ରାୟଗଡା: କାହା ସ୍ୱାର୍ଥରେ ‘ସମଗ୍ର ଶିକ୍ଷା’?
ଫାଇଲ୍ ତଳେ କୋଟି କୋଟିର ଯୋଜନା!
ଅନ୍ଧାର, ଅସୁରକ୍ଷିତ ଓ ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ପିଲା
ରାୟଗଡ଼ା: ଫାଇଲ ମଧ୍ୟରେ ସିମିତ କୋଟି କୋଟିର ଯୋଜନା, ହେଲେ ଆଜି ବି ଅନ୍ଧାର ଓ ଅସୁରକ୍ଷିତ ରାୟଗଡା ର ସରକାରୀ ବିଦ୍ୟାଳୟ ର ସ୍ଥିତି I ଆଜି ମଧ୍ୟ ଜିଲ୍ଲାର ୧,୨୨୮ଟି ବିଦ୍ୟାଳୟରେ ପାଚେରୀ ନାହିଁ, ୧୬୭ଟି ବିଦ୍ୟାଳୟରେ କାର୍ଯ୍ୟକ୍ଷମ ବାଳିକା ଶୌଚାଳୟ ଏବଂ ୧୨୪ଟି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ I ଜିଲ୍ଲା ରେ ଶିକ୍ଷା ଭିତ୍ତିଭୂମି ବିକାଶ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି।
ଏହି କ୍ରମ ରେ ବିଷମକଟକ ନିର୍ବାଚନ ମଣ୍ଡଳୀର ସ୍ଥିତି ମଧ୍ୟ ଚିନ୍ତା ଜନକ I ବିଗତ ପାଞ୍ଚ ବର୍ଷ ମଧ୍ୟରେ ‘ସମଗ୍ର ଶିକ୍ଷା’ ଯୋଜନାରେ ବିଷମକଟକ ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକ ପାଇଁ ମୋଟ ୧,୦୪୧ଟି ପ୍ରକଳ୍ପ ମଞ୍ଜୁର ହୋଇଥିଲା I ଏଥି ନିମନ୍ତେ ୩୦.୬୭ କୋଟି ଟଙ୍କା ର ବ୍ୟୟ ବରାଦ ମଧ୍ୟ କରାଯାଇଥିଲା। ତେଵେ ଆର୍ଥିକ ବର୍ଷ ୨୦୨୫-୨୬ ସୁଦ୍ଧା ଏଥିରୁ ମୋଟ ଖର୍ଚ୍ଚ ୯. ୯୬ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଥିବା ଜଣାପଡିଛି I ଅର୍ଥାତ୍ ମୋଟ ଅନୁଦାନର ସିଂହ ଭାଗ ଟଙ୍କା କାଗଜପତ୍ର, ପ୍ରାରମ୍ଭିକ ସ୍ତର କିମ୍ବା ଆଦୌ କାମ ଆରମ୍ଭ ନ ହୋଇ ବର୍ଷ ବର୍ଷ ଧରି ଅଟକି ରହିଥିବା ଜଣାପଡିଛି। ଏଥିରେ ବିଭନ୍ନ ବ୍ଲକ ସ୍ଥିତ ବିଦ୍ୟାଳୟ ଗୁଡିକ ନିମନ୍ତେ ୪୦୪ଟି ବିଦ୍ୟୁତୀକରଣ ଓ ୩୬୬ଟି ଶୌଚାଳୟ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ସବୁ ମଞ୍ଜୁର ସତ୍ତ୍ୱେ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ଅଧପନ୍ତରିଆ ଓ କାଗଜପତ୍ରରେ ସୀମିତ I ଯେଉଁଥିପାଇଁ କୋମଳମତି ଆଦିବାସୀ ଛାତ୍ରଛାତ୍ରୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି I
ପ୍ରକାଶ ଥାଉକି ବିଷମକଟକ ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ର ସମୁଦାୟ ୪୭୯ଟି ବିଦ୍ୟାଳୟ ଏବେ ବି ସୁରକ୍ଷା ବଳୟ ବାହାରେ ରହିଛି I ଯେଉଁଥିରେ ବିଷମକଟକର ୧୫୧ ଟି, ମୁନିଗୁଡ଼ାରେ ୧୨୧, କଲ୍ୟାଣସିଂହପୁରରେ ୧୧୧, କୋଳନାରାରେ ୯୬ ଟି ବିଦ୍ୟାଳୟ ସୁରକ୍ଷା ବଳୟ ବାହାରେ ରହିଛି। ସେହିପରି ନିର୍ବାଚନ ମଣ୍ଡଳୀ ମଧ୍ୟରେ ବାଳକ, ବାଳିକା ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୩୬୬ଟି ଶୌଚାଳୟ ପ୍ରକଳ୍ପ ବ୍ୟୟବରାଦ ରେ ପ୍ରାୟ ₹୮.୬୨ କୋଟି ମଞ୍ଜୁର ହୋଇଥିଲା। କିନ୍ତୁ ଅଧିକାଂଶ କାମ କେବଳ ପ୍ରାରମ୍ଭିକ କିମ୍ବା ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବାରୁ ଏବେ ବି ମୁନିଗୁଡ଼ାର ୨୪ଟି, କଲ୍ୟାଣସିଂହପୁର ର ୨୦ଟି, କୋଳନରା ର ୦୬ ଏବଂ ବିଷମକଟକରେ ୦୯ଟି ବିଦ୍ୟାଳୟ ରେ ବାଳିକା ମାନଙ୍କ ପାଇଁ କାର୍ଯ୍ୟକ୍ଷମ ଶୌଚାଳୟ ନାହିଁ I ଏହାର ପ୍ରଭାବ ରେ କିଶୋରୀ ଛାତ୍ରୀମାନେ ଅତ୍ୟନ୍ତ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେଉଥିବା ଆଦିବାସୀ ନେତ୍ରୀ ଡିଞ୍ଜୋ ଜାକାଶିକା ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତୀକରଣ ବାବଦରେ ୪୦୪ଟି ପ୍ରକଳ୍ପ ପାଇଁ ₹୧.୬୩ କୋଟିରୁ ଊର୍ଦ୍ଧ୍ୱ ପାଣ୍ଠି ମଞ୍ଜୁର ହୋଇଥିବା ବେଳେ କଲ୍ୟାଣସିଂହପୁରର ୧୩ଟି, ବିଷମକଟକର ୧୧ଟି, ମୁନିଗୁଡା ର ୮ଟି ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ମଧ୍ୟ ହୋଇପାରି ନାହିଁ I
ସେହିପରି କୋଲନରା ବ୍ଲକରେ ୨୦୨୨-୨୩ ବର୍ଷରେ ୯୭ଟି ବିଦ୍ୟୁତୀକରଣ କାମ ପାଇଁ ଅନୁଦାନ ଆସିଥିଲେ ମଧ୍ୟ ଅଧିକାଂଶ ବିଦ୍ୟାଳୟ ରେ କାମ ଠପ ହୋଇଥିବା ଅଭିଯୋଗ ହେଉଛି I
ତେଵେ ଏହି ସବୁ ବିଭାଗୀୟ ତଥ୍ୟ ହୋଇଥିବା ହେତୁ ଏହାର ବିଶ୍ୱନିୟତା ନେଇ ପ୍ରଶ୍ନ ଉଠାଇଛନ୍ତି ରାୟଗଡା ବସପା ସଭାପତି ପୂର୍ଣ୍ଣଚନ୍ଦ୍ର ଟାକ୍ରୀ I ବିଭାଗ ପ୍ରକାଶ କରୁଥିବା ତଥ୍ୟ ଏବଂ ବାସ୍ତବତା ମଧ୍ୟରେ ଆକାଶ ପାତାଳ ର ଫରକ ଥିବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି I ତେଵେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମଗ୍ର ଶିକ୍ଷା ବିଭାଗ ର ବୈଷୟିକ ପରାମର୍ଶଦାତା ମାନଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ ସବୁ କରାଯାଉଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସେଗୁଡିକ ର ଅଗ୍ରଗତି ଶୋଚନୀୟ ରହିଛି I
ପ୍ରଶାସନିକ ତଦାରଖ ବ୍ୟବସ୍ଥା ରେ ସୁଧାର ସହ ସମ୍ପୃକ୍ତ ଅଧିକାରୀ ମାନେ ଅଧିକ ଯତ୍ନବାନ ହେବା ପାଇଁ ବହୁଜନ ସମାଜ ପାର୍ଟି ର ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ ଅନୁରୋଧ କରିଛନ୍ତି I ହେଲେ ବିଷମକଟକ ବ୍ଲକ ର କେଉଁ କେଉଁ ବିଦ୍ୟାଳୟ ମଧ୍ୟରେ ଶୌଚାଳୟ, ପାଚେରୀ ଏବଂ ବିଦ୍ୟୁତ ସରବରାହ ବ୍ୟବସ୍ଥା ଉପଲବ୍ଧ ନାହିଁ ସେ ନେଇ ବିଷମକଟକ ବିଡିଓ ଶିବ ପଟନାୟକ ଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ I ତେଵେ ବିଷମକଟକ ନିର୍ବାଚନ ମଣ୍ଡଳୀର ଶିକ୍ଷା ଭିତ୍ତିଭୂମି ବିକାଶ ନିମନ୍ତେ ବିଡ଼ିଓ ଏବଂ ବିଭାଗୀୟ ଅଧିକାରୀ ମାନେ ତଦାରଖ ଓ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ କେତେ ତତ୍ପରତା ଦେଖାଉଛନ୍ତି ତହା ପ୍ରତି ସମସ୍ତ ଙ୍କ ନଜର ରହିଛି I
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

