ରାୟଗଡ: ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ, ରାୟଗଡ ଜିଲ୍ଲାର ସଭାପତି ଦୟାନନ୍ଦ ଖାଡ଼ାଙ୍ଗାଙ୍କ ନେତୃତ୍ବରେ ସାମ୍ବାଦିକଙ୍କ ନ୍ୟାଯ୍ୟ ଅଧିକାର ନେଇ ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଅନେକ ହିତକର ଯୋଜନା ମାନ ଲାଗୁ କରିଛନ୍ତି । କିନ୍ତୁ ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଦ୍ଵାରା କରାଯାଉଥିବା ମୌଳିକ ଦାବୀ ଗୁଡ଼ିକୁ ପୂରଣ କରିବାରେ ଅବହେଳା କରୁଥିବା ଅତି ଦୁଃଖ ଓ ପରିତାପର ବିଷୟ । ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ ଦୁର୍ନୀତି ମୂଳକ ସମ୍ବାଦ ପରିବେଷଣ କରି ଦୁର୍ନୀତିଖୋର ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଯାଦ୍ଵାରା ସେମାନେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ନିକଟ ଭବିଷ୍ୟତରେ ଛତିଶଗଡ଼ ସରକାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିଛନ୍ତି । ଯାହା ଫଳରେ ସାମ୍ୱାଦିକ ମାନେ ଲୋକଙ୍କ ସମସ୍ୟା ଓ ହେଉଥିବା ଦୁର୍ନୀତିକୁ ଲୋକ ଲୋଚନକୁ ଆଣିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସହାୟକ ହୋଇପାରିବ । ଓଡ଼ିଶା ସରକାର ମଧ୍ଯ ସାମ୍ୱାଦିକ ସୁରକ୍ଷା ଆଇନ ଲାଗୁ କରିବା ନିହାତି ଆବଶ୍ୟକ ରହିଛି । ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଲା ୭ ଦଫା ସମ୍ବଳିତ ଏକ ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ପ୍ରଦାନ କରିଛି । କରାଯାଇଥିବା ଉକ୍ତ ଦାବୀ ଗୁଡ଼ିକ ମଧ୍ୟରେ, ସରକାରଙ୍କ ଦ୍ଵାରା ପ୍ରଦତ୍ତ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି କରିବା, ସ୍ବାସ୍ଥ୍ୟ ବୀମା ପାଇଥିବା ସାମ୍ୱାଦିକ ମାନଙ୍କ ଯାତାୟାତ ନିମନ୍ତେ ରେଳ ପାସ ଓ ବସ ପାସ ପ୍ରଦାନ କରିବା, ବୀମା ପାଇଥିବା ସାମ୍ୱାଦିକଙ୍କୁ ସରକାରୀ ଅଧିସ୍ବୀକୃତି ପ୍ରଦାନ କରିବା, ସାମ୍ବାଦିକଙ୍କ ଅବସର ପରେ ଜୀବନବ୍ୟାପୀ ପେନସନ ଲାଗୁ କରିବା, ସାମ୍ବାଦିକଙ୍କ ପାଇଁ ସୁରକ୍ଷା ନିମନ୍ତେ ସୁରକ୍ଷା ଆଇନ ଲାଗୁ କରିବା, ଇତ୍ୟାଦି ଦାବୀ ଉଲ୍ଲେଖ କରାଯାଇଛି । ଉକ୍ତ ସ୍ମାରକପତ୍ର ପ୍ରଦାନ ସମୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ରାୟଗଡ ଜିଲ୍ଳାର ଉପ ସଭାପତି ଶ୍ରୀନିବାସ ବଳିଆର ସିଂ, ସମ୍ପାଦକ ମନୋଜ କୁମାର ସାହୁ ଓ ଉପଦେଷ୍ଟା ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
next post