ସାଗର କୁମାର ପରିଡ଼ାଙ୍କୁ ‘ସାହିତ୍ୟ ସାରଥୀ ସମ୍ମାନ’
ନବରଙ୍ଗପୁର:(୧୦/୦୯/୨୬)(ରବି ନାରାୟଣ ମହାନ୍ତି) ଶିକ୍ଷାବିତ୍ ତଥା ସାହିତ୍ୟିକ ସାଗର କୁମାର ପରିଡ଼ାଙ୍କୁ ‘ସାହିତ୍ୟ ସାରଥୀ ସମ୍ମାନ-୨୦୨୬’ରେ ସମ୍ମାନୀତ କରାଯାଇଛି। ଦୈନିକ ‘ଅପରାହ୍ନ’ର ରାୟଗଡ଼ା ଜିଲ୍ଲା ସାହିତ୍ୟ ଝର ପକ୍ଷରୁ ଗତ ୬ ତାରିଖରେ ଗୁଣପୁରସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ବନ୍ଧୁମିଳନ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଦୈନିକ ‘ଅପରାହ୍ନ’ର ସମ୍ପାଦକ ବଂଶୀଧର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସଞ୍ଜୀବ ମହାନ୍ତି, ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାୟଗଡ଼ା ସଂଯୋଜକ ଅଶ୍ୱିନୀ କୁମାର ତ୍ରିପାଠୀ, ବଲାଙ୍ଗୀର ସଂଯୋଜକ କଣ୍ଡୁରୀ ଚରଣ ରାଉତ, କୋରାପୁଟ ସଂଯୋଜକ ସବିତା ଶତପଥୀଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ। ଅତିଥିମାନେ ଶ୍ରୀ ପରିଡ଼ାଙ୍କୁ ସମ୍ମାନପତ୍ର ଓ ସମ୍ମାନ ସହ ‘ସାହିତ୍ୟ ସାରଥୀ ସମ୍ମାନ-୨୦୨୬’ରେ ଭୂଷିତ କରିଥିଲେ।ଶ୍ରୀ ପରିଡ଼ା ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ର ବାଗବେଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ। ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ଦୀର୍ଘଦିନ ଧରି ସକ୍ରିୟ ଥିବା ଶ୍ରୀ ପରିଡ଼ାଙ୍କର ଦୁଇଟି ପୁସ୍ତକ ପ୍ରକାଶିତ ହୋଇଛି। ସେ ବର୍ତ୍ତମାନ କବି ଜଗନ୍ନାଥ ଭାଷା ପ୍ରତିଷ୍ଠାନର ସମ୍ପାଦକ, ‘ଅର୍ଣ୍ଣବ’ ପତ୍ରିକାର ସମ୍ପାଦକ, ରାଜ୍ୟ କଳା ଗବେଷଣା ପରିଷଦର ନବରଙ୍ଗପୁର ସମ୍ପାଦକ ଏବଂ ନବରଙ୍ଗପୁର ନବନିର୍ଝରର ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ୱ ତୁଲାଉଛନ୍ତି।ପୂର୍ବରୁ ମଧ୍ୟ ସେ ବହୁ ଜାତୀୟ ଓ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ଶିକ୍ଷକତାକୁ ସେବାର ମାଧ୍ୟମ ଏବଂ ସାହିତ୍ୟକୁ ସମାଜ ସଚେତନତାର ଅସ୍ତ୍ର ଭାବେ ଗ୍ରହଣ କରି ସେ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଶିକ୍ଷା, ସାହିତ୍ୟ, ପରିବେଶ ଓ ସାମାଜିକ ସେବା କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିଆସୁଛନ୍ତି।ଏହି ସମ୍ମାନ ପାଇଁ ଶ୍ରୀ ପରିଡ଼ା ରାୟଗଡ଼ା ମାଟି ଓ ଆୟୋଜକମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ରାୟଗଡ଼ା ଜିଲ୍ଲା ସଂଯୋଜକ ଅଶ୍ୱିନୀ କୁମାର ତ୍ରିପାଠୀ, ‘ଅପରାହ୍ନ’ର ସମ୍ପାଦକ ବଂଶୀଧର ଜେନା ଓ ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସଙ୍କୁ ବିଶେଷ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ପରିଡ଼ାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

