କଳାହାଣ୍ଡିରେ “ମାଇ ଭାରତ” ଜିଲ୍ଲା ପରାମର୍ଶଦାତା କମିଟି ବୈଠକ, ଯୁବବର୍ଗ ଙ୍କୁ ନେଇ ପ୍ରସ୍ତୁତ ହେବ କାର୍ଯ୍ୟଯୋଜନା
ଭବାନୀପାଟଣା ତା ୨୫.୯.୨୦୨୬:କଳାହାଣ୍ଡି ଜିଲ୍ଲାରେ “ମାଇ ଭାରତ”ର ବିଭିନ୍ନ ଯୁବ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା, ଯୁବକମାନଙ୍କ ଅଂଶଗ୍ରହଣ ବଢ଼ାଇବା ଏବଂ ଆଗାମୀ କାର୍ଯ୍ୟକ୍ରମର ସୁଚାରୁ ରୂପାୟଣ ନେଇ ମାଇ ଭାରତ କଳାହାଣ୍ଡି ଜିଲ୍ଲା ପରାମର୍ଶଦାତା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା କମିଟିର ଅଧ୍ୟକ୍ଷ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତା କରିଥିଲେ। ମାଇ ଭାରତ କଳାହାଣ୍ଡିର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ଏଜେଣ୍ଡା ଅନୁଯାୟୀ ବୈଠକର ବିଭିନ୍ନ ବିଷୟ ଉପସ୍ଥାପନ କରିଥିଲେ। ବୈଠକ ଆରମ୍ଭରେ ପୂର୍ବତନ ଜିଲ୍ଲା ପରାମର୍ଶଦାତା କମିଟି ବୈଠକର କାର୍ଯ୍ୟବିବରଣୀର ଅନୁମୋଦନ କରାଯିବା ସହ ପୂର୍ବ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ ତାହାର କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଥିଲା। ଏହାପରେ ଜିଲ୍ଲାରେ ମାଇ ଭାରତ ଯୁବ ପଞ୍ଜୀକରଣର ସ୍ଥିତି ଏବଂ ଅଧିକ ଯୁବକ-ଯୁବତୀଙ୍କୁ ମାଇ ଭାରତ ସହିତ ଯୋଡ଼ିବା ପାଇଁ ରଣନୀତି ଉପରେ ଆଲୋଚନା ହୋଇଥିଲା। ମହାବିଦ୍ୟାଳୟ, ବିଦ୍ୟାଳୟ, ଯୁବ କ୍ଲବ, ଜାତୀୟ ସେବା ଯୋଜନା, ନେହେରୁ ଯୁବ କେନ୍ଦ୍ର ସଂଗଠନ ଏବଂ ଅନ୍ୟାନ୍ୟ ଯୁବ ସମ୍ବନ୍ଧୀୟ ଅନୁଷ୍ଠାନ ମାଧ୍ୟମରେ ମାଇ ଭାରତର କାର୍ଯ୍ୟକ୍ରମଗୁଡ଼ିକର ପ୍ରଚାର-ପ୍ରସାର କରିବା ଏବଂ ଯୁବକମାନଙ୍କୁ ଅଧିକ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ, ବିକଶିତ ଭାରତ ଯୁବ ସଂଯୋଗ, ଯୁବ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ, ସଚେତନତା ଅଭିଯାନ ଓ ସମୁଦାୟ ସେବା କାର୍ଯ୍ୟକ୍ରମର ଯୋଜନା ଓ ରୂପାୟନ ନେଇ ଆଲୋଚନା କରାଯାଇଥିଲା। ଏଥିସହିତ ମାଇ ଭାରତ କାର୍ଯ୍ୟକ୍ରମର ପ୍ରଚାର ପାଇଁ ନୋଡାଲ ଅଧିକାରୀ ଓ ନୋଡାଲ ରାଷ୍ଟ୍ରଦୂତଙ୍କ ଚିହ୍ନଟ, ବିଭିନ୍ନ ସରକାରୀ ବିଭାଗ ଓ ଶିକ୍ଷାନୁଷ୍ଠାନ ସହ ସମନ୍ୱୟ ଏବଂ ଯୁବ କାର୍ଯ୍ୟକ୍ରମର ପ୍ରଭାବୀ ରୂପାୟଣ ଉପରେ ଆଲୋଚନା ହୋଇଥିଲା। ଯୁବମାନଙ୍କୁ ସ୍ୱଚ୍ଛତା ଅଭିଯାନ, ସଚେତନତା ଅଭିଯାନ, ପରିବେଶ ସୁରକ୍ଷା, ସାମାଜିକ ଓ ସମୁଦାୟ ବିକାଶମୂଳକ କାର୍ଯ୍ୟ ଏବଂ ନାଗରିକ ସହଭାଗିତାରେ ଅଧିକ ସକ୍ରିୟ କରିବା ନେଇ ମଧ୍ୟ ମତବିନିମୟ କରାଯାଇଥିଲା। ଆଗାମୀ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା ପ୍ରସ୍ତୁତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଭବାନୀପାଟଣା ତହସିଲଦାର କ୍ଷୀରୋଦ ନାଗ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଜାତୀୟ ସେବା ଯୋଜନାର ନୋଡାଲ ଅଧିକାରୀ ଜୟନ୍ତ କୁମାର ଦଣ୍ଡସେନା, ଜିଲ୍ଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସନାତନ ମହାରଣା, ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ୱିଲିୟମ ରାକେଶ କ୍ରୁପ୍, ମାଇ ଭାରତ ଯୁବ ନେତା ସମ୍ଭୁ ବିଶି, ମାଇ ଭାରତର ସହକାରୀ ପ୍ରକଳ୍ପ ଅଧିକାରୀ ଦୁତିଆ ବାଞ୍ଛୋରଙ୍କ ସମେତ
ସମ୍ପୃକ୍ତ ଅଧିକାରୀ ଓ ସଦସ୍ୟମାନେ ଯୋଗଦେଇଥିଲେ। ବୈଠକର ଶେଷରେ “ନିଶାମୁକ୍ତ ଯୁବା” ଅଭିଯାନ ଅଧୀନରେ ଉପସ୍ଥିତ ସମସ୍ତେ ନିଶାଠାରୁ ଦୂରେଇ ରହିବା, ଅନ୍ୟମାନଙ୍କୁ ନିଶାରୁ ଦୂରେଇ ରହିବା ପାଇଁ ସଚେତନ କରିବା ଏବଂ ସୁସ୍ଥ, ସଚେତନ ଓ ଦାୟିତ୍ୱବାନ ଯୁବ ସମାଜ ଗଠନ ପାଇଁ ନିଶାମୁକ୍ତ ଯୁବ ଶପଥ ଗ୍ରହଣ କରିଥିଲେ।

