ନବରଙ୍ଗପୁର ଜିଲ୍ଲାରେ ବନ୍ୟା ମୁକାବିଲା ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କଲେ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଜିଲ୍ଲା ପ୍ରଶାସନର ତତ୍ପରତା ଓ ସମନ୍ୱିତ ପଦକ୍ଷେପକୁ ପ୍ରଶଂସା
ନବରଙ୍ଗପୁର:( ୨୯ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ପରିସ୍ଥିତିର ମୁକାବିଲା, ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳୀରେ ରିଲିଫ୍ ଓ ଖାଦ୍ୟ ବ୍ୟବସ୍ଥା ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆଜି ନବରଙ୍ଗପୁର ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଏକ ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୈଠକରେ ଅଧ୍ୟକ୍ଷତା କରିଥିଲେ।ବୈଠକର ପ୍ରାରମ୍ଭରେ ନବରଙ୍ଗପୁର ଜିଲ୍ଲାପାଳ ଉପସ୍ଥିତ ମାନ୍ୟବର ଜନପ୍ରତିନିଧି, ପଦାଧିକାରୀ ଓ ଅନ୍ୟାନ୍ୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପୂର୍ବ ପ୍ରସ୍ତୁତି, ଉଦ୍ଧାର କାର୍ଯ୍ୟ, ଲୋକଙ୍କ ସ୍ଥାନାନ୍ତର, ଆଶ୍ରୟସ୍ଥଳୀ ପରିଚାଳନା ଓ ରିଲିଫ୍ ବଣ୍ଟନ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଡ. ମହେଶ୍ୱର ସ୍ୱାଇଁ ବନ୍ୟା ପରିସ୍ଥିତି ସମୟରେ ଜିଲ୍ଲାର ବିଭିନ୍ନ ପ୍ରଭାବିତ ଅଞ୍ଚଳକୁ କରିଥିବା କ୍ଷେତ୍ରୀୟ ପରିଦର୍ଶନର ଅନୁଭୂତି ବାଣ୍ଟିଥିଲେ। ବନ୍ୟା ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତି, ଅଧିକାରୀମାନଙ୍କ ସତର୍କତା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସନ୍ତୋଷଜନକ ଥିବା ସେ ମତବ୍ୟକ୍ତ କରିଥିଲେ। ବିପର୍ଯ୍ୟୟ ସମୟରେ ତୃଣମୂଳ ସ୍ତରରେ ପ୍ରଶାସନର ସକ୍ରିୟ ଭୂମିକା ଓ ତତ୍ପରତା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ।ନବରଙ୍ଗପୁର ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀ ଗୌରୀଶଙ୍କର ମାଝୀ କହିଥିଲେ ଯେ, ସେ ମାନ୍ୟବର ମନ୍ତ୍ରୀଙ୍କ ସହ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ସେଠାରେ ଲୋକଙ୍କୁ ସୁରକ୍ଷିତ ରଖିବା, ଆବଶ୍ୟକ ସହାୟତା ଯୋଗାଇଦେବା ଓ ରିଲିଫ୍ ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ବ୍ଲକ୍ ଉନ୍ନୟନ ଅଧିକାରୀମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ଥିଲା। ସଙ୍କଟ ସମୟରେ ଅଧିକାରୀମାନଙ୍କ ଦାୟିତ୍ୱବୋଧ ଓ କାର୍ଯ୍ୟଦକ୍ଷତା ଲୋକଙ୍କୁ ଆଶ୍ୱସ୍ତ କରିଥିଲା ବୋଲି ସେ କହିଥିଲେ।ନବରଙ୍ଗପୁର ମାନ୍ୟବର ସାଂସଦ ଶ୍ରୀ ବଳଭଦ୍ର ମାଝୀ ବନ୍ୟା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହଜାର ହଜାର ଲୋକଙ୍କୁ ସମୟୋଚିତ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଉଲ୍ଲେଖ କରିଥିଲେ। ଏହି ପଦକ୍ଷେପ ଜନଜୀବନର ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ ମତ ପ୍ରକାଶ କରିଥିଲେ।ମାନ୍ୟବର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବନ୍ୟା ପରିସ୍ଥିତି ସମୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ଲକ୍ ଉନ୍ନୟନ ଅଧିକାରୀମାନେ ନିଜ ନିଜ ଦାୟିତ୍ୱ ସଠିକ୍ ଭାବେ ନିର୍ବାହ କରିଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଜିଲ୍ଲା ପ୍ରଶାସନର ସମନ୍ୱିତ ପଦକ୍ଷେପ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଥିବା ସେ ଉଲ୍ଲେଖ କରିଥିଲେ।ମନ୍ତ୍ରୀ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ ସମୟରେ ଖାଦ୍ୟ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଥିଲେ ଏବଂ ନିଜେ ଖାଦ୍ୟର ସ୍ୱାଦ ନେଇ ଏହାର ଗୁଣବତ୍ତା ସମ୍ପର୍କରେ ସନ୍ତୋଷ ପ୍ରକାଶ କରିଥିଲେ। ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କୁ ସମୟୋଚିତ ସହାୟତା, ନିରାପଦ ଆଶ୍ରୟ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇଦେବା ପ୍ରଶାସନର ପ୍ରାଥମିକ ଦାୟିତ୍ୱ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଜିଲ୍ଲାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା, ଭବିଷ୍ୟତରେ ଏଭଳି ପରିସ୍ଥିତିର ସଫଳ ମୁକାବିଲା କରିବା ବୋଲି ମତପ୍ରକାଶ କରିଥିଲେ l ଏହି ବୈଠକରେ ମାନ୍ୟବର ବିଧାୟକ ଡାବୁଗାଁ ଶ୍ରୀ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲ୍ଲାପାଳ ଶ୍ରମତୀ ମଧୁମିତା, ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ଭତ୍ରା, ଜିଲ୍ଲା ପରିଷଦ ସଭାପତି ଶ୍ରୀ ମୋତିରାମ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମନ ଧନ୍ୟବାଦ ଅର୍ପଣ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

