ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାହ–୨୦୨୬ ପାଳିତ
ପୁଷ୍ଟି ସଚେତନତା ପାଇଁ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ: ଜିଲ୍ଲାପାଳ
ନବରଙ୍ଗପୁର:(୧୪ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)“ଆମର ଅଙ୍ଗନବାଡ଼ି, ଆମର ଦାୟିତ୍ୱ” ବିଷୟବସ୍ତୁକୁ ନେଇ ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ୯ମ ରାଷ୍ଟ୍ରୀୟ ପୋଷଣ ମାହ–୨୦୨୬ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ।ଏକ ମାସ ଧରି ଚାଲିଥିବା ଏହି ଅଭିଯାନ ଅଧୀନରେ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ, କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ପକ୍ଷରୁ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ପୁଷ୍ଟିକର ଖାଦ୍ୟ, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ଗର୍ଭବତୀ ମହିଳା, ଶିଶୁ ଓ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସମ୍ପର୍କରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆୟୋଜନ କରାଯାଇଥିଲା।ପ୍ରଦର୍ଶନୀରେ ମିଲେଟ୍ ଲଡ଼ୁ, ଛତୁଆ ସମେତ ବିଭିନ୍ନ ପୁଷ୍ଟିକର ଖାଦ୍ୟ ସ୍ଥାନ ପାଇଥିଲା। ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଅଙ୍ଗନବାଡ଼ି କର୍ମୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ପୁଷ୍ଟିସାଧନ କ୍ଷେତ୍ରରେ ଜନସହଭାଗିତା ଓ ସାମୂହିକ ଦାୟିତ୍ୱବୋଧର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମା’ ଓ ଶିଶୁଙ୍କ ସୁସ୍ଥତା ପାଇଁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଗ୍ରହଣ, ସ୍ୱାସ୍ଥ୍ୟସେବାର ଉପଯୋଗ ଏବଂ ସରକାରୀ ଯୋଜନା ଗୁଡ଼ିକର ସୁଫଳ ହାସଲ କରିବା ଦିଗରେ ସମସ୍ତଙ୍କୁ ସଚେତନ ହେବାକୁ ସେ ଆହ୍ୱାନ ଦେଇଥିଲେ।ଏତଦବ୍ୟତୀତ ନିଜ ଅଭିଭାଷଣରେ ପୁଷ୍ଟି ସଚେତନତାକୁ ଅଧିକ ବ୍ୟାପକ କରିବା ପାଇଁ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର ଜନସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। ଏହି ଅଭିଯାନରେ ସରକାରୀ ଜନକଲ୍ୟାଣକାରୀ ଯୋଜନାର ସୁଫଳ ହାସଲ, ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ଏବଂ ସୁଷମ ଓ ପୁଷ୍ଟିକର ଖାଦ୍ୟ ଗ୍ରହଣର ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ବିଶେଷକରି ଗର୍ଭବତୀ ମହିଳା, ଶିଶୁ ଓ କିଶୋରୀମାନଙ୍କ ପାଇଁ ମିଲେଟ୍ ଲଡ଼ୁ, ଛତୁଆ ଭଳି ପୁଷ୍ଟିକର ଖାଦ୍ୟ ଏବଂ ଉପଲବ୍ଧ ସ୍ୱାସ୍ଥ୍ୟ ଓ ପୁଷ୍ଟିସେବାର ଉପଯୋଗିତା ଉପରେ ଗୁରୁତ୍ୱ ଦିଆଯିବ।ଏଥିପାଇଁ ପୁଷ୍ଟି, ସ୍ୱାସ୍ଥ୍ୟସେବା ଓ ସରକାରୀ ଯୋଜନାଗୁଡ଼ିକର ଲାଭ ସମ୍ପର୍କରେ ସଚେତନତାମୂଳକ ଭିଡିଓ ପ୍ରସ୍ତୁତ କରାଯାଇ ପ୍ରସାର କରାଯିବ। ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟରେ ଏହି ଅଭିଯାନ ଚାଲିବ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ଗ୍ରହଣ, ସୁସ୍ଥ ଜୀବନଶୈଳୀ ଏବଂ ସରକାରୀ ଯୋଜନାର ସଠିକ୍ ଉପଯୋଗ ସମ୍ପର୍କରେ ସଚେତନତା ବୃଦ୍ଧି ପାଇବା ସହ ଯୋଗ୍ୟ ହିତାଧିକାରୀମାନେ ଉପଲବ୍ଧ ସେବାର ସୁଫଳ ପାଇପାରିବେ।କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବି. ଏନ୍. ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ।ପୁଷ୍ଟି ଶିକ୍ଷା, ଜନସଚେତନତା ଓ ଅତ୍ୟାବଶ୍ୟକ ସେବା ପ୍ରଦାନ କ୍ଷେତ୍ରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ ସୁଦୃଢ଼ କରିବା ସହ ଜିଲ୍ଲା ପ୍ରଶାସନ, ଅଙ୍ଗନବାଡ଼ି କର୍ମୀ ଓ ସମାଜର ସମସ୍ତ ବର୍ଗଙ୍କ ସମନ୍ୱିତ ପ୍ରୟାସରେ ଏକ ସୁସ୍ଥ, ସମୃଦ୍ଧ ଓ ପୁଷ୍ଟିସମ୍ପନ୍ନ ନବରଙ୍ଗପୁର ଗଠନ କରିବା ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

