ଫକୀରମୋହନ ପଠନଶାଳା ପକ୍ଷରୁ ବୃକ୍ଷରୋପଣ
୬୦୦ରୁ ଊର୍ଦ୍ଧ୍ୱ ଚାରାରୋପଣ; ‘ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ଅନୁଷ୍ଠାନ
ଉମରକୋଟ:(୩୦/୦୯/୨୬) (ରବି ନାରାୟଣ ମହାନ୍ତି)ଉମରକୋଟର ସର୍ବପୁରାତନ ସାରସ୍ୱତ ଅନୁଷ୍ଠାନ ଫକୀରମୋହନ ପଠନଶାଳା ଆନୁକୂଲ୍ୟରେ ସ୍ଥାନୀୟ ସରଗୁଲିସ୍ଥିତ ଅନାଥ ଆଶ୍ରମ ପରିସରରେ ବୃକ୍ଷରୋପଣ ସହ ଜଙ୍ଗଲ ସୁରକ୍ଷା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିସହ ଚଳିତବର୍ଷର ବୃକ୍ଷରୋପଣ ଅଭିଯାନର ଉଦ୍ଯାପନ ହୋଇଥିଲା।
ପଠନଶାଳାର ସମ୍ପାଦକ ପ୍ରଫୁଲ୍ଲ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ ଏହି ପରିବେଶ ସୁରକ୍ଷା ଅଭିଯାନ ଗତ ଅଗଷ୍ଟ ୯ ତାରିଖରୁ ଉମରକୋଟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରୁ ଆରମ୍ଭ ହୋଇଥିଲା। ପର୍ଯ୍ୟାୟକ୍ରମେ କେନାଲପାରା ପ୍ରାଥମିକ ବିଦ୍ୟାଳୟ, ଭୀମାଗୁଡ଼ା କନ୍ୟାଶ୍ରମ, ରାଇଘରସ୍ଥିତ ସୋନପୁର ପ୍ରାଥମିକ ବିଦ୍ୟାଳୟ, ବାଗବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝରିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଏବଂ ଚିକଲପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ ସହ ପରିବେଶ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।ସେପ୍ଟେମ୍ବର ୨୮ ତାରିଖରେ ସରଗୁଲି ଅନାଥ ଆଶ୍ରମ ପରିସରରେ ବୃକ୍ଷରୋପଣ କରାଯିବା ସହ ଚଳିତବର୍ଷର ଅଭିଯାନର ଉଦ୍ଯାପନ କରାଯାଇଥିଲା। ଚଳିତବର୍ଷ ପଠନଶାଳା ପକ୍ଷରୁ ବିଭିନ୍ନ ସ୍ଥାନରେ ୬୦୦ରୁ ଊର୍ଦ୍ଧ୍ୱ ଚାରାରୋପଣ କରାଯାଇଥିବା ସମ୍ପାଦକ ଶ୍ରୀ ରାଉତ ସୂଚନା ଦେଇଛନ୍ତି।କାର୍ଯ୍ୟକ୍ରମରେ ସାଗର କୁମାର ପରିଡ଼ା, ପ୍ରକାଶ ଚନ୍ଦ୍ର ବେହେରା, ନଗେନ୍ଦ୍ର କୁମାର ରାଉତ, ‘ସମାଜ’ର ଉମରକୋଟ ପ୍ରତିନିଧି ନିଗମ କୁମାର ସାହୁ, ‘ଉତ୍କଳ ମେଲ’ର ଜିଲ୍ଲା ପ୍ରତିନିଧି ତଥା ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ନବରଙ୍ଗପୁର ଜିଲ୍ଲା ଉପସଭାପତି ଦେବାଶିଷ ଦାଶ, ଜିତେନ୍ଦ୍ର କୁମାର ସାହୁ, ରାଜକିଶୋର ନାୟକ, ବିବେକାନନ୍ଦ ପଟ୍ଟନାୟକ, ଶ୍ରୀନିବାସ ପଟ୍ଟନାୟକ, ମହାନନ୍ଦ ମହାଳିକ, ସ୍ୱାଗତିକା ସାହୁ, ରଞ୍ଜନ କୁମାର ବେହେରା, କେଦାରେଶ୍ୱର ପଟ୍ଟନାୟକ, ବଂଶୀଧର ଭୂୟାଁ, ଅଶୋକ ଶତପଥୀ, ସହସମ୍ପାଦକ ରାମଚନ୍ଦ୍ର ରାମ, ବଲ୍ଲଭ ରାଉତ ଓ ଶେଖ୍ ନାସିରୁଦ୍ଦିନ ପ୍ରମୁଖ ଯୋଗଦେଇଥିଲେ। ଅନାଥ ଆଶ୍ରମର ସଭାପତି କିରଣ ବିଶ୍ୱାସ ଓ ଅଧ୍ୟକ୍ଷ ହରି ଦାସ ଦେ ଉପସ୍ଥିତ ଥିଲେ।ପ୍ରକାଶ ଥାଉକି, ୨୦୨୫ ମସିହାରେ ବୃକ୍ଷରୋପଣ, ଚାରାର ଯତ୍ନ ଏବଂ ‘ପରିବେଶ ବଞ୍ଚିଲେ ଆମେ ବଞ୍ଚିବା’ ସ୍ଲୋଗାନ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପରିବେଶ ସଚେତନତା ସୃଷ୍ଟି କରିଥିବାରୁ ଫକୀରମୋହନ ପଠନଶାଳାକୁ ରାଜ୍ୟ ସରକାରଙ୍କ ପରିବେଶ ବିଭାଗ ପକ୍ଷରୁ ‘ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ କରାଯାଇଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

