ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- କପିଳାସ ପୀଠରେ ଗର୍ଭଗୃହ କନକ ମଣ୍ଡପର ମରାମତି କାର୍ଯ୍ୟ ଜାରି , ୨- ସନ୍ଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ , ୩- ନିଶାମୁକ୍ତ ଭାରତ ଅଭିଯାନ: ଗଁଦିଆ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ, ୧୪ ପ୍ରକାର ଔଷଧ ଜବତ

କପିଳାସ ପୀଠରେ ଗର୍ଭଗୃହ କନକ ମଣ୍ଡପର ମରାମତି କାର୍ଯ୍ୟ ଜାରି

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ କପିଳାସର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପୀଠରେ ଗର୍ଭଗୃହସ୍ଥିତ କନକ ମଣ୍ଡପର ମରାମତି କାର୍ଯ୍ୟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଜାରି ରହିଛି। ମନ୍ଦିରର ଐତିହାସିକ ଓ ଧାର୍ମିକ ମହତ୍ତ୍ୱକୁ ଦୃଷ୍ଟିରେ ରଖି କନକ ମଣ୍ଡପର ଚାରୋଟି ଖୁଣ୍ଟ ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟ କରାଯାଉଛି। ପ୍ରଭୁ ଚନ୍ଦ୍ରଶେଖର ଜୀଉଙ୍କ ଏହି ପବିତ୍ର ପୀଠର ସଂରକ୍ଷଣ ଓ ଐତିହ୍ୟର ସୁରକ୍ଷା ଦୃଷ୍ଟିରୁ ଏହି ମରାମତି କାର୍ଯ୍ୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। କପିଳାସ ପୀଠର ଐତିହାସିକ ଗରିମା ଓ ଧାର୍ମିକ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ଆଗାମୀ ପିଢ଼ି ପାଇଁ ଏହି ଅମୂଲ୍ୟ ଐତିହ୍ୟର ସୁରକ୍ଷା କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ସନ୍ଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଢେଙ୍କାନାଳ – ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ସୃଷ୍ଟି ଲକ୍ଷ୍ୟରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ସନ୍ଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୀପ୍ତିରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆଦିତ୍ୟପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏହି ଅବସରରେ ଯୋରନ୍ଦା ବନପାଳ ଗଙ୍ଗାଧର ସାହୁ , ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସୁଶାନ୍ତ କୁମାର ରାଉତ , ଜିଲ୍ଲା ସଭାପତି ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ସତ୍ୟନାରାୟଣ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଓ ପରିବେଶ ସୁରକ୍ଷା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବୃକ୍ଷ ଆମର ପ୍ରକୃତ ବନ୍ଧୁ। ଏହା ଆମକୁ ଅମ୍ଳଜାନ ଯୋଗାଇବା ସହ ପରିବେଶର ସନ୍ତୁଳନ ରକ୍ଷା କରେ। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ବୃକ୍ଷରୋପଣ କରିବା ସହ ଲଗାଯାଇଥିବା ଚାରାଗୁଡ଼ିକର ଯତ୍ନ ନେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ।ବିଦ୍ୟାଳୟର ଇକୋ କ୍ଲବ୍‌ର ଗାଇଡ୍ ଶିକ୍ଷକ ତଥା ପ୍ରକୃତି ବନ୍ଧୁ ମନୋଜ କୁମାର ମହାନ୍ତି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ୧୦୦ରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା। ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସଚେତନତା ଓ ପ୍ରକୃତି ପ୍ରତି ଭଲପାଇବା ବୃଦ୍ଧି କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି। କାର୍ଯ୍ୟକ୍ରମରେ ଶିକ୍ଷକ ମନୋଜ କୁମାର ବଳିୟାରସିଂ,ସୁନିତା ବେହେରା, ଦୀପାଲି ସିଂ, ମୌସୁମୀ ତାଣ୍ଡି, ସଂଯୁକ୍ତା ଦାସ, ବର୍ଷା ସେଠୀ, ମିନତି ସାହୁ, ରାଜଲକ୍ଷ୍ମୀ ଭୋଇ, ହେମନ୍ତ କୁମାର ନାୟକ ,ଡମ୍ବରୁଧର ସ୍ୱାଇଁ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।

“ଗୋଟିଏ ଗଛ, ଅନେକ ଜୀବନ—ବୃକ୍ଷରୋପଣ ହେଉ ପରିବେଶ ସୁରକ୍ଷାର ସଂକଳ୍ପ” ଏହି ବାର୍ତ୍ତା ସହ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ନିଶାମୁକ୍ତ ଭାରତ ଅଭିଯାନ: ଗଁଦିଆ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ, ୧୪ ପ୍ରକାର ଔଷଧ ଜବତ

ଢେଙ୍କାନାଳ – ନିଶାଦ୍ରବ୍ୟର ଅବୈଧ କାରବାର ଓ ଅପବ୍ୟବହାର ରୋକିବା ଉଦ୍ଦେଶ୍ୟରେ ଚାଲିଥିବା ‘ନିଶାମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିନା ଲାଇସେନ୍ସରେ ଔଷଧ ମହଜୁଦ ରଖାଯାଇଥିବା ଏକ ସ୍ଥାନରୁ ୧୪ ପ୍ରକାରର ଔଷଧ ଜବତ କରାଯାଇଛି।

ଢେଙ୍କାନାଳର ଡ୍ରଗ୍ସ ଇନ୍ସପେକ୍ଟର ପବିତ୍ର ରଞ୍ଜନ କର ନିହଲପ୍ରସାଦ ଥାନା ପୁଲିସର ସହଯୋଗରେ ପିଙ୍ଗୁଆଠାରେ ଚଢ଼ାଉ କରିଥିଲେ। ଉକ୍ତ ସ୍ଥାନରେ ବେଆଇନ ଭାବେ NRX ବର୍ଗର ଔଷଧ ଓ ଗର୍ଭନିପାତକ ବଟିକା ମହଜୁଦ ରଖାଯାଇଥିବା ଜଣାପଡ଼ିଥିଲା।

ଜବତ ଔଷଧ ମଧ୍ୟରେ ନିଦ୍ରା ଓ ଶାନ୍ତକାରୀ ଔଷଧ ଆଲ୍ପ୍ରାଜୋଲାମ୍‌ର ବିପୁଳ ପରିମାଣ ସହ ଜରୁରୀକାଳୀନ ଗର୍ଭନିରୋଧକ ଔଷଧ ଲେଭୋନର୍ଜେଷ୍ଟ୍ରେଲ୍‌ ରହିଛି। ବିନା ଅନୁମତିରେ ଔଷଧ ମହଜୁଦ ରଖିବା ଓ ଔଷଧର ଅବୈଧ କାରବାର ରୋକିବା ଦିଗରେ ଏହି ଚଢ଼ାଉକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ଔଷଧର ବେଆଇନ ମହଜୁଦ ଓ ବିକ୍ରି ଉପରେ ନିୟନ୍ତ୍ରଣ ଲଗାଇବା ସହ ନିଶାଦ୍ରବ୍ୟର ଅପବ୍ୟବହାର ରୋକିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ନିର୍ବାଚନ ଖର୍ଚ୍ଚ ପରିଚାଳନା ଉପରେ ବୈଠକ ଅନୁଷ୍ଠିତ

masiha

ଜୁନାଗଡ଼ NACରେ ନାଳ ନର୍ଦ୍ଦମା ସଫେଇ ବ୍ୟବସ୍ଥା ବିଫଳ, ବର୍ଷା ଦିନେ ରାସ୍ତା ଉପରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧରେ ଅସ୍ୱାସ୍ଥ୍ୟକର ପରିବେଶ

Sunil Chandra Nayak

Awareness Campaigns Launched to Prevent Forest Fires in Singpur Range, Sikai Village Benefits

masiha

Leave a Comment

error: Content is protected !!