ରାସ୍ତା କଡରେ ଶତାଧିକ ଗଛ କଟା ମାମଲା
ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ – ବିଧାୟକ ଶ୍ରୀ ତନ୍ତୀ
ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧୫ ରୁ ସେକ୍ଟର-୧୩ ଏବଂ ୧୪ ଦେଇ ଲୁଆକେରା ଗ୍ରାମକୁ ଯାଇଥିବା ରାସ୍ତା କଡରେ ତଥା ନନ୍ଦଗାଓଁ ଗୋଶାଳା-ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ପ୍ରାଣୀ ଚିକିତ୍ସାଳୟ ମଧ୍ୟରେ ଓ ସମ୍ମୁଖ ଦେଇ ଯାଇଥିବା ମୁଖ୍ୟ ରାସ୍ତା କଡରେ ଆଜି ମଧ୍ୟାହ୍ନରେ କିଛି ଲୋକମାନେ ମିଶି ଶତାଧିକ ମୂଲ୍ୟବାନ ଗଛକୁ କାଟି ନେଇଥିବା ଜଣାପଡିଛି । ଗଛ କାଟୁଥିବା ଲୋକଙ୍କୁ ଗଛ କଟା ବାବଦରେ ସ୍ଥାନୀୟ କିଛି ବ୍ୟକ୍ତି ମାନଙ୍କ ଦ୍ୱାରା ପଚରା ଯିବାରୁ ଏଠି ଏକ ରାସ୍ତା ନିର୍ମାଣ ପାଇଁ ଗଛ କଟାଯାଉଥିବା କଥା କହିବା ସହିତ ଏହା ଜାକିର ନାମକ ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶ ଅନୁସାରେ କରାଯାଉଥିବା କଥା ସେମାନେ କହିଥିଲେ । ତେବେ ଏ ଜାକିର ଜଣକ କିଏ ? ତାଙ୍କୁ ଏଥିପାଇଁ କିଏ ଅନୁମତି ପ୍ରଦାନ କରିଛି ? ତାହା ଜଣାପଡିନାହିଁ । ତେବେ ଏ ସମ୍ବନ୍ଧରେ ଖବରପାଇ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧକ୍ଷ ଓ ଜଙ୍ଗଲ,ପରିବେଶ ଏବଂ ପ୍ରଦ୍ୟୁଷଣ ନିୟନ୍ତ୍ରଣ ପାଇଁ ଗଠିତ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ ଦୁର୍ଗା ଚରଣ ତନ୍ତୀ ରାଉରକେଲା ବନଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ସେ ଏ ସମ୍ବନ୍ଧରେ ଜାଣିନଥିବା କହିଥିଲେ ।ପରିବେଶର ସୁରକ୍ଷାରେ ଗଛର ମହତ୍ୱକୁ ହୃଦବୋଧ କରି ରାଜ୍ୟ ସରକାର ବର୍ଷ ତମାମ ହଜାର ହଜାର ବୃକ୍ଷ ରୋପଣ କରିବା ସହିତ ଏହାର ସୁରକ୍ଷା ପାଇଁ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଷ୍ଟିଲ ସିଟି ରାଉରକେଲାରେ ଏପରି ଗଛ କଟାକୁ ନେଇ ଡ଼ି ଏଫ ଓଙ୍କ ବକ୍ତବ୍ୟ ଶୁଣିବା ପରେ ବିଧାୟକ, ତଥା ଜିଲ୍ଲା ଯୋଜନା କମିଟି ର ଅଧକ୍ଷ ଶ୍ରୀତନ୍ତୀ ତୀବ୍ର ଅସନ୍ତୋଷ ପ୍ରକାଶ ଜରିବା ସହିତ ତୁରନ୍ତ ଘଟଣାର ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

