ପ୍ରବଳ ବର୍ଷା ଓ ବାତ୍ୟା ଆଶଙ୍କା: କନ୍ଧମାଳବାସୀଙ୍କୁ ସତର୍କ କଲା ଜିଲ୍ଲା ପ୍ରଶାସନ : ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ
କନ୍ଧମାଳ, ୦୨/୧୧:(ମନିସ): ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ଆସନ୍ତା ନଭେମ୍ବର ୩ ଓ ୪ ତାରିଖରେ ପ୍ରବଳ ବର୍ଷା ଆଶଙ୍କାକୁ ନେଇ କନ୍ଧମାଳ ଜିଲ୍ଲାରେ ସତର୍କତା ଜାରି କରିଛି ପ୍ରଶାସନ। ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ଭଳି ବିପଦଜନକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଲୋକଙ୍କୁ ଆଗୁଆ ସଚେତନ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ନଦୀକୂଳ, ତଳିଆ ଅଞ୍ଚଳ, ପାହାଡ଼ିଆ ଉପତ୍ୟକା ଏବଂ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନରେ ବସବାସ କରୁଥିବା ପରିବାର ଗୁଡ଼ିକୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ବିପଦ ମୁକାବିଲା ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ସେହିପରି ବର୍ଷା ସମୟରେ ନଦୀ, ନାଳ ଓ ଜଳପ୍ଲାବିତ ରାସ୍ତା ପାର ନହେବାକୁ ଚେତାବନୀ ଦିଆଯାଇଛି। ବିଦ୍ୟୁତ୍ ଖୁଣ୍ଟ, ଛିଣ୍ଡି ପଡ଼ିଥିବା ତାର ଓ ବଡ଼ ବଡ଼ ଗଛଠାରୁ ଦୂରେଇ ରହିବା ସହ ବଜ୍ରପାତ ସମୟରେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନଭେମ୍ବର ୩ ଓ ୪ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରିବାରୁ ନିବୃତ୍ତ ରହିବା ସହ ଘରେ ଶୁଖିଲା ଖାଦ୍ୟ, ପିଇବା ପାଣି, ଜରୁରୀ ଔଷଧ ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ କୁହାଯାଇଛି। ପାନୀୟ ଜଳକୁ ଫୁଟାଇ ବ୍ୟବହାର କରିବା ସହ ଗୃହପାଳିତ ପଶୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଯତ୍ନବାନ ହେବାକୁ ପରାମର୍ଶ ରହିଛି। ଅନ୍ୟପକ୍ଷରେ ବାତ୍ୟା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ଅପ୍ରମାଣିତ ଖବର ଓ ଗୁଜବରେ ବିଶ୍ୱାସ ନକରିବାକୁ ପ୍ରଶାସନ ଅନୁରୋଧ କରିଛି। କେବଳ ଜିଲ୍ଲା ପ୍ରଶାସନ ଓ ପାଣିପାଗ ବିଭାଗର ସରକାରୀ ସୂଚନାକୁ ଅନୁସରଣ କରିବାକୁ କୁହାଯାଇଛି। ସମ୍ଭାବ୍ୟ ବିପଦକୁ ଏଡ଼ାଇବା ପାଇଁ ଆତଙ୍କିତ ନହୋଇ ସଚେତନ ରହିବା ସହ ପ୍ରଶାସନକୁ ସହଯୋଗ କରିବା ହିଁ ଏବେ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡ଼ିଛି।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

