ମାଧବ ନଗର ଶାଖା ଓ ରାଉରକେଲା କଲେଜର ଆଲୋଚନାଚକ୍ର.
ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ମହାନଗର ଅନ୍ତର୍ଗତ ମାଧବ ନଗର ଶାଖା ଓ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ନଗର ଶାଖାର ସଭାପତି ବ୍ରଜେନ୍ଦ୍ର କୁମାର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମହର୍ଷି ବାଲ୍ମିକୀ ଓ ମହାକାବ୍ୟ ରାମାୟଣର ଦୁଇଟି ଶୀର୍ଷକ ଯଥା ‘ ରତ୍ନାକରରୁ ବାଲ୍ମିକୀ- ମାନବରୁ ମହର୍ଷି’ ଓ ‘ରାମାୟଣରେ ସଂପର୍କ – ପାରିବାରିକ ଓ ମିତ୍ରତା’ ବିଷୟ ଉପରେ ଆଲୋଚନା ହୋଇଥିଲା। ଅଧ୍ୟାପକ ସୂର୍ଯ୍ୟକାନ୍ତ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବାସନ୍ତୀ ପାଠାଗାରର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଗାଳ୍ପିକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଏବଂ ବିଷୟ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଵିଶିଷ୍ଟ ଶିକ୍ଷାବିତ୍ , କବୀ ଓ ଗାଳ୍ପିକା ବିଜୟିନୀ ଜେନା ଓ ବରିଷ୍ଠ ସାମ୍ବାଦିକ, କବି କୁଞ୍ଜ ବିହାରୀ ରାଉତ। ଡ. ଜେନା ତାଙ୍କ ସଭାପତିତ୍ଵ ଅଭିଭାଷଣରେ ଜାତୀୟ ମହାକାବ୍ୟ ରାମାୟଣରେ ପ୍ରତିଫଳିତ ସାମଜିକ ବାସ୍ତବତା ତଥା ଏହାର ବୈଶିଷ୍ଟ୍ୟ ଗୁଡ଼ିକ ଉପରେ ଆଲୋଚନା କରିଥିଲେ । ବିଷୟ ବିଶେଷଜ୍ଞ ଶ୍ରୀମତୀ ଜେନା ‘ରତ୍ନାକରରୁ ବାଲ୍ମିକୀ – ମନୁଷ୍ୟରୁ ମହର୍ଷି’ ଶୀର୍ଷକ ଉପରେ ଆଲୋଚନା କରି ଦସ୍ୟୁ ରତ୍ନାକର କିପରି ମହର୍ଷି ବାଲ୍ମିକୀରେ ପରିଣତ ହେଲେ ଏବଂ ରାମାୟଣ ମହାକାବ୍ୟ ସମ୍ପର୍କିତ ବହୁ ଅନାଲୋଚିତ ତଥ୍ୟ ସମ୍ପର୍କରେ ଅବଧାରଣା ଦେଇଥିଲେ। ଅନ୍ୟତମ ବିଷୟ ବିଶେଷଜ୍ଞ ଶ୍ରୀ ରାଉତ ରାମାୟଣରେ ସମ୍ପର୍କ – ପାରିବାରିକ ଓ ମିତ୍ରତା ‘ ବିଷୟରେ ଆଲୋଚନା କରି କହିଥିଲେ ଯେ ରାମାୟଣରେ ଚିତ୍ରିତ ଆଦର୍ଶ ପିତା-ପୁତ୍ରର ସମ୍ପର୍କ , ଆଦର୍ଶ ପତି-ପତ୍ନୀର ସମ୍ପର୍କ ଓ ଆଦର୍ଶ ଭାତୃ ସମ୍ପର୍କ ତଥା ରାମାୟଣରେ ଗଢ଼ା ହୋଇଥିବା ଆଦର୍ଶ ମିତ୍ରତା ସ୍ଥାପନ ସାମ୍ପ୍ରତିକ ସମୟର ମାନବ ସମାଜ ନିମନ୍ତେ ଅତ୍ୟନ୍ତ ଜରୁରୀ। ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ପ୍ରଚୀନ ପୁରାଣ ପରମ୍ପରାରେ ରାମାୟଣର ସ୍ଥାନ ନିରୂପଣ କରିବା ସହ ଉତ୍ସାହପୂର୍ଣ୍ଣ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ପର୍ଯ୍ୟାୟ ଶେଷରେ ଗଙ୍ଗାଧର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ‘ତମସୋ ମା ଜ୍ୟୋତିର୍ଗମୟ’ ଶୀର୍ଷକରେ କବିତା ଆବୃତ୍ତି ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ପର୍ବରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ କବୀ ନିରୁପମା ପତି ଓ ସଂଯୋଜକ ଭାବେ ଥିଲେ ଅଧ୍ୟାପକ ପ୍ରୀତମ ସାମଲ ଓ କବୀ କ୍ଷୀରେଶ୍ୱରୀ କିଷାନ । ଏହି ଅଧିବେଶନରେ ସୁସ୍ମିତା ମହାପାତ୍ର, ସୁମନ୍ତ ଉପାଧ୍ୟାୟ, ବିଜୟିନୀ ଜେନା, ଗଙ୍ଗାଧର ପଣ୍ଡା , କୁଞ୍ଜବିହାରୀ ରାଉତ,କ୍ଷୀରେଶ୍ବରୀ କିଷାନ ସମେତ ରାଉରକେଲାର ବହୁ କବି କବିତା ଆବୃତ୍ତି କରିଥିଲେ। ଏହି ସଭାରେ ସାହିତ୍ୟ ପରିଷଦର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ସଂଗଠକ ଜଗନ୍ନାଥ ରାଉତ, କଣ୍ଠଶିଳ୍ପୀ ପ୍ରଦୀପ୍ତ ପଣ୍ଡା, ଆଶୁତୋଷ ଜ୍ୟୋତିଷୀଙ୍କ ସମେତ ରାଜଶ୍ରୀ ରାଉତିଆ, ବବି ଏକ୍କା, ଦୁର୍ଗେଶ୍ୱରୀ ନାଗ, ଆମିଶା ବାର୍ଲା, ବିନ୍ଦିଆ ସିଂ, ପିଙ୍କି ବାର୍ଲା , ବିନୀତା ବାର୍ଲା ପ୍ରମୁଖ ବହୁ ଛାତ୍ର-ଛାତ୍ରୀ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ସୁମନ୍ତ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

