ମଦ ବିରୋଧରେ ମହିଳାଙ୍କ ମହାସଂଗ୍ରାମ
ମିଚାଗାଁରୁ ଉଠିଲା ମଦ ବିରୋଧୀ ସ୍ବର, ଶୋଭାଯାତ୍ରା କରି ସଚେତନ ବାର୍ତା ଦେଲେ ମହିଳା
।ଜୁନାଗଡ଼,୩୧/୮(ମନୀସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଆଟି ଗାଁ ପଞ୍ଚାୟତ ଅନ୍ତର୍ଗତ ମିଚାଗାଁରେ ମଦ ବିରୋଧରେ ମହିଳାମାନେ ଆରମ୍ଭ କରିଛନ୍ତି ଅଭିଯାନ। ମଦ ଯୋଗୁଁ ପରିବାରରେ ବଢୁଥିବା ଅଶାନ୍ତି ଓ ସାମାଜିକ ଅବକ୍ଷୟକୁ ନେଇ ମହିଳାମାନେ ଏକତ୍ରିତ ହୋଇ ଶୋଭାଯାତ୍ରା କରିବା ସହ ଗାଁବାସୀଙ୍କୁ ସଚେତନ କରିଛନ୍ତି।ମହିଳାମାନଙ୍କ ଅଭିଯୋଗ ଅନୁସାରେ, ଗାଁରେ ପ୍ରାୟ ୭ଟି ମଦ କୋଠି ଚାଲିଥିବାରୁ ଏହାର ପ୍ରଭାବ ପରିବାର ଓ ଯୁବପିଢ଼ି ଉପରେ ପଡୁଛି। ମଦ୍ୟପାନ କରି ଘରକୁ ଫେରୁଥିବା କିଛି ଲୋକଙ୍କ ଯୋଗୁଁ ପରିବାରରେ ଅଶାନ୍ତି ସୃଷ୍ଟି ହେଉଥିବା ମହିଳାମାନେ କହିଛନ୍ତି।ମଦ ବ୍ୟବସାୟର ପ୍ରସାର ଯୋଗୁଁ ଯୁବଗୋଷ୍ଠୀ ଓ ଛାତ୍ରମାନେ ମଧ୍ୟ ପ୍ରଭାବିତ ହେଉଛନ୍ତି। ଗାଁରେ ମଦର ପ୍ରସାର ରୋକିବା ସହ ଅବୈଧ ମଦ ବିକ୍ରି ଉପରେ ପ୍ରଶାସନ ଓ ଅବକାରୀ ବିଭାଗ କଡ଼ା ପଦକ୍ଷେପ ନେବାକୁ ମହିଳାମାନେ ଦାବି କରିଛନ୍ତି। ଶୋଭାଯାତ୍ରା ମାଧ୍ୟମରେ ମହିଳାମାନେ ଘରେ ଘରେ ମଦ ବିରୋଧୀ ବାର୍ତ୍ତା ପହଞ୍ଚାଇବା ସହ ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି।ମଦ ବିରୋଧରେ ମିଚାଗାଁର ମହିଳାଙ୍କ ଏହି ଅଭିଯାନ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମଦର କୁପ୍ରଭାବରୁ ପରିବାର ଓ ଯୁବପିଢ଼ିକୁ ବଞ୍ଚାଇବା ପାଇଁ ଏହି ଲଢ଼େଇ କେତେଦୂର ସଫଳ ହେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

