ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଦଶୀପୁର ଅଞ୍ଚଳରେ ହାତୀ ଉପଦ୍ରବ ଧାନକ୍ଷେତ ଉଜୁଡ଼ିଲା,ଚିନ୍ତାରେ ଚାଷୀ , ୨- ନୂଆ ଏସପି ଏବେ ଆକ୍ସନ ମୁଡ୍‌ରେ,ନଷ୍ଟ କରାଗଲା ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର , ୩-ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ,୨ ଆହତ , ୪- ୪ ଗାଡ଼ି ଜବତ,୩୬ ହଜାର ଜରିମାନା ଆଦାୟ ନାବାଳକଙ୍କ ପାଇଁ ୨୫ ହଜାର ତଣ୍ଡ ଗଣିଲେ ଅଭିଭାବକ , ୫- ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ , ୬- ପୋଲିସ ହେପାଜତ ରୁ ଖସି ପଳାଇବା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ , ୭- ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳର ବୟସ୍କ ନାଗରିକଙ୍କ ସହ ଭାବ ବନ୍ଧନ କାର୍ଯ୍ୟକ୍ରମ , ୮- ୪୨ତମ ପିଙ୍ଗୁଆ କପ ୨0-୨0 କ୍ରିକେଟ ଟୁର୍ନାମେଣ୍ଟ  ୧୯ ଅକଟୋବର ୨0୨୬ରୁ ଉଦଘାଟନ , ୯- ସାପ କାମୁଡ଼ାରେ ବାଳିକା ର ମୃତ୍ୟୁ  , ୧୦- ଜିଲ୍ଲାପାଳ ,ଏସ ପି ଙ୍କ ଜନ ଶୁଣାଣି : ୧୦୦ ଟି ଅଭିଯୋଗରୁ ୬ ଟି ସମାଧାନ , ୧୧-ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ , ୧୨- ବିଜେଡି ପକ୍ଷରୁ ନାଗିଆପଶି ପଞ୍ଚାୟତ କମିଟି ବୈଠକ, ୧୩- ସହିଦ ବାଜିରାଉତ ବଳିଦାନ ଦିବସ ପାଳିତ , ୧୪-ବିଜେଡି ସଦର ବ୍ଲକ କମିଟି ନୂତନ କର୍ମକର୍ତ୍ତା ଚୟନ ଓ ବୈଠକ , ୧୫ – ନିଜର ନେତ୍ର ଦାନ କରି ଉଦାହରଣ ସାଜିଲେ ଉଦୟ , ୧୬-ଅଜଗର ଉଦ୍ଧାର

ଦଶୀପୁର ଅଞ୍ଚଳରେ ହାତୀ ଉପଦ୍ରବ ଧାନକ୍ଷେତ ଉଜୁଡ଼ିଲା,ଚିନ୍ତାରେ ଚାଷୀ

 ଢ଼େଙ୍କାନାଳ – କଙ୍କଡ଼ାହାଡ଼ ବ୍ଳକ୍ ମହାବିରୋଡ଼ ରେଞ୍ଜ ଦଶୀପୁର ଗ୍ରାମ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀପଲ ବ୍ୟାପକ ଫସଲ ଉଜାଡ଼ିବାରେ ଲାଗିଛନ୍ତି। ହାତୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆଭୟ ଦେଖାଦେଇଛି। ଏହି ଅଞ୍ଚଳର ଜନସାଧାରଣ ବିଶେଷ କରି ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ହାତୀ ଫସଲ ଉଜାଡ଼ି ଦେଉଥୁବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଗତ ରାତିରେ ଦଶୀପୁର ଗ୍ରାମର ଦୁଃଶାସନ ଦେହୁରୀ,ଭ୍ରମରବର ଦେହୁରୀଙ୍କ ଧାନଫସଲକୁ ହାତୀ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ସକାଳେ ଉଜୁଡ଼ା ଧାନବିଲକୁ ଦେଖ୍ ଚାଷୀ କୋହ ସମ୍ଭାଳି ପାରିନଥିଲେ। ଦଶୀପୁର ଅଞ୍ଚଳରେ ଏବେ ବେ ୬ଟିକିଆ ହାତୀପଲ ରହିଥ‌ିବା ବେଳେ ସେମାନଙ୍କୁ ତୁରନ୍ତ ଅଞ୍ଚଳରୁ ଘଉଡ଼ାଇବାକୁ ଦାବି ହୋଇଛି। ଏ ସମ୍ପର୍କରେ ମହାବିରୋଡ଼ ରେଞ୍ଜ ଅଧିକାରୀ। ସୁଶାନ୍ତ କୁମାର ପାତ୍ରଙ୍କ କହିଛନ୍ତି,ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଦିଆଯିବ। ଅଞ୍ଚଳର ଜନସାଧା ସୁରକ୍ଷା ଦୃଷ୍ଟିରୁ ନିୟମିତ ପାଗ୍ରେଲିଂ କରାଯାଉଛି। ହାତୀର ଗତିବିଧି ଲକ୍ଷ୍ୟ କରାଯାଇ ଘଉଡ଼ାଇବା ପାଇଁ ଏକ ସ୍ବତନ୍ତ୍ର ଦଳ କାମ କରୁଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।

ନୂଆ ଏସପି ଏବେ ଆକ୍ସନ ମୁଡ୍‌ରେ,ନଷ୍ଟ କରାଗଲା ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର

ଢେଙ୍କାନାଳ – ଦାୟିତ୍ୱ ନେବା ପରେ ଢେଙ୍କାନାଳର ନୂଆ ଏସପି ଏବେ ପୁରା ଆକ୍ସନ ମୁଡ୍‌ରେ ନଜର ଆସିଛନ୍ତି। ଜିଲ୍ଲାରେ ବାଇକ୍‌ରେ ବିକଟାଳ ଶବ୍ଦ କରୁଥିବା ମଡିଫାଏଡ୍ ସାଇଲେନ୍ସର ବିରୁଦ୍ଧରେ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି। ଆଜି ଟାଉନ୍ ଥାନା ପରିସରରେ ଜବତ ହୋଇଥିବା ଶତାଧିକ ବିକଟାଳ ସାଇଲେନ୍ସରକୁ ରୋଡ୍ ରୋଲର ଚଲାଇ ନଷ୍ଟ କରାଯାଇଛି। ଏହି ସାଇଲେନ୍ସର ଯୋଗୁଁ ସାଧାରଣ ଜନତା,ବିଶେଷ କରି ବୟସ୍କ ଓ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏସପିଙ୍କ କଡ଼ା ନିର୍ଦେଶ – ଆଗକୁ ବି ଏଭଳି ଅଭିଯାନ ଜାରି ରହିବ। ବିନା ନମ୍ବର ପ୍ଲେଟ୍,ବିକଟାଳ ଶବ୍ଦ ଓ ବେପରୁଆ ବାଇକ୍ ଚାଳନା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ,୨ ଆହତ

ଢେଙ୍କାନାଳ /ଗଁଦିଆ – ଷଡ଼ଙ୍ଗୀ ରେଞ୍ଜ ଇଲେଇଜଙ୍ଗ ଗ୍ରାମର ଅଲେଖ ନାୟକ (୭୦) ଆଜି ସନ୍ଧ୍ୟାରେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଏକ ଶବ ସତ୍କାର କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିବା ବେଳେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପାଖାପାଖି ୩୦ ଜଣ ଲୋକଙ୍କୁ ଏକ ଦନ୍ତା ହାତୀ ଗୋଡାଇଥିଲା। ସମସ୍ତେ ପ୍ରାଣ ବିକଳରେ ଦୌଡ଼ିଥିଲେ। ଏହି ସମୟରେ ଇଲେଇଜଙ୍ଗର ପଙ୍କଜ ନାଏକ (୪୪) ଓ ମଧୁ ନାୟକ (୬୫) ଆହତ ହୋଇଥିବା ବେଳେ ଅଲେଖ ନାୟକଙ୍କୁ ହାତୀ ଧରି କଚାଡି ମାରି ଦେଇଥିଲା। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

୪ ଗାଡ଼ି ଜବତ,୩୬ ହଜାର ଜରିମାନା ଆଦାୟ ନାବାଳକଙ୍କ ପାଇଁ ୨୫ ହଜାର ତଣ୍ଡ ଗଣିଲେ ଅଭିଭାବକ 

ଢ଼େଙ୍କାନାଳ – ଟାଉନ୍ ଥାନା ପୋଲିସ୍ ସୋମବାର କେବଳ ମଡିଫାଏଡ୍ ସାଇଲେନ୍ସର ଉପରେ ରୋଲର ଚଢ଼ାଇ ନାହିଁ;ଉଶୃଙ୍ଖଳିତ ଗାଡ଼ି ଚାଳକଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ରାତିରେ ୪ଟି ବାଇକ୍‌କୁ ଜବତ କରି ୩୬ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଏଥିମଧ୍ୟରୁ ଜଣେ ନାବାଳକ ଫଟଫଟିଆ ଶବ୍ଦ କରି ଗାଡ଼ି ଚଳାଉଥିବାରୁ ତାଙ୍କ ଅଭିଭାବକଙ୍କ ଠାରୁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ପୋଲିସ୍ ଓ ପରିବହନ ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଥିଲା। ଯେଉଁଥିରେ ଉଚ୍ଚ ଶବ୍ଦ କରି ବିପଦଜକ ଭାବେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରାଯାଇଥିଲା। ଡ୍ରାଇଭ୍ ଲାଇସେନ୍ସ ନଥିବାରୁ ଏକ ଗାଡ଼ିକୁ ଜବତ ଜବତ କରିବା କରି ସହ ୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା। ବି ଭାବେ ଗାଡ଼ି ଚଳାଉଥିବାରୁ ଆଉ ଜଣଙ୍କଠାରୁ ୫ ହଜାର,ବିପଦଜନକ ଶବ୍ଦ ପ୍ରଦୂଷଣ ଅଭିଯୋଗରେ ଜଣକଠାରୁ ୧ ହଜାରେ ଟଙ୍କା ଜୋରମାନା ଆଦାୟ କରା ଯାଇଥିଲା। ଜଣେ ନାବାଳକ ଜରିମାନା ଆଦାୟ କରାଯାଇ ଧରାପଡ଼ିଥିଲେ। ଅଭିଭାବକଙ୍କଠାରୁ ୨୫ ହଜାରେ ଜରିମାନା ଆଦାୟ କରାଯାଇଥିଲା। ଆଗକୁ ଏହି ଯାଞ୍ଚ ଚାଲିବ। ଯଦି ଏଭଳି କରନ୍ତି ତେବେ ସେମାନଙ୍କ ଅଭିଭାବକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।

ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ

ଢେଙ୍କାନାଳ- ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ତଥା ଢେଙ୍କାନାଳ ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ, ଆଇଏଏସ୍, ଢେଙ୍କାନାଳ ଜିଲ୍ଲା ଗସ୍ତ କରି ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଓ ଏହାର କ୍ଷେତ୍ରସ୍ତରୀୟ ପ୍ରଭାବ ସମୀକ୍ଷା କରିଥିଲେ।

ଏହି ଗସ୍ତ ଅବସରରେ ସେ ଗୋବିନ୍ଦପୁରସ୍ଥିତ ମ୍ୟାଙ୍ଗୋ ହବ୍ କେନ୍ଦ୍ର, ମହର୍ଷି ଦୟାନନ୍ଦ ସେବା ମିଶନ, ଶକ୍ତି ସଦନ, ଜୀବନଜ୍ୟୋତି ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟ, ବୋରାପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଶ୍ୟାମାଚରଣପୁରସ୍ଥିତ ହାତୀ ଆଗମନ ପୂର୍ବ ସୂଚନା ବ୍ୟବସ୍ଥା ପରିଦର୍ଶନ କରିଥିଲେ।

ସେହିପରି ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ୍ ଓ ଡିଜିଟାଲ୍ ରିଡିଂ ରୁମ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ଥାୟୀ ଦକ୍ଷତା ପ୍ରଶିକ୍ଷଣ ପ୍ରୟୋଗଶାଳା, ୱାନ୍ ଷ୍ଟପ୍ ସେଣ୍ଟର ଏବଂ ମହିସାପାଟସ୍ଥିତ ହସ୍ତଶିଳ୍ପ ମାର୍ଟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ, ଅଗ୍ରଗତି ଏବଂ ଏହାର ସୁଫଳ ଲୋକଙ୍କ ନିକଟରେ କିପରି ପହଞ୍ଚୁଛି, ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ପରେ ଜିଲ୍ଲା କାର୍ଯ୍ୟାଳୟରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଯୋଜନାର ଅଗ୍ରଗତି ନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ବିକାଶ ସହଯୋଗୀ ସଂସ୍ଥା ଓ ଅନ୍ୟ ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ନୀତି ଆୟୋଗଙ୍କ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ପ୍ରମୁଖ ସୂଚକାଙ୍କ ଆଧାରରେ ଢେଙ୍କାନାଳ ଜିଲ୍ଲାର ପ୍ରଦର୍ଶନ ଓ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତିକୁ ନେଇ ସୁଶ୍ରୀ ପଣ୍ଡିତ ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ବିଭିନ୍ନ ବିଭାଗର ଅଧିକାରୀମାନେ ଏହିଭଳି ନିଷ୍ଠା ଓ ସମନ୍ୱୟର ସହ କାର୍ଯ୍ୟ ଜାରି ରଖିବା ସହ ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ସେ ନିର୍ଦ୍ଧେଶ ଦେଇଥିଲେ।

ପୋଲିସ ହେପାଜତ ରୁ ଖସି ପଳାଇବା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ 

ଢେଙ୍କାନାଳ /ଗଁଦିଆ- 2012ମସିହାରେ ନିହଲପ୍ରସାଦ ଥାନାରେ ୱାରେଣ୍ଟି ଥିବା ସମୟରେ ପୋଲିସ ହେପାଜତ ରୁ ଖସି ପଳାଇଥିବା ଅଭିଯୁକ୍ତ ଶେଷଦେବ ଭୂୟାଁ (28) କୁ ଗଁଦିଆ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦୀକ୍ଷା ସେଠ୍ ଦୋଷୀ ସାବ୍ୟସ୍ତ କରିବା ଶହ 1000 ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି ଜରିମାନା ଅନାଦେୟ ଏକ ମାସ କାରାଦଣ୍ଡ ଭୋଗିବା ନିମନ୍ତେ ରାୟରେ ଉଲ୍ଲେଖ ରହିଛି l ମାମଲାରୁ ପ୍ରକାଶ ଜେ 2012 ମସିହା ଅଗଷ୍ଟ 26 ତାରିଖରେ ଅଭିଯୁକ୍ତ ଶେଷଦେବ ଭୂୟାଁ ନାମରେ ଅନୁଗୋଳ ଏସ, ଡି, ଜେ, ଏମ କୋର୍ଟ ରେ ଥିବା ଜାମିନବିହୀନ ଗିରଫ ପରୱାନା ଆଧାରରେ ନିହଲପ୍ରସାଦ ଥାନା ଅନ୍ତର୍ଗତ ଚଣ୍ଡିଆ ଗ୍ରାମରୁ ଗିରଫ କରାଯାଇ ଥାନାର ପୋଲିସ ହେପାଜତ ରେ ରଖା ଯାଇଥିଲା ମାତ୍ର ସେ କୌଶଳ କ୍ରମେ ପରିସ୍ରା ଯିବା ବାହାନାରେ ଥାନାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୋଗକାରି କନେଷ୍ଟବଳ ରମେଶ ଚନ୍ଦ୍ର ବେହେରା ତାକୁ କାବୁ କରିବାକୁ ଚେଷ୍ଟା କଲାବେଳେ ତାଙ୍କୁ ଶକ୍ତ ଧକ୍କା ଦେଇ ସେଠାରୁ ସେ ଖସି ଯାଇଥିଲା l ଏନେଇ ନିହଲପ୍ରସାଦ ଥାନାରେ ପି, ଏସ, କେସ ନମ୍ବର 78/2012 ରେ ଭାରତୀୟ ପିଙ୍ଗଳ କୋଡ଼ ର ଦଫା 353/224 ରେ ମାମଲା ଦାୟର ହୋଇଥିଲା ଯାହାକି ଗଁଦିଆ କୋର୍ଟ ରେ ବିଚାରଧୀନ ଥିଲା l ସମୁଦାୟ 4ଜଣ ସାକ୍ଷୀ 6ଟି ଦସ୍ତାବିଜ ତଥା ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରମାଣପତ୍ର ଆଧାରରେ ଅଭିଯୁକ୍ତ ଶେଷଦେବ ଭୂୟାଁ କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି l ଏହି ମାମଲା ଟିକୁ ସରକାର ଙ୍କ ତରଫରୁ କ୍ୟାଡର ଏ ପି ପି ଶାଶ୍ୱତ ଜେନା ପରିଚାଳନା କରିଥିବା ବେଳେ ଏ ପି ପି ଜୟକୃଷ୍ଣ ସାହୁ ସହଯୋଗ କରିଥିଲେ l

ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳର ବୟସ୍କ ନାଗରିକଙ୍କ ସହ ଭାବ ବନ୍ଧନ କାର୍ଯ୍ୟକ୍ରମ

ଢେଙ୍କାନାଳ /ଗଁଦିଆ –    ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳ ପକ୍ଷରୁ ‘ପିଏମ ଶ୍ରୀ’ ଯୋଜନା ଅନ୍ତର୍ଗତ ‘ସାମୁଦାୟିକ ସହଭାଗିତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଏସ.କେ. ଦାଶ ଙ୍କ ପରିଚାଳନାରେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଢେଙ୍କାନାଳ ଆନନ୍ଦନଗର ଗର,କାଠଗଡା ସ୍ଥିତ କୁଞ୍ଜବିହାରୀ / ବରିଷ୍ଠ ନାଗରିକ ଗୃହ ପରିଦର୍ଶନ କରିଥିଲେ।

ଛାତ୍ରଛାତ୍ରୀମାନେ ସେଠାରେ ବୟସ୍କ ବ୍ୟକ୍ତିଙ୍କ ସହ ଭାବ ବିନିମୟ କରି ସେମାନଙ୍କ ଜୀବନର ଅଭିଜ୍ଞତା ଓ ସୁଖ-ଦୁଃଖ ବିଷୟରେ ଆଲୋଚନା କରିଥିଲେ। କମ୍ବଳ ଫୁଲ, ମିଷ୍ଟାନ୍ନ ଓ ଧାର୍ମିକ ପୁସ୍ତକ ପ୍ରଦାନ ସହିତ ଅନ୍ତରଙ୍ଗ ସ୍ନେହ ଓ ଏକାନ୍ତ ପ୍ରୀତିର ବାର୍ତା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ *ଐରା (AIRA) ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ସୁରେଶ କୁମାର ପଣ୍ଡା, ସମାଜସେବୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ପଣ୍ଡା, ବରିଷ୍ଠ ନାଗରିକ ଗୃହର ପରିଚାଳିକା ଶ୍ରୀମତୀ ଗାୟତ୍ରୀ ମିଶ୍ର, ଷ୍ଟାଫ ନର୍ସ ଶ୍ରୀମତୀ ତପସ୍ୱିନୀ ନାୟକ ଓ ଶ୍ରୀ ପ୍ରମୋଦ ସେଠୀ ସହଯୋଗ କରିଥିଲେ। ବିଦ୍ୟାଳୟ ପକ୍ଷର ପରିଦର୍ଶନ ରେ ଶିକ୍ଷକ ରତ୍ନାକର ପ୍ରଧାନ ହିନ୍ଦୀ ଶିକ୍ଷୟିତ୍ରୀ ଅସ୍ମିତା ରାଣୀ ପାଢ଼ୀ ପ୍ରାଥମିକ ଶିକ୍ଷକ ବାସୁଦେବ ବେହେରା ଛାତ୍ର ଛାତ୍ରୀ ମାନଙ୍କ ସହିତଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା, ସହାନୁଭୂତି ଓ ସମ୍ମାନ ଭାବ ଜାଗ୍ରତ କରିବା ସହ ସମାଜରେ ସ୍ନେହ ଓ ମାନବିକତାର ସେତୁ ସୃଷ୍ଟି କରିବାରେ ସହାୟକ ହୋଇଥିଲେ l

୪୨ତମ ପିଙ୍ଗୁଆ କପ ୨0-୨0 କ୍ରିକେଟ ଟୁର୍ନାମେଣ୍ଟ 
୧୯ ଅକଟୋବର ୨0୨୬ରୁ ଉଦଘାଟନ 

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଠାରେ ଚାଲିଥିବା ଜିଲ୍ଲାର ସର୍ବପୁରାତନ କ୍ରିକେଟ ଟୁର୍ନାମେଣ୍ଟ ଚଳିତ ବର୍ଷ ୪୨ବର୍ଷ ର ପଦାର୍ପଣ କରିଛି l ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭୁବନେଶ୍ୱର, ଖୋର୍ଦ୍ଧା, କେନ୍ଦୁଝର ଆଦି ଅଂଚଳର ବହୁତ ଖ୍ୟାତନାମା ଦଳଗୁଡିକ ଏଥିରେ ଅଂଶ ଗ୍ରହଣ କରୁଛନ୍ତି l ଚଳିତ ବର୍ଷ ଢେଙ୍କାନାଳ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ପିଙ୍ଗୁଆ ଏହି ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରୁଅଛି l ଏଥିରେ ଜିଲ୍ଲାସ୍ତରୀୟ ଓ ରାଜ୍ୟର ଉଦୀୟମାନ ଖେଳାଳୀ ନିଜ ନିଜ କ୍ଲବ ତରଫରୁ ପ୍ରତିନିଧିତ୍ବ କରୁଛନ୍ତି l ମ୍ୟାଚ ଗୁଡିକ ପିଙ୍ଗୁଆ ହାଇସ୍କୁଲ ଖେଳପଡିଆ ରେ ଅନୁଷ୍ଠିତ ହେବ l Red Vicky cork ball ର ଏହି ଟୁର୍ନାମେଣ୍ଟ କୁ Voice of Odisha ଚ୍ୟାନେଲ ରେ ଦର୍ଶକ ମାନେ ଘରେ ବସି ମୋବଇଲ ରେ ଦେଖିପାରିବେ l ଅକଟୋବର ୧୯ରୁ ଆରମ୍ଭ ହୋଇ ଅକଟୋବର ୨୮ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଚାଲିବ l ଚମ୍ପିୟାନ ଦଳକୁ ନଗଦ ୨୦୦୦୦/-ଟଙ୍କା ଓ ରନର୍ସ ଅପ ଦଳକୁ ୧୫୦୦୦/- ଟଙ୍କା ପ୍ରଦାନ କରାଯିବ l ପ୍ରତ୍ୟେକ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ କୁ କ୍ୟାସ ପ୍ରାଇଜ ପ୍ରଦାନ କରାଯିବ l ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ ଯେଉଁଥିରେ ଢେଙ୍କାନାଳ ମହିଳା କ୍ରିକେଟ ଦଳ ଯାଜପୁର ମହିଳା କ୍ରିକେଟ ଦଳକୁ ଅକଟୋବର ୨୬ତାରିଖରେ ଭେଟିବ l ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଅବସରରେ ୧୪ତମ ପିଙ୍ଗୁଆ ମହୋତ୍ସବ ୨୫ଅକଟୋବର ରୁ ୩୦ଅକଟୋବର ପର୍ଯ୍ୟନ୍ତ ଚାଲିବ l ଏଥିରେ ପାରମ୍ପରିକ ଲୋକକଳା, ନାଚ, ଗୀତ, ମେଲୋଡି ଓ ଯାତ୍ରା ଅନୁଷ୍ଠିତ ହେବ l ୪୨ତମ ପିଙ୍ଗୁଆ କପ କୁ ସଫଳତାର ସହ ପରିଚାଳନା କରିବା ପାଇଁ ଅନୁଷ୍ଠାନର ସଭାପତି କେଶବ ଚନ୍ଦ୍ର ବାରିକ ଓ ସମ୍ପାଦକ ପୀତବାସ ବାରିକ ନିଜର ଉଦ୍ୟମ ଜାରି ରଖିଛନ୍ତି l ୧୪ତମ ପିଙ୍ଗୁଆ ମହୋତ୍ସବ ସଫଳ ହେବl ପାଇଁ ସଭାପତି ରଞ୍ଜନ କୁମାର ସାହୁ ସମସ୍ତ କର୍ମକର୍ତାଙ୍କ ସାହାଯ୍ୟ ଓ ସହଯୋଗ କାମନା କରିଛନ୍ତି।

ସାପ କାମୁଡ଼ାରେ ବାଳିକା ର ମୃତ୍ୟୁ 

କାମାକ୍ଷାନଗର- କାମାକ୍ଷାନଗର ଥାନା ଅନ୍ତର୍ଗତ ରହଣି ଗ୍ରାମର ମୁଣ୍ଡାସାହିର ଜଣେ ବାଳିକାର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି l ମୃତ ବାଳିକା ହେଲେ କୃଷ୍ଣ ମୁଣ୍ଡାଙ୍କ ୧୩ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ବୋଲି ଜଣାଯାଇଛି l ଲକ୍ଷ୍ମୀପ୍ରିୟା ଅପରାହ୍ନ ରେ ସାଙ୍ଗମାନଙ୍କ ସହିତ ଖେଳୁଥିବା ବେଳେ ସାପ କାମୁଦି ଦେଇଥିଲା l ପରିବାର ଲୋକେ ତୁରନ୍ତ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା l ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି l

ଜିଲ୍ଲାପାଳ ,ଏସ ପି ଙ୍କ ଜନ ଶୁଣାଣି : ୧୦୦ ଟି ଅଭିଯୋଗରୁ ୬ ଟି ସମାଧାନ

କାମାକ୍ଷାନଗର – ଭୁବନ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଏବଂ ଏସ ପି ଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୧୦୦ ଟି ଅଭିଯୋଗ ଦାଖଲ ହୋଇଥିଲା । ଘଟଣା ସ୍ଥଳରେ ୬ ଟି ଅଭିଯୋଗର ସମାଧାନ ହୋଇଥିଲା । ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଜଣ ଓ ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ସମୁଦାୟ ୫୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଜିଙ୍କ୍ୟ ବାବୁରାଓ ମାନେ , ଆଡିସିନାଲ ପି ଡି ସୌଦାମିନୀ ଦାସ,କାମାକ୍ଷା ନଗର ଉପ ଜିଲ୍ଲାପାଳ ବିକାଶ ଚନ୍ଦ୍ର ମହାନ୍ତି ,ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ସପନ କୁମାର ମହାନ୍ତି,ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ରଜନୀ କାନ୍ତ ସାମଲ,ଭୁବନ ବିଡ଼ିଓ ଆୟୁଷି ମହାପାତ୍ର , ତହସିଲଦାର ଜ୍ୟୋତିରୂପା ଶତପଥୀ ,ମେଡିକାଲ ଇନଚାର୍ଜ ଡ଼ା .ରମେଶ କୁମାର ସାହୁ,ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁ ଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ 

 ଢ଼େଙ୍କାନାଳ- ଢ଼େଙ୍କାନାଳରେ ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ ହୋଇଯାଇଛି। ଏହିି ଉପଲକ୍ଷେ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଉତ୍ସବରେ , ଅବସରପ୍ରାପ୍ତ ସି.ବି.ଆଇ. ଜଜ୍ ଶ୍ରୀ ଭିକାରୀ ଚରଣ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମାନେ ରାଷ୍ଟ୍ରର ଶ୍ରେଷ୍ଠ ସମ୍ବଳ, ସେମାନଙ୍କ ପ୍ରତି ବିଶେଷ ଯତ୍ନବାନ ହେବା ଆମମାନଙ୍କର ପ୍ରଥମ ଦାୟୀତ୍ୱ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁମାନଙ୍କୁ ଶିକ୍ଷା ପ୍ରଦାନ କରି ଜ୍ଞାନର ଆଲୋକରେ ପ୍ରକାଶିତ କରାଇବା ଆମମାନଙ୍କର କର୍ତ୍ତବ୍ୟ । ଶିଶୁମାନଙ୍କୁ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରିବା ସହିତ ବାଲ୍ୟ ବିବାହ ନିରୋଧ ପ୍ରତି ସଜାଗ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ । ସମାଜରେ ପ୍ରତିଷ୍ଠା ଲାଭ ପାଇଁ ଶିକ୍ଷା ଓ ଜ୍ଞାନ ଆହରଣ ମୁଖ୍ୟ ଅସ୍ତ୍ର ବୋଲି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ପ୍ରକାଶ କରିଥିଲେ । ଅଭିଭାବକମାନେ ପୁଅ – ଝିଅଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନ ରଖି ସେମାନଙ୍କୁ ସମାନ ଦୃଷ୍ଟିରେ ଦେଖି ଗଢ଼ିବା ଉଚ଼ିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ । ଶିଶୁମାନଙ୍କୁ ଉଚ଼ିତ ଶିକ୍ଷା ଓ ସୁଯୋଗ ପ୍ରଦାନ କଲେ , ସେମାନେ ଦେଶର ସାମୂହିକ ଉନ୍ନତିରେ ବିଶେଷ ଭାବରେ ସହାୟକ ହେବେ ବୋଲି କହିଥିଲେ । ନିରଞ୍ଜନ ପାଢ଼ୀ, ଏ.ଏସ୍.ପି. (ଡ଼ି.ଆଇ.ବି.), ଗଣେଶ୍ଵର ବେହେରା, ଡ଼ି. ଡ଼ି. ( ପ୍ରୋସେକ୍ୟୁସନ୍) ଏବଂ ଗୋଲକ ବିହାରୀ ପାଣିଗ୍ରାହୀ, ସି.ଡବ୍ଲୁ.ସି. ର ଚେୟାର ପର୍ସନ ଅତିଥି ଭାବେ ଯୋଗ ଦେଇ, ଶିଶୁମାନଙ୍କର ନ୍ୟାର୍ଯ୍ୟ ଅଧିକାର, ସେମାନଙ୍କର ସୁରକ୍ଷା, ବାଲ୍ୟ ବିବାହ ଦ୍ୱାରା ଉପୁଜୁଥିବା ସମସ୍ଯା ଓ ଏହାର ନିରାକରଣ ପାଇଁ ଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ସହର ମଧ୍ୟରେ ଶୋଭାଯାତ୍ରା କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦୁରେଖା ପଶ୍ଚିମକବାଟ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶେଷରେ ସଦର ଏସ. ଡ଼ି. ପି. ଓ. ରମେଶ ଚନ୍ଦ୍ର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।

ବିଜେଡି ପକ୍ଷରୁ ନାଗିଆପଶି ପଞ୍ଚାୟତ କମିଟି ବୈଠକ

ଢେଙ୍କାନାଳ- ଢେଙ୍କାନାଳ ବିଜୁ ଜନତା ଦଳ ସଦର ନାଗିଆପଶି ପଞ୍ଚାୟତ କମିଟି ବୈଠକ ଦତ୍ତାତ୍ରେୟ ସାଇ ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି। ସଦର ବ୍ଲକ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ନରୋତ୍ତମ ସାହୁଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୂର୍ବତନ ଲୋକପ୍ରିୟ ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଯୋଗ ଦେଇଥିଲେ। ଏହି ବୈଠକରେ ନାଗିଆପଶି ଗ୍ରାମପଞ୍ଚାୟତର ସର୍ବସମ୍ମତିକ୍ରମେ ଶ୍ରୀଯୁକ୍ତ ସନତ କୁମାର ମହାନ୍ତିଙ୍କୁ ସଭାପତି ରୂପେ ଚୟନ କରାଯିବା ସହ ଜଗନ୍ନାଥ ସ୍ୱାଇଁଙ୍କୁ ସାଧାରଣ ସମ୍ପାଦକ ଏବଂ ଉପ-ସଭାପତି ଭାବେ ଶ୍ରୀବତ୍ସ ବେହେରା,କୃତିବାସ ବିଶ୍ୱାଳ,କିଶୋର ଗଡ଼ନାୟକ,ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ବେହେରା,ଯୁଗ୍ମ ସମ୍ପାଦକ ଭାବେ ସିଫୁନ ସାମଲ,ଅଶୋକ କୁମାର ପରିଡ଼ା,ଅଶୋକ କୁମାର ବେହେରା,କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ସାହୁ ଏବଂ ମୁଖ୍ୟ ଉପଦେଷ୍ଟା ଭାବେ ସୁବାସ ଚନ୍ଦ୍ର ପୃଷ୍ଟିଙ୍କୁ ଚୟନ କରାଗଲା। ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ସହିତ ୱାର୍ଡସ୍ତରୀୟ କମିଟି ଗଠନ କରିବାକୁ ପରାମର୍ଶ ଦିଆଯାଇଥିଲା। ନୂତନ ଭାବେ ଗଠିତ ଏହି କମିଟି ପକ୍ଷରୁ ରାଜ୍ୟ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଡା.ଅବିନାଶ ସାମଲଙ୍କୁ କୃତଜ୍ଞତା ଜଣାଯାଇଛି। ଏହି ବୈଠକରେ କାର୍ଯ୍ୟକାରୀ ସଭ୍ୟ ଭାବେ ଦୁଷ୍ମନ୍ତ ସାହୁ,ବିମଳ ପରିଡା,ପୁରୁଷୋତ୍ତମ ସାଥୁଆ,ପ୍ରଦୀପ ପାଢ଼ୀ,ବିରଞ୍ଚି ନାରାୟଣ ବେହେରା,ବିରଞ୍ଚି ବେହେରା,ବୈକୁଣ୍ଠ ନାୟକ,ଅନିଲ ଗଡ଼ନାୟକ,ସିଫୁନ ସାମଲ,ଅଶୋକ କୁମାର ନାୟକ,ମାୟାଧର ମହାନ୍ତି,ଅଭିମନ୍ୟୁ ପ୍ରଧାନ,ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସହିଦ ବାଜିରାଉତ ବଳିଦାନ ଦିବସ ପାଳିତ 

କାମାକ୍ଷାନଗର – କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ସର୍ବ କନିଷ୍ଠ ସହିଦ ବାଜିରାଉତଙ୍କର ବଳିଦାନ ଦିବସ ପାଠକ ବିଚାର ମଞ୍ଚ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି, ପାଠକ ବିଚାର ମଞ୍ଚର ସଭାପତି ଜ୍ଞାନରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ସର୍ବକନିଷ୍ଠ ସହିଦ ଭାବେ ବାଜିରାଉତଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ମୁଖ୍ୟ ପରାମର୍ଶ ଦାତା ମେଜର ପ୍ରଭାତ କୁମାର ଦାଶ ଯୋଗଦେଇ ବାଜିରାଉତଙ୍କ କାର୍ଯ୍ୟ ଶୈଳୀ ଉପରେ ଆଲୋଚନା କରି ବର୍ତ୍ତମାନ ର ଯୁବପିଢ଼ି ତାଙ୍କରି ଆଦର୍ଶରେଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ l ଏଥିରେ ବରିଷ୍ଠ ସଦସ୍ୟ ନୀଳମଣି ମହାପାତ୍ର, ମଦନମୋହନ ବରାଳ,ଦିଲ୍ଲୀପ କୁମାର ପ୍ରଧାନ ,ପ୍ରଭୁପ୍ରସାଦ ତ୍ରିପାଠୀ,ଚିତ୍ତରଞ୍ଜନ ଦିବେଦୀ,ରସାନନ୍ଦ ଦେହୁରୀ,ମଧୁସୂଦନ ରାଉତ,ପ୍ରକାଶ କୁମାର ପାତ୍ର, ପ୍ରହଲ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ, ବିଷ୍ଣୁପ୍ରସାଦ ସେଠି, ଧର୍ମାନନ୍ଦ ସେଠି,ଦୈତାରୀ ବେହେରା ପ୍ରମୁଖ ଉପସ୍ଥିତ ରହି ବାଜିରାଉତଙ୍କ ସ୍ମୁତି ଚରଣ କରିଥିଲେ l ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ l

ବିଜେଡି ସଦର ବ୍ଲକ କମିଟି ନୂତନ କର୍ମକର୍ତ୍ତା ଚୟନ ଓ ବୈଠକ

ଢେଙ୍କାନାଳ – ଢେଙ୍କାନାଳ ବିଜୁ ଜନତା ଦଳ ସଦର ବ୍ଲକର ନୂତନ କର୍ମକର୍ତ୍ତାଙ୍କ ଚୟନ ଓ ବୈଠକ ନାଗିଆପଶି ପଞ୍ଚାୟତ ଦତ୍ତାତ୍ରେୟ ସାଇ ଆଶ୍ରମ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଦର ବ୍ଲକ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ନରୋତ୍ତମ ସାହୁଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ପୂର୍ବତନ ଲୋକପ୍ରିୟ ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଯୋଗ ଦେଇଥିଲେ। ଏହି ବୈଠକରେ ନାଗିଆପଶି ଗ୍ରାମପଞ୍ଚାୟତର ସର୍ବସମ୍ମତିକ୍ରମେ ଶ୍ରୀଯୁକ୍ତ ସନତ କୁମାର ମହାନ୍ତିଙ୍କୁ ସଭାପତି ରୂପେ ଚୟନ କରାଗଲା। ଶ୍ରୀଯୁକ୍ତ ଜଗନ୍ନାଥ ସ୍ୱାଇଁଙ୍କୁ ସାଧାରଣ ସମ୍ପାଦକ ଏବଂ ଉପ-ସଭାପତି ଭାବେ ଶ୍ରୀବତ୍ସ ବେହେରା,କୃତିବାସ ବିଶ୍ୱାଳ,କିଶୋର ଗଡ଼ନାୟକ,ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ବେହେରା,ଯୁଗ୍ମ ସମ୍ପାଦକ ଭାବେ ସିଫୁନ ସାମଲ,ଅଶୋକ କୁମାର ପରିଡ଼ା,ଅଶୋକ କୁମାର ବେହେରା,କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ସାହୁ ଏବଂ ମୁଖ୍ୟ ଉପଦେଷ୍ଟା ଭାବେ ସୁବାସ ଚନ୍ଦ୍ର ପୃଷ୍ଟିଙ୍କୁ ଚୟନ କରାଗଲା। ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ସହିତ ୱାର୍ଡସ୍ତରୀୟ କମିଟି ଗଠନ କରିବାକୁ ପରାମର୍ଶ ଦିଆଯାଇଥିଲା। ନୂତନ ଭାବେ ଗଠିତ ଏହି କମିଟି ପକ୍ଷରୁ ରାଜ୍ୟ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଡା. ଅବିନାଶ ସାମଲଙ୍କୁ କୃତଜ୍ଞତା ଜଣାଯାଇଛି। ଏହି ବୈଠକରେ କାର୍ଯ୍ୟକାରୀ ସଭ୍ୟ ଭାବେ ଦୁଷ୍ମନ୍ତ ସାହୁ,ବିମଳ ପରିଡା,ପୁରୁଷୋତ୍ତମ ସାଥୁଆ,ପ୍ରଦୀପ ପାଢ଼ୀ,ବିରଞ୍ଚି ନାରାୟଣ ବେହେରା,ବିରଞ୍ଚି ବେହେରା,ବୈକୁଣ୍ଠ ନାୟକ,ଅନିଲ ଗଡ଼ନାୟକ,ସିଫୁନ ସାମଲ,ଅଶୋକ କୁମାର ନାୟକ,ମାୟାଧର ମହାନ୍ତି,ଅଭିମନ୍ୟୁ ପ୍ରଧାନ,ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ନିଜର ନେତ୍ର ଦାନ କରି ଉଦାହରଣ ସାଜିଲେ ଉଦୟ 

ଢେଙ୍କାନାଳ – ନିଜର ଶେଷ ଇଛା କୁ ପରିବାର ସଦସ୍ୟ ମାନେ ଜଣାଇଛନ୍ତି ସାମ୍ନାନ ନିଜର ନେତ୍ର ଦାନ କରି ହୋଇଗଲେ ଜଣେ ମହାନ ବ୍ୟକ୍ତି ଘଟଣାରୁ ଜଣାଯାଏ ଜେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଗଁଦିଆ NAC ର ଆଙ୍କୁର୍ଦା ଗ୍ରାମର ଉଦୟନାଥ ସାହୁ ବୟସ 61ରାଜଧାନୀ ଭୁବନେଶ୍ୱର ରେ ରହି ଜଣେ ଶ୍ରମିକ ଭାବରେ କୋଠା ବାଡ଼ି ନିର୍ମାଣରେ କାର୍ଯ୍ୟ କରୁଥିଲେ 8ତାରିଖ ଦିନ ଏକ ବହୁତଳ ବିଶିଷ୍ଟ କୋଠାରେ କାର୍ଯ୍ୟରତ ସମୟରେ ହଟାତ ଭାଡା ବନ୍ଧା ଯାଇଥିବା ଏକ ବାଉଁଶ ତାଙ୍କର ମୁଣ୍ଡରେ ପଡିଥିଲା ଯାହାଫଳରେ ସେ ଆହତ ହୋଉଥିଲେ ଓ ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ଏମ୍ସ ମେଡିକାଲ କୁ ଚିକିତ୍ସା ନିମନ୍ତେ ନିଆଯାଇ ଥିଲା ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ଖବର ପାଇ ପରିବାର ସଦସ୍ୟ ଘଟଣା ସ୍ଥଳରେ ପହଁଚି ଥିଲେ ଉଦୟ ଙ୍କର ଶେଷ ଇଛା କୁ ସାମ୍ନାନ ଜଣାଇ ପରିବାର ପକ୍ଷରୁ ତାଙ୍କର ଦୁଇ ନେତ୍ର କୁ ଦାନ କରିବାକୁ ସହମତି ଜଣାଇଥିଲେ l ତାଙ୍କର ମୃତ ଦେହକୁ ଗ୍ରାମକୁ ଅଣାଯାଇ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି।

ଅଜଗର ଉଦ୍ଧାର

ଢେଙ୍କାନାଳ – ଢେଙ୍କାନାଳ ସହର ଉପକଣ୍ଠ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଇଣ୍ଡିଆନ୍ ପୋଟାସ୍ ଲିମିଟେଡ୍ କାରଖାନା ମୁଖ୍ୟ ଫାଟକ ନିକଟରୁ ସନ୍ଧ୍ୟାସମୟରେ ଏକ ବଡ଼ ଅଜଗରକୁ ଉଦ୍ଧାର କରାଯାଇଛି। ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳ ପକ୍ଷରୁ ସାପକୁ ଉଦ୍ଧାର କରାଯାଇ ସୁରକ୍ଷିତ ଆଶ୍ରୟସ୍ଥଳରେ ଛାଡ଼ି ଦିଆଯାଇଛି। ସୂଚନା ଅନୁସାରେ,ଆଇପିଏଲ୍ ଗେଟ୍ ନିକଟରେ ଏକ ବଡ଼ ଅଜଗର ବୁଲୁଥିବା ସୁରକ୍ଷା କର୍ମଚାରୀମାନେ ଦେଖିବାକୁ ପାଇ ସ୍ନେକ୍ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ। ଢେଙ୍କାନାଳ ସ୍ନେକ୍ ରେସ୍‌ କ୍ୟୁ ହେଲ୍ପ ଲାଇନ୍‌ର ସଂଯୋଜକ ସୌମ୍ୟଜିତ୍ ରଥ ଓ ସଦସ୍ୟ ଶକ୍ତି ସାହୁ ପହଞ୍ଚି ସତର୍କତାର ସହ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସଦର ବନାଞ୍ଚଳ ଅଧିକାରୀଙ୍କ ପରାମର୍ଶ କ୍ରମେ ସାପକୁ ହରିପୁର ମହାକାଳେଶ୍ଵର ଜଙ୍ଗଲରେ ଛାଡ଼ି ଦିଆଯାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

JCI demands DGP to make public the list of nodal officers for redressal of problems of journalists

masiha

ବିଭାଗୀୟ ଟାଳଟୁଳ ନୀତି ପ୍ରତିବାଦରେ ଅଗଷ୍ଟ ୩୧ ରିଖ ଠାରୁ ଛୁଟିରେ ରହିଲେ ନବରଙ୍ଗପୁର କୃଷି ବିଭାଗ ର ସମସ୍ତ ଅଧିକାରୀ

masiha

ବଢ଼ୁଛି ଚେରଚେଟା ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟ ବିବାଦ, ଫାଟକରେ ଧାରଣା ଦେଲେ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!