ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲାରେ ଦ୍ୱି-ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ
ରାଉରକେଲା: ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲାଠାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ – ଉଷା ଯୋଜନା ସହଯୋଗରେ ଏକ ଦ୍ୱି-ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଯାଇଛି । ଏହି ଆଲୋଚନାଚକ୍ରର ବିଷୟବସ୍ତୁ ଥିଲା “ବଦଳୁଥିବା ବିଶ୍ୱ ବ୍ୟବସ୍ଥାରେ ଭାରତ-ଉଦୟର ଆହ୍ୱାନ ଓ ସୁଯୋଗ”। ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ହରିହର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆଲୋଚନାଚକ୍ରର ଆବାହିକା ତଥା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟା ଡଃ ଦିବ୍ୟକାନ୍ତି ବିଲୁଙ୍ଗ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଦାଶ ବିଂଶ ଶତାବ୍ଦୀରେ ଭାରତର ନେତୃତ୍ୱ ଓ ଗାରିମା ତଥା ଏଭଳି ଜାତୀୟ ଆଲୋଚନାଚକ୍ର ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ସନାତନ ପ୍ରଧାନ ବିଶ୍ୱ ମାନଚିତ୍ରରେ ଭାରତର ସ୍ଥାନ, ପ୍ରାଚୀନ ଭାରତର ସଂସ୍କୃତି, ଆଧ୍ୟାତ୍ମବାଦ, ଜ୍ଞାନ-ବିଜ୍ଞାନ କିଭଳି ବିଶ୍ୱକୁ ଦିଗଦର୍ଶନ ଦେଇଆସୁଛି ସେ ବିଷୟରେ ଆଲୋକପାତ କରିଥିଲେ। ଏକବିଂଶ ଶତାବ୍ଦୀରେ ଶୈକ୍ଷିକ, ରାଜନୈତିକ, ଅର୍ଥନୈତିକ ବ୍ୟବସ୍ଥାରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ବିଶ୍ୱସ୍ତରରେ ତୀବ୍ର ଆଲୋଡ଼ନ ସୃଷ୍ଟି କରୁଛି ବୋଲି ସେ କହିଥିଲେ।
ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଯୋଗଦେଇ ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥାରେ ଭାରତର ସ୍ଥିତି ବହୁତ ସ୍ଥିର ଓ ନେତୃତ୍ୱ ସ୍ଥାନୀୟ ବୋଲି କହିଥିଲେ। ବ୍ୟକ୍ତି ନିର୍ମାଣ ହିଁ ଦେଶ ନିର୍ମାଣ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସହ-ଆବାହକ ଶ୍ରୀ ଅର୍ଘ୍ୟଦୀପ ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞଙ୍କ ଜେଏନୟୁ ରୁ ପ୍ରଫେସର ଯଯାତି କେଶରୀ ପଟ୍ଟନାୟକ , ରେଭେନ୍ସାରୁ ପ୍ରଫେସର ନିରଞ୍ଜନ ବାରିକ, ଗୁରୁ ଘାସିଦାସ ରୁ ଡଃ ସଂଘମିତ୍ରା ପରିଡା, ପ୍ରଫେସର ରମାକୃଷ୍ଣ ପ୍ରଧାନ , ଜିଏମ ରୁ ପ୍ରଫେସର ଜ୍ଞାନରଞ୍ଜନ ସ୍ୱାଇଁ, ବ୍ରହ୍ମପୁର ରୁ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ , କଲ୍ୟାଣ ୟୁନିଭରସିଟିରୁ ପ୍ରଫେସର ଶିଳାଦିତ୍ୟ ଚକ୍ରବର୍ତ୍ତୀ ସମେତ ୧୫ରୁ ଅଧିକ ବିଶେଷଜ୍ଞ ଯୋଗ ଦେଇଥିଲେ।
ଏହି ଆଲୋଚନାଚକ୍ରରେ ମୋଟ ୪୪ଟି ଗବେଷଣା ପ୍ରବନ୍ଧ ଉପସ୍ଥାପନ ପାଇଁ ମନୋନୀତ ହୋଇଛି । ପ୍ରଥମ ବୈଷୟିକ ଅଧିବେଶନ ପ୍ରଫେସର ଯଯାତି କେଶରୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆରମ୍ଭ ହୋଇଥିଲା।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

