ବାତ୍ୟା “ଅର୍ଣ୍ଣବ”: ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନାନ୍ତରଣ ଓ ଅତ୍ୟାବଶ୍ୟକ ସେବା ସୁନିଶ୍ଚିତ; ଜାରି ରହିଛି ସତର୍କ ନଜର
ନବରଙ୍ଗପୁର;(୨୯ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)ବାତ୍ୟା “ଅର୍ଣ୍ଣବ”ର ପ୍ରଭାବ ହ୍ରାସ ପାଇବା ପରେ ମଧ୍ୟ ଜନସାଧାରଣଙ୍କ ସୁରକ୍ଷା ଏବଂ ପ୍ରଭାବିତ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇଦେବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ସତର୍କ ନଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାରେ ଗ୍ରହଣ କରାଯାଇଥିବା ପ୍ରସ୍ତୁତି, ମୁକାବିଲା ଓ ରିଲିଫ୍ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ସୂଚନାଅନୁଯାଇ, ବାତ୍ୟା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ଜିଲ୍ଲାର ୮ଟି ବ୍ଲକ୍ ଓ ୨ଟି ସହରାଞ୍ଚଳର ୩୮ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୭୮ଟି ଗ୍ରାମରୁ ମୋଟ ୧୦,୫୩୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଥିଲା। ପ୍ରଭାବିତ ଲୋକଙ୍କ ରହିବା ଓ ଖାଦ୍ୟ ବ୍ୟବସ୍ଥା ପାଇଁ ମୋଟ ୫୩ଟି ଆଶ୍ରୟସ୍ଥଳୀରେ ନିଃଶୁଳ୍କ ରନ୍ଧାଖାଦ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଥିଲା।ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ ବରିଷ୍ଠ ଅଧିକାରୀ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଡ଼ ମହେଶ୍ୱର ମହାନ୍ତି ବିପଦପ୍ରବଣ ଅଞ୍ଚଳ ଏବଂ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିବା ସହ ସଠିକ ମାର୍ଗ ଦର୍ଶନ କରିଥିଲେ । ମାନ୍ୟବର ମନ୍ତ୍ରୀ ଜିଲ୍ଲାର ପ୍ରସ୍ତୁତି ଓ ଆଶ୍ରୟସ୍ଥଳୀଗୁଡ଼ିକରେ ଯୋଗାଇ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତାକୁ ପ୍ରଶଂସା କରିଥିଲେ। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ ଆଶ୍ରୟସ୍ଥଳୀଗୁଡ଼ିକର ସୁପରିଚାଳନା ସୁନିଶ୍ଚିତ କରିବା ପାଇଁ ବରିଷ୍ଠ ଜିଲ୍ଲାସ୍ତରୀୟ ଅଧିକାରୀମାନେ କ୍ଷେତ୍ରସ୍ତରରେ ବ୍ୟବସ୍ଥାଗୁଡ଼ିକର ତଦାରଖ କରିଥିଲେ।ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟସେବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା। ମୋଟ ୩୩୯ ଜଣ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟାନୁଷ୍ଠାନ ଓ ଆଶ୍ରୟସ୍ଥଳୀରେ ରଖିବାର ବ୍ୟବସ୍ଥା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଏହି ତିନି ଦିନ ମଧ୍ୟରେ ୭୦ ଜଣ ମହିଳାଙ୍କ ପ୍ରସବ ହୋଇଥିବା ରେକର୍ଡ କରାଯାଇଛି। ଗର୍ଭବତୀ ମହିଳାମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ସ୍ୱତନ୍ତ୍ର ଯତ୍ନ ଯୋଗାଇ ଦିଆଯାଇଥିଲା।ଜରୁରୀକାଳୀନ ମୁକାବିଲା ପାଇଁ ୩ଟି ଓଡ୍ରାଫ୍ ଟିମ୍, ୧୧ଟି ଅଗ୍ନିଶମ ସେବା ଟିମ୍ ଏବଂ ୨୫୧ଟି ଯାନ ପ୍ରସ୍ତୁତ ରଖାଯାଇଥିଲା। ବିପଦପ୍ରବଣ ବ୍ଲକ୍ଗୁଡ଼ିକର ତଦାରଖ ପାଇଁ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ଉଦ୍ଧାରକାର୍ଯ୍ୟ ପାଇଁ ଉଦ୍ଧାରକାରୀ ଡଙ୍ଗା ସହ ଆବଶ୍ୟକ ଉପକରଣ ମଧ୍ୟ ପ୍ରସ୍ତୁତ ରଖାଯାଇଥିଲା। ଜିଲ୍ଲା, ବ୍ଲକ୍, ତହସିଲ୍ ଓ ସହରାଞ୍ଚଳ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହି ଉଦ୍ଧାର, ରିଲିଫ୍ ଓ ଜରୁରୀକାଳୀନ କାର୍ଯ୍ୟର ସମନ୍ୱୟ କରୁଥିଲା।ଜିଲ୍ଲାର ରାଇଘର ଓ ଡାବୁଗାଁ ବ୍ଲକ୍ରେ ୩୦ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ମିଳିଛି। ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ସୁରକ୍ଷା ଯୋଗାଇଦେବା ପାଇଁ ସମସ୍ତଙ୍କୁ ପଲିଥିନ୍ ସିଟ୍ ପ୍ରଦାନ କରାଯାଇଥିଲା। ରାଇଘର, ତେନ୍ତୁଳିଖୁଣ୍ଟି ଓ ଉମରକୋଟ ବ୍ଲକ୍ରେ ଗଛ ପଡ଼ିବାର ୪ଟି ଘଟଣା ରିପୋର୍ଟ ହୋଇଥିଲା। ଅଗ୍ନିଶମ ସେବା ବିଭାଗ ପକ୍ଷରୁ ତୁରନ୍ତ ଗଛଗୁଡ଼ିକୁ ହଟାଇ ଯାତାୟାତ ସ୍ୱାଭାବିକ କରାଯାଇଥିଲା।ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ୍ ଓ ମୁକାବିଲା ବ୍ୟବସ୍ଥା ପାଇଁ ୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବାବେଳେ ସେଥିମଧ୍ୟରୁ ୧.୦୪ କୋଟି ଟଙ୍କା ବ୍ଲକ୍ ଓ ସହରାଞ୍ଚଳ ସଂସ୍ଥାଗୁଡ଼ିକୁ ପ୍ରଦାନ କରାଯାଇଥିଲା। ଏହା ସହିତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ୨,୦୩୦ଟି ପଲିଥିନ୍ ସିଟ୍ ଓ ଉଦ୍ଧାରକାରୀ ଡଙ୍ଗାର ବ୍ୟବସ୍ଥା କରାଯାଇଥିଲା। ଗତକାଲି ଜିଲ୍ଲାରେ ହାରାହାରି ୪୧.୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୨୯ ଅକ୍ଟୋବର ସକାଳ ୮ଟା ସୁଦ୍ଧା ଉପର ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସଂରକ୍ଷଣ କ୍ଷମତାର ୭୮.୦୬ ପ୍ରତିଶତ ଜଳ ରହିଥିଲା। ନଦୀ, ଜଳଭଣ୍ଡାର ଓ ଅନ୍ୟାନ୍ୟ ବିପଦପ୍ରବଣ ସ୍ଥାନଗୁଡ଼ିକ ଉପରେ ନିରନ୍ତର ନଜର ରଖାଯାଇଥିଲା।ବାତ୍ୟାର ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ଜିଲ୍ଲାରେ ସତର୍କତା ଅବଲମ୍ବନ କରାଯାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ରାଇଘର ଓ ତେନ୍ତୁଳିଖୁଣ୍ଟି ବ୍ଲକ୍ରେ ୩ଟି ନିଃଶୁଳ୍କ ରନ୍ଧାଖାଦ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ୩ଟି ଆଶ୍ରୟସ୍ଥଳୀରେ ୫୨ ଜଣ ରହୁଛନ୍ତି। ସେହିପରି, ୨୪୬ ଜଣ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକରେ ଚିକିତ୍ସା ଓ ଯତ୍ନ ପାଉଛନ୍ତି। ୨୯ ଅକ୍ଟୋବର ଦିନ ୧୪ଟି ପ୍ରସବ ରେକର୍ଡ କରାଯାଇଛି।ଜିଲ୍ଲା ପ୍ରଶାସନ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି। ଅତ୍ୟାବଶ୍ୟକ ସେବା ଅବ୍ୟାହତ ରଖିବା ସହ ଯେକୌଣସି ଜରୁରୀ ଆବଶ୍ୟକତାର ତୁରନ୍ତ ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି।ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ବାତ୍ୟା ମୁକାବିଲା, ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀ ପରିଚାଳନା, ସ୍ୱାସ୍ଥ୍ୟସେବା ଓ ରିଲିଫ୍ କାର୍ଯ୍ୟରେ ସମସ୍ତ ବିଭାଗ, ଜରୁରୀକାଳୀନ ପ୍ରତିକ୍ରିୟା ଦଳ, ଜନପ୍ରତିନିଧି ଓ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିଥିଲେ। ଜନସାଧାରଣଙ୍କ ଜୀବନର ସୁରକ୍ଷା, ଆବଶ୍ୟକ ସମୟରେ ସହାୟତା ପ୍ରଦାନ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନ ପ୍ରତିବଦ୍ଧ ବୋଲି ସେ ପୁନର୍ବାର ସ୍ପଷ୍ଟ କରିଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

