ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ଆଜିର ଦିବସର ଅନୁଚିନ୍ତା: ଅକ୍ଟୋବର ୩୧ ତାରିଖ: ବିଶ୍ୱ ସହର ଦିବସରେ ସ୍ଥାୟୀ ବିକାଶର ବାର୍ତ୍ତା,ରାଷ୍ଟ୍ରୀୟ ଏକତା ଦିବସରେ ସଂକଳ୍ପ ଓ ସମନ୍ୱୟର ଏକ ମହାନ୍ ଆହ୍ୱାନ

ଆଜିର ଦିବସର ଅନୁଚିନ୍ତା: ଅକ୍ଟୋବର ୩୧ ତାରିଖ: ବିଶ୍ୱ ସହର ଦିବସରେ ସ୍ଥାୟୀ ବିକାଶର ବାର୍ତ୍ତା,ରାଷ୍ଟ୍ରୀୟ ଏକତା ଦିବସରେ ସଂକଳ୍ପ ଓ ସମନ୍ୱୟର ଏକ ମହାନ୍ ଆହ୍ୱାନ

ଡା.ଦେବୀ ପ୍ରସାଦ ମିଶ୍ର,

ସମୟର ଅବିରତ ପ୍ରବାହରେ ପ୍ରତିଟି ଦିନ ଇତିହାସର ଏକ ନୂତନ ଅଧ୍ୟାୟ ଉନ୍ମୋଚନ କରିଥାଏ।ଆଜି ଅକ୍ଟୋବର ୩୧ ତାରିଖ।ଭାରତର ଜାତୀୟ ଜୀବନ,ବିଶ୍ୱର ସହରୀକରଣ ଓ ବିଜ୍ଞାନର ଅଗ୍ରଗତି ପରିପ୍ରେକ୍ଷୀରେ ଏହି ଦିନଟିର ରହିଛି ବିଶେଷ ଐତିହାସିକ ଗୁରୁତ୍ୱ।

ବିଶ୍ୱ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ତରରେ ଅକ୍ଟୋବର ୩୧ ତାରିଖକୁ ବିଶ୍ୱ ସହର ଦିବସ ଭାବେ ପାଳନ କରାଯାଏ। ମିଳିତ ଜାତିସଂଘର ସାଧାରଣ ପରିଷଦ ୨୦୧୩ ମସିହାରେ ଏହି ଦିବସ ପାଳନ ପାଇଁ ଘୋଷଣା କରିଥିଲା ଏବଂ ୨୦୧୪ରୁ ଏହା ପାଳିତ ହୋଇଆସୁଛି।ଦ୍ରୁତ ସହରୀକରଣ,ଜନସଂଖ୍ୟା ବୃଦ୍ଧି,ପରିବେଶ ପ୍ରଦୂଷଣ,ଯାତାୟାତ ସମସ୍ୟା,ଗୃହନିର୍ମାଣ ଓ ମୌଳିକ ସେବାର ଅଭାବ ଆଜିର ସହରୀ ଜୀବନର ପ୍ରମୁଖ ଆହ୍ୱାନ।ତେଣୁ ସମାବେଶୀ,ସୁରକ୍ଷିତ,ସହନଶୀଳ ଓ ସ୍ଥାୟୀ ସହର ଗଠନ ପାଇଁ ବିଶ୍ୱ ସମୁଦାୟର ସମନ୍ୱିତ ପ୍ରୟାସ ଏହି ଦିବସର ମୂଳ ଉଦ୍ଦେଶ୍ୟ।ଏହି ଦିନଟି ମଧ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକରେ ହାଲୋୱିନ୍ ଭାବେ ମଧ୍ୟ ପାଳିତ ହୁଏ।ଏହାର ଐତିହାସିକ ମୂଳ ପ୍ରାଚୀନ କେଲ୍ଟିକ୍ ସାମହେନ୍ ପରମ୍ପରା ସହ ଜଡ଼ିତ।ଆଜି ଏହା ମୁଖା,ବିଚିତ୍ର ପୋଷାକ,କଖାରୁରେ ଆଲୋକ ସଜ୍ଜା ଓ ଶିଶୁମାନଙ୍କର ‘ଟ୍ରିକ୍ ଅର୍ ଟ୍ରିଟ୍’ ପରମ୍ପରା ମାଧ୍ୟମରେ ଏକ ଲୋକପ୍ରିୟ ସାଂସ୍କୃତିକ ଉତ୍ସବର ରୂପ ନେଇଛି।ବିଜ୍ଞାନ ଓ ଭୂଗୋଳ ଇତିହାସରେ ମଧ୍ୟ ଅକ୍ଟୋବର ୩୧ର ଏକ ସ୍ମରଣୀୟ ଘଟଣା ରହିଛି।୧୯୫୬ ମସିହା ଏହି ଦିନ ଆମେରିକାର ନୌସେନାର ଆର୍ ଫୋର୍ ଡି ସ୍କାଏ ଟ୍ରେନ୍ ବିମାନ ‘କ୍ୟୁ ସେରାସେରା’ ଦକ୍ଷିଣ ମେରୁର ବରଫାବୃତ ଭୂମିରେ ପ୍ରଥମ ଥର ପାଇଁ ସଫଳତାର ସହ ଅବତରଣ କରିଥିଲା।ଏହି ଐତିହାସିକ ଅବତରଣର ନେତୃତ୍ୱ ରିୟର୍ ଆଡମିରାଲ୍ ଜର୍ଜ ଡୁଫେକ୍‌ଙ୍କ ଅଭିଯାନ ସହ ସମ୍ପୃକ୍ତ ଥିଲା।ଏହା ଆଣ୍ଟାର୍କଟିକାରେ ବୈଜ୍ଞାନିକ ଅନୁସନ୍ଧାନ ଓ ମହାକାଶ-ଭୂଗୋଳ ଗବେଷଣାର ଭବିଷ୍ୟତ ପାଇଁ ଏକ ନୂତନ ଦିଗ ଉନ୍ମୋଚନ କରିଥିଲା।

ଭାରତ କ୍ଷେତ୍ରରେ ଭାରତୀୟ ଜାତୀୟ ଜୀବନରେ ଅକ୍ଟୋବର ୩୧ ହେଉଛି ରାଷ୍ଟ୍ରୀୟ ଏକତା ଦିବସ।ଆଧୁନିକ ଭାରତର ରାଷ୍ଟ୍ରୀୟ ଏକୀକରଣର ଅନ୍ୟତମ ମହାନ ଶିଳ୍ପୀ,ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଏ।୧୮୭୫ ମସିହା ଅକ୍ଟୋବର ୩୧ରେ ଗୁଜରାଟର ନାଡିଆଦଠାରେ ତାଙ୍କର ଜନ୍ମ ହୋଇଥିଲା। ସ୍ୱାଧୀନତା ପରେ ଭାରତର ୫୬୦ରୁ ଊର୍ଦ୍ଧ୍ୱ ଦେଶୀୟ ରାଜ୍ୟର ଏକୀକରଣ ପ୍ରକ୍ରିୟାରେ ତାଙ୍କର ଦୃଢ଼ ନେତୃତ୍ୱ,ରାଜନୈତିକ ଦୂରଦୃଷ୍ଟି ଓ କୂଟନୈତିକ ଦକ୍ଷତା ଅବିସ୍ମରଣୀୟ।ତାଙ୍କର ଅସାଧାରଣ ଅବଦାନ ଭାରତର ଭୌଗୋଳିକ ଅଖଣ୍ଡତା ଓ ରାଷ୍ଟ୍ରୀୟ ସଂହତିର ମୂଳଦୁଆକୁ ସୁଦୃଢ଼ କରିଥିଲା।୨୦୧୪ ମସିହାରୁ ଭାରତ ସରକାର ତାଙ୍କ ଜନ୍ମଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିଆସୁଛନ୍ତି।ଏହି ଦିନଟି ଆଉ ଏକ ଐତିହାସିକ ସ୍ମୃତି ବହନ କରେ।୧୯୮୪ ମସିହା ଅକ୍ଟୋବର ୩୧ରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ସୁରକ୍ଷାକର୍ମୀଙ୍କ ଗୁଳିରେ ହତ୍ୟା କରାଯାଇଥିଲା।ତାଙ୍କର ଏହି ମର୍ମାନ୍ତିକ ମୃତ୍ୟୁ ଭାରତୀୟ ଇତିହାସର ଏକ ଦୁଃଖଦ ଅଧ୍ୟାୟ।ତାଙ୍କର ରାଜନୈତିକ ଜୀବନ,ନେତୃତ୍ୱ ଓ ଦେଶର ଇତିହାସରେ ରହିଥିବା ଅବଦାନକୁ ସ୍ମରଣ କରିବା ସହ ଏହି ଘଟଣା ଆମକୁ ଜାତୀୟ ଶାନ୍ତି,ସହିଷ୍ଣୁତା ଓ ସାମାଜିକ ସଦ୍‌ଭାବର ଅପରିହାର୍ଯ୍ୟତା ଉପଲବ୍ଧି କରାଏ।

ଓଡ଼ିଶାର ଐତିହାସିକ ପ୍ରେକ୍ଷାପଟରେ ମଧ୍ୟ ଜାତୀୟ ଏକତାର ଏହି ଭାବନାର ରହିଛି ଗଭୀର ତାତ୍ପର୍ଯ୍ୟ।ସ୍ୱାଧୀନତା ପରେ ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ପ୍ରକ୍ରିୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ,ତତ୍କାଳୀନ ଓଡ଼ିଶାର ପ୍ରଧାନମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଓ ଭି.ପି.ମେନନ୍ ଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।୧୯୪୭ ମସିହା ଡିସେମ୍ବରରେ କଟକଠାରେ ଗଡ଼ଜାତ ରାଜାମାନଙ୍କ ସହ ଆଲୋଚନା ଓ ମିଶ୍ରଣ ଚୁକ୍ତି ସମ୍ପନ୍ନ ହୋଇଥିଲା।୧୯୪୮ ଜାନୁଆରୀ ୧ ତାରିଖରୁ ୨୫ଟି ଗଡ଼ଜାତ ରାଜ୍ୟ ଓଡ଼ିଶାରେ ମିଶିଥିବା ବେଳେ ମୟୂରଭଞ୍ଜ ୧୯୪୯ ଜାନୁଆରୀ ୧ ତାରିଖରେ ମିଶିଥିଲା।ଏହି ଐତିହାସିକ ଘଟଣା ଓଡ଼ିଶାର ଭୌଗୋଳିକ ଓ ପ୍ରଶାସନିକ ଏକୀକରଣ ସହ ଓଡ଼ିଆ ଜାତୀୟ ଚେତନାକୁ ଏକ ନୂତନ ଦିଗ ଦେଇଥିଲା।

ଆଜିର ଦିବସ ଆମକୁ କେବଳ ଅତୀତର ଗୌରବଗାଥା ସ୍ମରଣ କରାଏ ନାହିଁ,ବରଂ ବର୍ତ୍ତମାନର କର୍ତ୍ତବ୍ୟ ଓ ଭବିଷ୍ୟତର ଦାୟିତ୍ୱ ପ୍ରତି ମଧ୍ୟ ସଚେତନ କରାଏ।ସର୍ଦ୍ଦାର ପଟେଲଙ୍କ ରାଷ୍ଟ୍ରୀୟ ଏକତାର ଆଦର୍ଶ,ଇନ୍ଦିରା ଗାନ୍ଧୀଙ୍କ ଐତିହାସିକ ନେତୃତ୍ୱ,ଓଡ଼ିଶାର ଗଡ଼ଜାତ ମିଶ୍ରଣର ଅନୁଭବ ଓ ବିଶ୍ୱ ସହର ଦିବସର ସ୍ଥାୟୀ ବିକାଶର ବାର୍ତ୍ତା ଆମକୁ ଏକ ସମନ୍ୱିତ ସମାଜ ଗଠନର ପ୍ରେରଣା ଦିଏ।

ଆଜିର ସମୟରେ ଜାତି,ଧର୍ମ,ଭାଷା,ଅଞ୍ଚଳ ଓ ମତବାଦର ଭିନ୍ନତାକୁ ସମ୍ମାନ ଦେଇ ପାରସ୍ପରିକ ବିଶ୍ୱାସ,ସହିଷ୍ଣୁତା ଓ ଭାତୃଭାବର ସେତୁ ନିର୍ମାଣ କରିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ।ସଂହତି ହେଉଛି ଶକ୍ତିର ଉତ୍ସ,ସମନ୍ୱୟ ହେଉଛି ପ୍ରଗତିର ପଥ ଏବଂ ମାନବିକତା ହେଉଛି ସଭ୍ୟତାର ପ୍ରକୃତ ପରିଚୟ।ତେବେ ଆସନ୍ତୁ,ଆମେ ସମସ୍ତେ ବ୍ୟକ୍ତିଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱକୁ ଉଠି ଏକତା,ଶାନ୍ତି,ସହଯୋଗ ଓ ସ୍ଥାୟୀ ବିକାଶ ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା।ତାହା ହିଁ ହେବ ଅକ୍ଟୋବର ୩୧ର ମହାନ୍ ବାର୍ତ୍ତା ଓ ଏହି ଦିବସ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି।

ଡା.ଦେବୀ ପ୍ରସାଦ ମିଶ୍ର,

Related posts

ଆଜିର ଦିବସର ଅନୁଚିନ୍ତା : ଏପ୍ରିଲ୍ ୨୮ ତାରିଖ : ସୁରକ୍ଷିତ କର୍ମଜୀବନ,ସ୍ୱାଭିମାନୀ ଜାତିଗଠନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଜୁଲାଇ ୫ ତାରିଖ :  କ୍ଲୋନଡ୍ ସ୍ତନ୍ୟପାୟୀ ଜୀବ ‘ଡଲି’ ମେଣ୍ଢା,ଇ-କମର୍ସ ସଂସ୍ଥା ‘ଆମାଜନ୍’,ଡିଏନଏ ଫିଙ୍ଗର ପ୍ରିଣ୍ଟିଂର ଦିବସ 

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଆଜି ଜନ୍ମଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!