୍ୟାଗ ଦିଆଯିବା ନେଇ ଆନୁସଙ୍ଗିକ ଦସ୍ତାବିଜ ଓ ତଥ୍ୟ ପ୍ରଦାନ କରାଯାଇଛି। ଢେଙ୍କାନାଳର ପାଳ ବାଇଗଣ ସହିତ ରାଜ୍ୟର ଆଉ ୫ଟି ପାରମ୍ପରିକ ଖାଦ୍ୟକୁ ଜିଆଇ ଟ୍ୟାଗ ମିଳିବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ଗ୍ରାମ ପଞ୍ଚାୟତର କମଗରା ଏବଂ ସୋଗର ପଞ୍ଚାୟତର ଝଗଡପଦା ଗାଁରେ ବ୍ରାହ୍ମଣୀ ନଦୀ ପଠାରେ ବର୍ଷ ବର୍ଷ ଧରି ଏହି ସୁଆଦିଆ ପାଳ ବାଇଗଣ ଚାଷ କରିଆସୁଛନ୍ତି। ଭଜା,ତରକାରୀ ଏବଂ ପୋଡା ଭର୍ତ୍ତା ପାଇଁ ପାଳ ବାଇଗଣର ସ୍ବତନ୍ତ୍ର ପରିଚୟ ରହିଛି। ୨୦୨୫ରେ ଢେଙ୍କାନାଳ କମଗରାର ଏହି ପାଳ ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଓଡିଶା କୃଷି ବୈଷୟିକ ବିଶ୍ଵ ବିଦ୍ୟାଳୟ (ଓୟୁଏଟି) ପରିଚାଳନା ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତିଙ୍କ ପ୍ରଚେଷ୍ଠାରେ ଗବେଷଣା ଧର୍ମୀ ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ତଥ୍ୟ ଆଧାରରେ ସ୍ଥାନୀୟ ସୋଗର ଗ୍ରାମର କପିଳେଶ୍ଵର ମହାଦେବ,ଫାର୍ମର ପ୍ରଡ୍ୟୁସର,କୋ-ଅପରେଟିଭ ସୋସାଇଟି ଲିମିଟେଡ ପକ୍ଷ ପକ୍ଷରୁ ୨୦୨୬ ଜୁନ୍ ୩୦ରେ ଢେଙ୍କାନାଳର ପାଳ ବାଇଗଣକୁ ଜିଆଇ ଟ୍ୟାଗ ପାଇଁ ଚେନ୍ନାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା। ଜୁଲାଇ ୧୪ରେ ଏହାର ୨୭ଟି ପଏଣ୍ଟ ଉପରେ ତଥ୍ୟ ପ୍ରଦାନ କରାଯିବା ପରେ ପ୍ରାକ୍ ପରୀକ୍ଷା ସୋପାନରେ ଏହା ରହିଥିବା ସୂଚନା ମିଳିଛି। ଏ ସଂପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବରିଷ୍ଠ ବୈଜ୍ଞାନିକ ଶ୍ରୀ ମହାନ୍ତି କୁହନ୍ତି ଢେଙ୍କାନାଳ ପାଳ ବାଇଗଣ ଜିଆଇ ମାନ୍ୟତା ପାଇବାର ପ୍ରାୟ ଚୂଡାନ୍ତ ସୋପାନରେ ପହଞ୍ଚିଛି। ଏଥିପାଇଁ ଯାହା ଦସ୍ତାବିଜ ତାହା ପ୍ରଦାନ କରାଯାଇ ଦୃଢ ଯୁକ୍ତି ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି।
ରାସୋଳ ସରସ୍ବତୀ ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ
ଢେଙ୍କାନାଳ – ରାସୋଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ମହା ଆଡମ୍ବର ସହକାରେ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଯାଇଛି।ଏହି ଉତ୍ସବରେ ରକ୍ଷା ବନ୍ଧନ ଏବଂ ଗୋମାତାଙ୍କୁ ମଧ୍ୟ ପୂଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ କୁମାର ଚନ୍ଦ୍ର ସାହୁ ଦୀପ ପ୍ରଜ୍ବଳନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ମନୋଜ ପତି ଆଶୀର୍ବଚନ ପ୍ରଦାନ କରିଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡା ଅତିଥିମାନଙ୍କ ର ପରିଚୟ ପ୍ରଦାନ କରିଥିଲେ ଓ ସାଂସ୍କୃତିକ ପ୍ରମୁଖ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଶିଶୁ ଭଉଣୀ ମାନେ ଶିଶୁ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ଖୁସି ମନାଇ ଥିଲେ ।ଏହା ସହିତ ବିଦ୍ୟାଳୟ ରେ ଗୋ ପୂଜନ କାର୍ଯ୍ୟକ୍ରମ କୁ ଗୁରୁଜୀ ଗୁରୁମାନଙ୍କ ଦ୍ବାରା କରାଯାଇ ଥିଲା ଓ ଉକ୍ତ କାର୍ଯ୍ୟକ୍ରମ ଟି ସମସ୍ତ ଗୁରୁଜୀ ଗୁରୁମା ଏବଂ ପରିଚାଳନା କମିଟିର ସଦସ୍ଯ ମାନଙ୍କ ସହଯୋଗ ରେ ସଫଳ ହୋଇ ପାରିଥିଲା ।
ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ରକ୍ଷା ବନ୍ଧନ ଓ ଗୋପୂଜନ
କାମାକ୍ଷାନଗର – ହିନ୍ଦୁ ଜାଗରଣ ମଞ୍ଚ, ଭୁବନ ଆନୁକୂଲ୍ୟରେ ଓ ଶ୍ରୀ କାଶୀ ବିଶ୍ୱନାଥ ଚାରିଟେବୁଲ୍ ଟ୍ରଷ୍ଟ, ଛତା ମଠ ସହଯୋଗରେ ପ୍ରତିବର୍ଷ ପରି ଚଳିତବର୍ଷ ପ୍ରଭୂ ବଳଭଦ୍ରଙ୍କ ଜନ୍ମଦିନରେ ଗୋ ପୂଜନ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇ ଯାଇଛି। ହିନ୍ଦୁ ଜାଗରଣ ମଞ୍ଚ ସଂଯୋଜକ ସଦାନନ୍ଦ ନାୟକ ଙ୍କ ସଭାପତିତ୍ୱ ଓ ଶିକ୍ଷକ ବସନ୍ତ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଶୀ ବିଶ୍ୱନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁ ମୂଖ୍ୟ ଅତିଥି ,ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭୁବନର ମୂଖ୍ୟ ବ୍ରହ୍ମା କୁମାରୀ ବିଜୟା, ବାବା ରାମାନନ୍ଦ ଭାରତୀ , କାଳୀ ବଜାର ବଣିକ ସଂଘ ସଭାପତି ସମାଜସେବୀ ସୁବ୍ରତ କୁମାର ସାହୁ, ନିରଂଜନ ଗୁରୂ , ମଳୟ କୁମାର ତ୍ରିପାଠୀ ଓ ଚାଷୀ ଗଦାଧର ନାୟକ ପ୍ରମୁଖ ଉପସ୍ଥିତ ରହି ଗୋ ମାତା ର ରକ୍ଷା, ସୁରକ୍ଷା ଓ ମାନବ କଲ୍ୟାଣ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ମହିଳା ମାନଙ୍କ ଦ୍ଵାରା ୨୦୦ ରୁ ଉର୍ଦ୍ଧ୍ୱ ଗୋମାତାଙ୍କୁ ପୂଜନ କରାଯାଇ ପିଠା , କଦଳୀ ଓ ଘାସ ଖୁଆଯିବା ସହ ରକ୍ଷା ସୂତ୍ର ବନ୍ଧନ କରାଯାଇଥିଲା।
ସଂସ୍କାର ପବ୍ଲିକ୍ ସ୍କୁଲରେ ‘ନିଶାମୁକ୍ତ ଭାରତ’ ଅଭିଯାନ
କାମାକ୍ଷାନଗର- କାମାକ୍ଷାନଗର ଉପଖଣ୍ଡ ରହଣୀସ୍ଥିତ ସଂସ୍କାର ପବ୍ଲିକ୍ ସ୍କୁଲ ଓ ଖାରବେଳ ଏକାଡେମୀ ପରିସରରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ନିଶାସକ୍ତି ବିରୋଧୀ ଜନସଚେତନତା କାର୍ଯ୍ୟକ୍ରମ ‘ନିଶାମୁକ୍ତ ଭାରତ ଅଭିଯାନ’ କାମାକ୍ଷାନଗର ଥାନା ପକ୍ଷରୁ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଖଣ୍ଡର ଅତିରିକ୍ତ ଆଇଆଇସି ପୂର୍ଣ୍ଣଚନ୍ଦ୍ର ରାଉତ ଓ ସବ୍-ଇନ୍ସପେକ୍ଟର ଟି.ଏ. ଖାନ୍ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ନିଶାଦ୍ରବ୍ୟର କୁପ୍ରଭାବ, ନିଶାସକ୍ତିର ସାମାଜିକ ପରିଣାମ ଏବଂ ନିଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ସଚେତନ କରିଥିଲେ।
ଏହି ଅବସରରେ ଉଭୟ ଶିକ୍ଷାନୁଷ୍ଠାନର ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ସଂସ୍କାର ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଶାନ୍ତନୁ ଚାଟାର୍ଜୀ ଓ ଖାରବେଳ ଏକାଡେମୀର ଅଧ୍ୟକ୍ଷ ଅନିଲ କୁମାର ଜେନା ଉପସ୍ଥିତ ରହି କାମାକ୍ଷାନଗର ଥାନା ପକ୍ଷରୁ ଆୟୋଜିତ ଏହି ସଚେତନତାମୂଳକ ପଦକ୍ଷେପକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ। ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରଖି ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଏଭଳି ସଚେତନତାମୂଳକ ପଦକ୍ଷେପର ଗୁରୁତ୍ୱ ରହିଛି ବୋଲି ମତ ପ୍ରକାଶ ପାଇଥିଲା।
ବ୍ରଦର୍ସ ପ୍ରଡ଼କ୍ସନ ର ତୃତୀୟ ଅବଦାନ ‘ଶେଷ ରାକ୍ଷୀ’ ୟୁଟ୍ୟୁବ ଭିଡ଼ିଓ ଲୋକାର୍ପିତ
କାମାକ୍ଷାନଗର- କାମାକ୍ଷାନଗର ସହର ର ସାରଙ୍ଗଧର ଷ୍ଟାଡିୟମ ଅଡ଼ିଟୋରିୟମ ଠାରେ ସ୍ଥାନୀୟ ଅଞ୍ଚଳ ର ଯୁବ କଳାକାର ମାନଙ୍କ ଦ୍ୱାରା ଚିତ୍ରିତ ନୂତନ ୟୁଟ୍ୟୁବ ଭିଡ଼ିଓ ‘ଶେଷ ରାକ୍ଷୀ’ ଲୋକାର୍ପିତ ହୋଇ ଯାଇଛି l ବ୍ରଦର୍ସ ପ୍ରଡ଼କ୍ସନ ତରଫରୁ ପ୍ରଯୋଜିତ ଏହି ୟୁଟ୍ୟୁବ ଭିଡ଼ିଓ ଟି ଭାଇ ଭାଉଣୀ ଙ୍କ ଭଲପାଇବା କୁ ନେଇ ନିର୍ମାଣ କରାଯାଇଛି l ସେଥିପାଇଁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଏହାର ଲୋକାର୍ପଣ କରାଯାଇଛି l ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ଉପାଧ୍ୟକ୍ଷା ଶକୁନ୍ତଳା ସେଠୀ, କାଉନସିଲର ଶୁକଦେବ ସାହୁ, ସଞ୍ଜୟ ପରିଡା, ଅଭିମନ୍ୟୁ ପରିଡା, ବନମାଳି ରାଉଳ, ପ୍ରମୋଦ କୁମାର ଷେଣ୍ଢ, ରିତାଞ୍ଜଳୀ ନାୟକ, ରିଙ୍କି ବେହେରା, ଖୁଲଣା ବେହେରା,ପ୍ରମୁଖ ଉପସ୍ଥିତ ରହି ଭିଡ଼ିଓ କୁ ଉଦଘାଟନ କରିଥିବା ବେଳେ ଏହାକୁ ଉପଭୋଗ କରିଥିଲେ।ଏହି ଭିଡ଼ିଓ ଟି ସର୍ବସାଧାରଣ ରେ ବେଶ ପସନ୍ଦ କରାଯାଇଛି।
ଉପଖଣ୍ଡ ଚିକିତ୍ସାଳୟରେ ପରିଚାଳନାରେ ଅବ୍ୟବସ୍ଥା ନେଇ ଅସନ୍ତୋଷ
କାମାକ୍ଷାନଗର- କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ପରିଚାଳନାରେ ଅବ୍ୟବସ୍ଥା ନେଇ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି l ଉପଖଣ୍ଡ ଚିକିତ୍ସାଳୟ ଉପରେ ଉପଖଣ୍ଡର ପରଜଙ୍ଗ, କଙ୍କଡ଼ାହାଡ଼, ଭୁବନ,କାମାକ୍ଷାନଗର ସହିତ ସନ୍ନିକଟ କେଉଁଝର ଜିଲା ର ସୀମାନ୍ତବର୍ତ୍ତୀ ତେଲକୋଇ, ଯାଜପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ସୁକିନ୍ଦା କାଳିଆପାଣି ଅଞ୍ଚଳର ବହୁ ଲୋକ ନିର୍ଭର କରିଥାନ୍ତି l ଉପଖଣ୍ଡ ଚିକିତ୍ସାଳୟ ଦାୟିତ୍ୱ ରେ ଥିବା ଅଧିକାରୀ ଗତ ୨୪ ମସିହା ଜୁଲାଇ ମାସରୁ ଦାୟିତ୍ୱ ନେବା ପରଠାରୁ ପରିଚାଳନା ରେ ମନମୁଖୀ କାର୍ଯ୍ୟାଧାରା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l ଡାକ୍ତରଙ୍କ ଠାରୁ ଆରମ୍ଭ କରି ନର୍ସ ଓ କର୍ମଚାରୀମାନେ ଦୁର୍ବ୍ୟବହାର ର ଶୀକାର ହେଉଥିବା ବେଳେ ରୋଗୀମାନଙ୍କ ସଂପର୍କୀୟ ମାନେ ମଧ୍ୟ ଦୁର୍ବ୍ୟବହାର ର ଶୀକାର ହେବା ସହିତ ଶୋଷଣ ର ଶୀକାର ହେଉଛନ୍ତି l ଏପରିକି ଡାକ୍ତର ମାନଙ୍କ ର କର୍ତ୍ତବ୍ୟ ର ସମୟ ନିର୍ଘଣ୍ଟ ଏଭଳି କରାଯାଉଛି ଯେ ବହୁ ସମୟରେ ରୋଗୀମାନେ ଆସି ଧାଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି l ସନ୍ଧ୍ୟା ପରେ ମୁଖ୍ୟ ଫାଟକ ବନ୍ଦ କରି ଦେଉଥିବା ବେଳେ ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ ନିଜ କାର୍ଯ୍ୟରେ ନିୟୋଜିତ କରିବା ନେଇ ଅସନ୍ତୋଷ ଦେଖାଦେଇଛି l ଏପରିକି ଗତ ବୁଧବାର ସନ୍ଧ୍ୟାରେ କର୍ତ୍ତବ୍ୟରତ ଜନୈକ ଡାକ୍ତର ଜରୁରୀ କାଳୀନ ରୋଗୀଙ୍କୁ ଦେଖିବାକୁ ୱାର୍ଡ ଭିତରକୁ ଯାଇଥିବା ବେଳେ ଧାଡିରେ ଠିଆ ହୋଇ ରହିଥିବା ରୋଗୀ ଓ ତାଙ୍କ ସଂପର୍କୀୟମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ l ଉପଖଣ୍ଡ ଏଭଳି ଚିକିତ୍ସାଳୟରେ ମାତ୍ର ୬ ଜଣ ଡାକ୍ତର ଥିବା ବେଳେ କେତେକ ଡାକ୍ତର ମୁଖିଆଙ୍କ ଦୌରାତ୍ମ୍ୟ ନେଇ ବଦଳି ହୋଇ ଚାଲିଯାଇଥିବା ବେଳେ ଆଉ କେତେକ ଯିବାକୁ ଚେଷ୍ଟା ଜାରୀ ରଖିଥିବାର ଗୁଂଜରଣ ସୃଷ୍ଟି ହୋଇଛି l କେତେକ କର୍ମଚାରୀ ଡେପୁଟେସନ ରେ ଆସି ଏଭଳି ପରିଚାଳନା ନେଇ ନିଜ ସ୍ଥାନକୁ ଚାଲି ଗଲେଣି l ଚିକିତ୍ସାଳୟକୁ ଉପକରଣ ସହିତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ସକାଶେ ଆସୁଥିବା ଅର୍ଥ ରେ ବ୍ୟାପକ ତୋସାରପାତ ହେଉଥିବାର ଅଭିଯୋଗ ହେଉଛି l ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ସାଧାରଣରେ ଦାବି ହେଉଛି l
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

