ଶ୍ରମିକଙ୍କ ୧୮ ଦଫା ଦାବିକୁ ନେଇ କୁଟୁଗାଁ ଶ୍ରୀ ଗଣେଶ ସ୍ପଞ୍ଜ କାରଖାନାରେ ଅସନ୍ତୋଷ
ଦରମା ବୃଦ୍ଧିଠାରୁ ପିଏଫ୍-ଇଏସ୍ଆଇ, ସୁରକ୍ଷା ଓ ଓଭରଟାଇମ୍ ପର୍ଯ୍ୟନ୍ତ ଦାବି; ପରିଚାଳନା ବିରୋଧରେ ଶ୍ରମିକଙ୍କ ଅସନ୍ତୋଷ ତୀବ୍ର
ଝୁମ୍ପୁରା: ଝୁମ୍ପୁରା ତହସିଲ ଅନ୍ତର୍ଗତ କୁଟୁଗାଁସ୍ଥିତ ଶ୍ରୀ ଗଣେଶ ସ୍ପଞ୍ଜ ଆଇରନ୍ ପ୍ରାଇଭେଟ୍ ଲିମିଟେଡ୍ କାରଖାନାରେ ଶ୍ରମିକ ଅସନ୍ତୋଷ ତୀବ୍ର ହୋଇଛି। ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ପୂରଣ ନେଇ ଶ୍ରୀ ଗଣେଶ ସ୍ପଞ୍ଜ ଆଇରନ୍ ମଜଦୁର ସଂଘ ପକ୍ଷରୁ କାରଖାନା ପରିଚାଳନା ନିକଟରେ ୧୮ ଦଫା ଦାବିପତ୍ର ଦିଆଯାଇଛି। ଦାବିପତ୍ରରେ ଶ୍ରମିକମାନଙ୍କ ଅଧିକାର ଓ ସୁବିଧା ନେଇ ଗୁରୁତର ପ୍ରଶ୍ନ ଉଠାଯାଇଛି।
ସଂଘର ଅଭିଯୋଗ ଅନୁଯାୟୀ, ଶ୍ରମିକଙ୍କୁ ଉପଯୁକ୍ତ ଦରମା ବୃଦ୍ଧି, ସାର୍ଟିଫାଏଡ୍ ଷ୍ଟାଣ୍ଡିଂ ଅର୍ଡର, ଗ୍ରିଭାନ୍ସ ରିଡ୍ରେସାଲ୍ କମିଟି ଗଠନ ଏବଂ ‘ପ୍ରୋଟେକ୍ଟେଡ୍ ୱର୍କମ୍ୟାନ୍’ର ମାନ୍ୟତା ଭଳି ଦାବି ରହିଛି। ଏଥିସହ ଫ୍ୟାକ୍ଟରି ଆଇନ ଅନୁଯାୟୀ ସୁବିଧା, ପିଏଫ୍ ଓ ଇଏସ୍ଆଇ ସୁବିଧା ଦେବାକୁ ମଧ୍ୟ ଦାବି କରାଯାଇଛି।
ଅନ୍ୟପକ୍ଷରେ ଓଭରଟାଇମ୍ ସୁବିଧା, ଚିକିତ୍ସା ସୁବିଧା, କାର୍ଯ୍ୟସ୍ଥଳରେ ସୁରକ୍ଷା, ୟୁନିଫର୍ମ, ଜୋତା ଓ ରେନ୍କୋଟ୍ ପ୍ରଦାନ, ଚାକିରିରେ ସ୍ଥାୟୀତ୍ୱ ଏବଂ ଜରୁରୀ ସମୟରେ ଏମର୍ଜେନ୍ସି ଆଡଭାନ୍ସ ଭଳି ଦାବି ମଧ୍ୟ ଦାବିପତ୍ରରେ ରହିଛି।
ଶ୍ରମିକଙ୍କ ଅଭିଯୋଗ ଯଦି ସତ, ତେବେ ଶ୍ରମିକଙ୍କ ଅଧିକାର ଓ ସୁବିଧାକୁ ନେଇ କାରଖାନା ପରିଚାଳନାର ଭୂମିକା ଉପରେ ଗୁରୁତର ପ୍ରଶ୍ନ ଉଠୁଛି। ୧୮ ଦଫା ଦାବି ଉପରେ ପରିଚାଳନା କେବେ ଆଲୋଚନା କରିବ ଏବଂ ଶ୍ରମିକଙ୍କ ଦାବି କେବେ ପୂରଣ ହେବ, ତାହାକୁ ନେଇ ଏବେ ଶ୍ରମିକ ମହଲରେ ଅସନ୍ତୋଷ ବଢ଼ିଛି। ଶ୍ରମିକଙ୍କ ଦାବି ନେଇ କମ୍ପାନୀ ପକ୍ଷର ପ୍ରତିକ୍ରିୟା ମିଳିପାରିନାହିଁ।
ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍

