ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଭବାନୀପାଟଣା ତା ୬.୧୦.୨୦୨୬: ଆଜି ସ୍ଥାନୀୟ ଟାଉନ ହଲ ଠାରେ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଲୋକଙ୍କ ନିକଟରେ ସରକାରୀ ସେବା ଓ କଲ୍ୟାଣକାରୀ ଯୋଜନା ର ସୁଫଳ ପହଞ୍ଚାଇବା, ଜନ ସହଭାଗିତା ବଢ଼ାଇବା ଓ ସେବାକୁ ସାମୂହିକ ଆନ୍ଦୋଳନ ର ରୂପ ଦେବାକୁ ଜିଲ୍ଲାରେ ଗତ ୧୭ ସେପ୍ଟେମ୍ବର ରୁ ବିଭିନ୍ନ ସେବା ସଂକଳ୍ପ ଅଭିଯାନ ୨୦୨୬ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି।ଏହି ପରିପେକ୍ଷୀରେ ଗତ ୨୮ ସେପ୍ଟେମ୍ବର ୨୦୨୬ ରୁ ୬ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ସ୍ଥାନୀୟ କଳାକାର ଓ ସାଂସ୍କୃତିକ ଦଳ ଗୁଡ଼ିକ ଅଂଶଗ୍ରହଣ କରି ଜିଲ୍ଲାର ୧୩ ଟି ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଜନ କଲ୍ୟାଣକାରୀ ଯୋଜନାର ସଫଳତାକୁ ପ୍ରତିଫଳିତ କରୁଥିବା ୩୦୭ ଟି ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ।
ଆଜି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଭୁବନେଶ୍ୱର ରୁ ଆସିଥିବା ଏକ ପଥପ୍ରାନ୍ତ ନାଟକ ଦଳ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଶାସନକାଳ ମଧ୍ୟରେ ଉନ୍ନତିମୂଳକ ଯୋଜନା ଓ ବିକାଶକୁ ପ୍ରଦର୍ଶନ କରିଥିଲେ।ସ୍ବଚ୍ଛ ଭାରତ,ବିଦେଶ ନିବେଶ, ଡିଜିଟାଲ ଶିକ୍ଷା,ସୋଲାର ଶକ୍ତି,ଆୟୁଷ୍ମାନ ଭାରତ,ଗ୍ରାମୀଣ ବିଜୁଳି, ଗମନାଗମନ,ସଡ଼କ,ଜଳ ସେଚନ,କୃଷି, ଅପରେସନ ସିନ୍ଦୂର, ଇଣ୍ଟରନେଟ ବ୍ୟବହାର ଓ ଯୋଗାଯୋଗ,ଡିବିଟି, ୟୂପି ଆଇ,ପ୍ରତିରକ୍ଷା ଉତ୍ପାଦନ ଉପରେ ବିଶେଷ ଗୁରୁତ୍ୱ ଦେଇ ନାଟକ ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ,ସମ୍ମାନୀତ ଅତିଥି ଭାବେ ଡେପୁଟୀ କମାଣ୍ଡ ଣ୍ଟ (ସି ଆର୍ ପି ଏଫ୍) ଏସ ପାତ୍ର,ସାଂସଦ ପ୍ରତିନିଧି ସନ୍ତୋଷ ବିଶି,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,ଉପ ନିର୍ଦ୍ଦେଶକ ଯୋଜନା ଓ ସମନ୍ୱୟ ଶ୍ରୀକାନ୍ତ ଦଳେଇ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କହଁର, ଡି ପି ଇ ଓ ରୂପ ସିଂ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ସହରର ବୁଦ୍ଧିଜୀବୀ,ନାଟକ ପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ।
ଏସଆଇଆରରେ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରଙ୍କୁ ତାଲିକାରେ ସାମିଲ ପାଇଁ ସୁଯୋଗ
ଅକ୍ଟୋବର ୭, ୮ ଓ ୯ରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଅଭିଯାନ
୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ କରିପାରିବେ ଆବେଦନ।
ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ତାଲିକା CEO ଓଡ଼ିଶା ଓ ସମ୍ପୃକ୍ତ ଜିଲ୍ଲା ୱେବସାଇଟ ରେ ଉପଲବ୍ଧ ହେବ
କଳାହାଣ୍ଡି,ଭବାନୀପାଟଣା ୬ ଅକ୍ଟୋବର ୨୦୨୬: ଓଡ଼ିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬ ପରିପ୍ରେକ୍ଷୀରେ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଦ୍ୟତନ କରିବା ଉଦ୍ଦେଶ୍ୟରେ ଆସନ୍ତାକାଲି ଠାରୁ ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ। ଅକ୍ଟୋବର ୭, ୮ ଓ ୯ ତାରିଖରେ ଏହି ସ୍ୱତନ୍ତ୍ର ଅଭିଯାନ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେବ।ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏସଆଇଆର ପ୍ରକ୍ରିୟାରେ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କୁ ପୁନଃ ଭୋଟର ତାଲିକାରେ ସାମିଲ କରିବା ଏବଂ ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ କରିବା।
ଯେଉଁ ଯୁବକ-ଯୁବତୀମାନେ ୦୧.୧୦.୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଛନ୍ତି, ସେମାନେ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରିପାରିବେ। ଯୋଗ୍ୟ ଯୁବ ଭୋଟରମାନେ ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ ପାଇଁ ନିଜ ବୁଥ ସ୍ତରୀୟ ଅଧିକାରୀ ଙ୍କ ନିକଟରେ ଆବେଦନ କରିପାରିବେ।
ଏଥିସହିତ, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ସମୟରେ ଯେଉଁ ଯୋଗ୍ୟ ଭୋଟରମାନଙ୍କ ନାମ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ହୋଇପାରିନାହିଁ, ସେମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ନିଜ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ।
ଭୋଟର ତାଲିକାକୁ ଅଧିକ ନିର୍ଭୁଲ ଓ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରମାନଙ୍କ ସମ୍ପର୍କିତ ତାଲିକା ସମ୍ପୃକ୍ତ ଜିଲ୍ଲା ଏବଂ CEO Odishaଙ୍କ ୱେବସାଇଟରେ ଉପଲବ୍ଧ କରାଯିବ।
ଏହି ତାଲିକା ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରିବା ଓ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ଏଥିରେ ବାଦ୍ ପଡିଥାଏ ତେବେ ତାହା ସମ୍ପର୍କରେ ଦାବି ଓ ଆପତ୍ତି ଦାଖଲ କରିବା ପାଇଁ ସୁଯୋଗ ରହିବ।
ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ସମ୍ପର୍କିତ ତାଲିକା ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ମଧ୍ୟ ପ୍ରଦାନ କରାଯିବ। ରାଜନୈତିକ ଦଳର ପ୍ରତିନିଧିମାନେ ତାଲିକାକୁ ଯାଞ୍ଚ କରି ଆବଶ୍ୟକ ଦାବି ଓ ଆପତ୍ତି ଦାଖଲ କରିପାରିବେ।
ଏହା ମାଧ୍ୟମରେ ଭୋଟର ତାଲିକାରେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ସୁନିଶ୍ଚିତ କରିବା ସହ ଅଯୋଗ୍ୟ କିମ୍ବା ଅସଙ୍ଗତ ଏଣ୍ଟ୍ରି ଚିହ୍ନଟ ଓ ସଂଶୋଧନ କରିବାରେ ସହାୟତା ମିଳିବ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶାନୁଯାୟୀ, ଜିଲ୍ଲାସ୍ତରରେ ସମସ୍ତ ବୁଥ୍ସ୍ତରୀୟ ଅଧିକାରୀ ଙ୍କୁ ବାଦ୍ ପଡିଥିବା ଯୋଗ୍ୟ ଭୋଟର ଓ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ସମ୍ପର୍କରେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବି ଏଲ ଓ ମାନଙ୍କୁ ନିଜ ନିଜ ଅଧୀନସ୍ଥ ଅଞ୍ଚଳରେ ଭୋଟର ତାଲିକାରେ ବାଦ୍ ପଡିଥିବା ଯୋଗ୍ୟ ଭୋଟର ନାମ ଓ ନୂତନ ଯୁବ ଭୋଟର ଙ୍କ ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନାମ ଯୋଡ଼ିବାକୁ ଇଚ୍ଛୁକ ଯୋଗ୍ୟ ଭୋଟରମାନେ ନିଜ ନିଜ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଙ୍କ ସହ ଯୋଗାଯୋଗ କରି ଆବେଦନ ପ୍ରକ୍ରିୟା ସମ୍ପର୍କରେ ସହାୟତା ନେଇପାରିବେ। ବୁଥ ସ୍ତରୀୟ ଅଧିକାରୀମାନେ ଯୋଗ୍ୟ ଭୋଟରଙ୍କୁ ଆବେଦନ ଦାଖଲ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ସହଯୋଗ ପ୍ରଦାନ କରିବେ।ତେଣୁ, ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ରେ ନାମ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟର, ନୂତନ ଭାବେ ଯୋଗ୍ୟ ହୋଇଥିବା ଯୁବ ଭୋଟର ଏବଂ ଭୋଟର ତାଲିକାରେ ନିଜ ନାମ ସାମିଲ କରିବାକୁ ଯୋଗ୍ୟ ସମସ୍ତ ବ୍ୟକ୍ତି ଅକ୍ଟୋବର ୭, ୮ ଓ ୯ ତାରିଖରେ ଆୟୋଜିତ ସ୍ୱତନ୍ତ୍ର ଅଭିଯାନର ସୁଯୋଗ ନେଇ ଫର୍ମ-୬ ମାଧ୍ୟମରେ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଅନୁରୋଧ କରାଯାଇଛି।ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ରାଜ୍ୟରେ ଏକ ସ୍ୱଚ୍ଛ, ନିର୍ଭୁଲ, ସମାବେଶୀ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।

