ରାଇରଙ୍ଗପୁର ମହାବିଦ୍ୟାଳୟକୁ ପୂର୍ଣ୍ଣ ସରକାରୀ ମାନ୍ୟତା ସହ ୪ ଦଫା ଦାବି ରଖିଲା ମାସ ସଂଗଠନ
୨୦୨୭-୨୮ ଶିକ୍ଷାବର୍ଷରୁ ପିଜି ପାଠ୍ୟକ୍ରମ ଆରମ୍ଭ ଓ ସାନ୍ତାଳୀ ଅନର୍ସ ଖୋଲିବାକୁ ଦାବି
ରାଇରଙ୍ଗପୁର ୪/୧୧….. ମୟୂରଭଞ୍ଜ ଜିଲ୍ଲାର ଉଚ୍ଚଶିକ୍ଷା ବ୍ୟବସ୍ଥାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା ) ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ୪ ଦଫା ଦାବି ଉପସ୍ଥାପନ କରାଯାଇଛି। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ବାମନଘାଟି ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ସଂଗଠନ ପକ୍ଷରୁ କୁହାଯାଇଛି ଯେ, ୧୯୬୩ ମସିହାରେ ପ୍ରତିଷ୍ଠିତ ରାଇରଙ୍ଗପୁର ମହାବିଦ୍ୟାଳୟ ଦୀର୍ଘ ୬୩ ବର୍ଷ ଧରି ଅଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିଆସୁଛି। ତେବେ ଏତେ ପୁରାତନ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣ ସରକାରୀ ମାନ୍ୟତା ନମିଳିବା ଦୁଃଖର ବିଷୟ ବୋଲି ସଂଗଠନ ପ୍ରକାଶ କରିଛି।
ସେହିପରି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଚାଲୁଥିବା ସେଲ୍ଫ ଫାଇନାନ୍ସ ବିଭାଗଗୁଡ଼ିକୁ ସରକାରୀକରଣରେ ସାମିଲ କରିବାକୁ ଦାବି ହୋଇଛି। ଏହାଦ୍ୱାରା ଗରିବ, ଆଦିବାସୀ ଓ ଆର୍ଥିକ ଅନଗ୍ରସର ପରିବାରର ଛାତ୍ରଛାତ୍ରୀମାନେ କମ୍ ଖର୍ଚ୍ଚରେ ଉଚ୍ଚଶିକ୍ଷା ଲାଭ କରିପାରିବେ ବୋଲି ମାସା ସଂଗଠନ ମତ ପ୍ରକାଶ କରିଛି।
ଏଥିସହ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ଅନର୍ସ ଖୋଲିବାକୁ ଦାବି କରାଯାଇଛି। ଏହାଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ଉଚ୍ଚଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ ଏବଂ ଭାଷା ଓ ସଂସ୍କୃତିର ସୁରକ୍ଷା ହୋଇପାରିବ।
ଅନ୍ୟପକ୍ଷରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ୨୦୨୭-୨୮ ଶିକ୍ଷାବର୍ଷରୁ ଆବଶ୍ୟକୀୟ ବିଭାଗରେ ସ୍ନାତକୋତ୍ତର (ପିଜି ) ପାଠ୍ୟକ୍ରମ ଆରମ୍ଭ କରିବାକୁ ସଂଗଠନ ଦାବି ରଖିଛି। ବର୍ତ୍ତମାନ ଉଚ୍ଚଶିକ୍ଷା ପାଇଁ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପ୍ରାୟ ୧୦୦ କିଲୋମିଟର କିମ୍ବା ତାଠାରୁ ଅଧିକ ଦୂରକୁ ଯିବାକୁ ପଡ଼ୁଥିବାରୁ ଅନେକ ଗରିବ ଛାତ୍ରଛାତ୍ରୀ ଆର୍ଥିକ ଅସୁବିଧା ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି।
ମାସା ସଂଗଠନ ପକ୍ଷରୁ ରଖାଯାଇଥିବା ମୁଖ୍ୟ ୪ଟି ଦାବି ହେଲା, ରାଇରଙ୍ଗପୁର ମହାବିଦ୍ୟାଳୟକୁ ପୂର୍ଣ୍ଣ ସରକାରୀ ମାନ୍ୟତା, ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ସେଲ୍ଫ ଫାଇନାନ୍ସ ବିଭାଗର ସରକାରୀକରଣ, ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ଅନର୍ସ ଖୋଲିବା ଏବଂ ୨୦୨୭-୨୮ ଶିକ୍ଷାବର୍ଷରୁ ରାଇରଙ୍ଗପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା।
ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଠାକାର ଉଚ୍ଚଶିକ୍ଷାର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ସଂଗଠନ ଦାବି କରିଛି। ଏହି ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପଦକ୍ଷେପ ନିଆଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

