ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଂଗିପୁଟ–ରପ୍ପା ରାସ୍ତା ଶୋଚନୀୟ ୨୫୦୦ରୁ ଅଧିକ ଲୋକଙ୍କ ଜୀବନ ଦୁର୍ଦଶାରେ — ଆମ୍ବୁଲାନ୍ସ ପହଞ୍ଚିବା ବି କଷ୍ଟକର, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ?

ସିଂଗିପୁଟ–ରପ୍ପା ରାସ୍ତା ଶୋଚନୀୟ

୨୫୦୦ରୁ ଅଧିକ ଲୋକଙ୍କ ଜୀବନ ଦୁର୍ଦଶାରେ — ଆମ୍ବୁଲାନ୍ସ ପହଞ୍ଚିବା ବି କଷ୍ଟକର, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ?

ରାୟଗଡ଼ା: ରାୟଗଡ଼ା ବ୍ଲକ ଅନ୍ତର୍ଗତ ତାଡ଼ମା ପଞ୍ଚାୟତର ସିଂଗିପୁଟ ଗାଁରୁ ରପ୍ପା ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରପ୍ପା, ଲୁହାଖାଲ, ଚକ୍ରପାଦୁ, ଗୋଡ଼ପା ସମେତ ଆଖପାଖର ଅନେକ ଗାଁର ପ୍ରାୟ ୨୫୦୦ରୁ ଅଧିକ ଲୋକଙ୍କ ପାଇଁ ରାୟଗଡ଼ା ସହରକୁ ଯାତାୟାତର ଏହା ଏକମାତ୍ର ପ୍ରମୁଖ ରାସ୍ତା। ହେଲେ ରାସ୍ତାର ଦୁରବସ୍ଥା ଯୋଗୁଁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ହୋଇଥିବା ବେଳେ ବର୍ଷା ଦିନରେ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ୁଛି। କାଦୁଅ ଓ ପାଣି ଭର୍ତ୍ତି ରାସ୍ତାରେ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ କରିବା ମଧ୍ୟ ବିପଦପୂର୍ଣ୍ଣ ହୋଇପଡ଼ୁଛି। ଫଳରେ ଦୈନନ୍ଦିନ ଜୀବନଯାପନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟିକ କାର୍ଯ୍ୟ ପାଇଁ ରାୟଗଡ଼ା ଆସୁଥିବା ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି।

ଗର୍ଭବତୀ ମହିଳାଙ୍କ ଦୁର୍ଦ୍ଦଶା ଅବର୍ଣ୍ଣନୀୟ

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ନେଇ ଯାତାୟାତ। ରାସ୍ତାର ଦୁରବସ୍ଥା ଯୋଗୁଁ ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁ ପର୍ଯ୍ୟନ୍ତ ପହଞ୍ଚିବା କଷ୍ଟକର ହୋଇପଡ଼ୁଛି। ଫଳରେ ରୋଗୀଙ୍କୁ ଅନେକ ସମୟରେ ଦୁର୍ଗମ ରାସ୍ତା ଦେଇ ଅନ୍ୟ ଯାନରେ ମୁଖ୍ୟ ସଡ଼କ ପର୍ଯ୍ୟନ୍ତ ନେବାକୁ ପଡ଼ୁଥିବା ଅଭିଯୋଗ ହେଉଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରାୟଗଡ଼ା ସହର ସହିତ ଏହି ଅଞ୍ଚଳର ଲୋକଙ୍କ ଜୀବନଯାପନର ଗଭୀର ସମ୍ପର୍କ ରହିଛି। ଚିକିତ୍ସା, ଶିକ୍ଷା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ କିଣାକିଣିଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପାଇଁ ସେମାନଙ୍କୁ ରାୟଗଡ଼ା ଉପରେ ନିର୍ଭର କରିବାକୁ ପଡ଼େ। ମାତ୍ର ରାସ୍ତାର ଅବସ୍ଥା ଯୋଗୁଁ ଏହି ଯାତାୟାତ ଏବେ ସେମାନଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି।

‘ପାଷାଣ ଯୁଗରେ’ ଜୀବନ କାଟୁଛନ୍ତି ଗ୍ରାମବାସୀ

ବିକାଶର ଯୁଗରେ ମଧ୍ୟ ରାସ୍ତା ଭଳି ମୌଳିକ ଭିତ୍ତିଭୂମିରୁ ବଞ୍ଚିତ ହୋଇ ଏହି ଅଞ୍ଚଳର ଲୋକେ ଯେପରି ‘ପାଷାଣ ଯୁଗରେ’ ଜୀବନ ବିତାଉଛନ୍ତି ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ବର୍ଷ ବର୍ଷ ଧରି ରାସ୍ତାର ଉନ୍ନତିକରଣ ଦାବି ହୋଇଆସୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।ଗ୍ରାମବାସୀ ଏହି ରାସ୍ତାର ତୁରନ୍ତ ମରାମତି ସହିତ ଏହାର ସ୍ଥାୟୀ ଉନ୍ନତିକରଣ ପାଇଁ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଘଟଣାରେ ହସ୍ତକ୍ଷେପ କରି ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ସହ ତୁରନ୍ତ ପଦକ୍ଷେପ ନେଉ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି। ନଚେତ୍ ଆଗାମୀ ଦିନରେ ଏହି ଦୁର୍ଗମ ରାସ୍ତା ଯୋଗୁଁ କୌଣସି ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ଘଟିଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟ ପାଠ ପଢାରୁ ପ୍ରେମ, ପ୍ରେମୀ ଯୁଗଳ ହେଲେ ମନ୍ଦିରରେ ବିବାହ, କେଉଁ କାରଣ ଯୋଗୁଁ ଝିଅ ରହିଛି ସଖି ଗୃହରେ 

masiha

ଲଡ଼ାଙ୍ଗଠାରେ ୭୫ତମ ବନ ମହୋତ୍ସବ ପାଳିତ

masiha

ଓ ଏସ ଇ ବି ଏମ୍ପୋଇଜ ୟୁନିୟନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରେ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ

masiha

Leave a Comment

error: Content is protected !!