‘ଉଲ୍ଲାସ’ରେ ରହିଛି ଜୀବନ ବଂଚିବାର କୌଶଳ: ସ୍ୱେଛାସେବି ସସ୍ମିତା
ରାଇରଙ୍ଗପୁର – ତା ୨୧/୦୯ ; ୧୮ବର୍ଷ ବୟସରୁ ଉର୍ଦ୍ଧ୍ୱ ନୀରକ୍ଷର ବ୍ୟକ୍ତି ମାନଙ୍କୁ ସାକ୍ଷର କରି ଦେଶ ଗଠନରେ ସାମିଲ କରିବା ଉଦେଶ୍ୟରେ ସରକାରଙ୍କ ତରଫରୁ ସମଗ୍ର ରାଜ୍ୟରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ ଚାଲିଛି । ଏହାଦ୍ୱାରା ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ବିଷୟରେ ସମସ୍ତଙ୍କୁ ଅବଗତ କରାଯାଉଛି । ଏହାକୁ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ବୋଲି କୁହାଯାଉଛି । ଏହି ନୀରକ୍ଷର ବ୍ୟକ୍ତି ବିଶେଷଙ୍କର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ ପରୀକ୍ଷା ମଧ୍ୟ କରାଯାଉଛି । ଏହି ଅବସରରେ ଉଦଳା ବ୍ଲକର ଖଲାଡ଼ି ପଂଚାୟତ ଅନ୍ତର୍ଗତ ଦୁତିକାଦେଈପୁର ଗ୍ରାମସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସାଧାରଣସଭା ଓ ଲିଖିତ ପରୀକ୍ଷାର ପର୍ବ ଅନୁଷ୍ଠିତ ହୋଇ ଯାଇଛି । ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେଶଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ଏହା ନୁଆ କାର୍ଯ୍ୟକ୍ରମ ନୁହେଁ, ବହୁ ପୁର୍ବରୁ ଏହା ଚାଲିଥିବା ବେଳେ ପ୍ରୌଢ଼ ଶିକ୍ଷା ନାମରେ ପରିଚିତ ଥିଲା ବୋଲି ବ୍ୟକ୍ତ କରିଥିଲେ । ଉଦଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବ୍ରତ କିସ୍କୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସରକାରଙ୍କର ‘ଉଲ୍ଲାସ’ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏଠାରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ୱେଛାସେବି ଓ ଗ୍ରାମବାସୀ ମାନେ ମିଳିମିଶି ଯେଉଁଭଳି ଉଦ୍ୟମ ଜାରି ରଖିଛନ୍ତି ଏହାକୁ ଭୁୟସୀ ପ୍ରଶଂସା କରିଥିଲେ । ଲୋକସଂଗଠନ ଜନଜାଗୃତି ମଂଚର ଉର୍ମି ଲିଡ଼ର ସସ୍ମିତା ମଢ଼େଇ ଜଣେ ସ୍ୱେଛାସେବି ଭାବରେ ଯୋଗଦେଇ ‘ଉଲ୍ଲାସ’ କାର୍ଯ୍ୟକ୍ରମରେ କିପରି ଜୀବନ ବଂଚିବାର କୌଶଳ ପୁରି ରହିଛି ବ୍ୟକ୍ତ କରିଥିଲେ । ପରେ ସମସ୍ତଙ୍କ ପାଇଁ ଶିକ୍ଷା ଆନ୍ଦୋଳନକୁ ଆଗେଇନେବା ଉଦେଶ୍ୟରେ ଆତ୍ମାକ୍ତି ଟ୍ରଷ୍ଟ, ମନ୍ତ୍ରା ଫର ଚେଂଜ ଓ ଶିକ୍ଷାଗ୍ରହ ମିଳିତ ଭାବରେ ମୟୂରଭଂଜ ସମେତ ଓଡ଼ିଶାର ୧୦ଗୋଟି ଜିଲ୍ଲାରେ ଶିକ୍ଷା ଚୌପାଲ କାର୍ଯ୍ୟକ୍ରମ କିପରି ଆରମ୍ଭ କରିଛନ୍ତି ବିସ୍ତୃତ ବର୍ଣ୍ଣନା କରିଥିଲେ । ମୟୂରଭଂଜର ୩ଗୋଟି ବ୍ଲକ- (କପ୍ତିପଦା, ଉଦଳା, ଖୁଂଟା) ଠାରେ ୬ଜଣ ଉର୍ମି ଲିଡ଼ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆଜି ସେପ୍ଟେମ୍ବର ୨୦ ତାରିଖ ଶନିବାରର ଠାରୁ ଆରମ୍ଭ ହୋିଛି ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ମୋଟ ୧୨୦ଟି ଗ୍ରାମରେ ଶିକ୍ଷା ଚୌପାଲର ପର୍ବ ଅନୁଷ୍ଠିତ ହେବ ବୋଲି ଜଣାଇଥିଲେ । ଏହାପରେ ଲିଖିତ ପରୀକ୍ଷା ଆରମ୍ଭ ହୋଇଥିଲା । ଶିକ୍ଷୟିତ୍ରୀ ରାଇମାତ ମାର୍ଣ୍ଡି ଓ ସ୍ୱେଛାସେବି ରବିନ୍ଦ୍ର ଖଣ୍ଡେଇଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନେ ଆଜିର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।
ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

