ଗଜଲକ୍ଷ୍ମୀ ପୂଜାରେ କିନ୍ନରଙ୍କ ଯୋଗଦାନ
ସାମାଜିକ ସମାନତା, ଭାଇଚାରା ର ନିଆରା ଉଦାହରଣ
ନବରଙ୍ଗପୁର:(ରବି ନାରାୟଣ ମହାନ୍ତି)ସମାଜରେ ସମସ୍ତଙ୍କୁ ସମାନ ସମ୍ମାନ, ମର୍ଯ୍ୟାଦା ଓ ଅଧିକାର ମିଳିବା ହିଁ ପ୍ରକୃତ ମାନବିକତାର ପରିଚୟ। ଏହି ମହତ୍ ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇ ନବରଙ୍ଗପୁର ଜିଲ୍ଲାର ତେଲି ସାହି ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଜିଲ୍ଲା କିନ୍ନର ସଂଘର ସଦସ୍ୟମାନଙ୍କୁ ନିମନ୍ତ୍ରଣ କରାଯାଇ ମା’ ଗଜଲକ୍ଷ୍ମୀଙ୍କ ଆଶୀର୍ବାଦ ଗ୍ରହଣ କରିବାର ସୁଯୋଗ ଦିଆଯାଇଛି। ପୂଜା ମଣ୍ଡପରେ କିନ୍ନର ସମାଜର ସଦସ୍ୟମାନଙ୍କୁ ଏପରି ସମ୍ମାନ ଓ ଆଦର ପ୍ରଦର୍ଶନ କରାଯିବା ଜିଲ୍ଲାରେ ସାମାଜିକ ସମାନତାର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛି। ସମାଜର ମୁଖ୍ୟସ୍ରୋତରେ କିନ୍ନରମାନଙ୍କୁ ସାମିଲ କରିବା ଏବଂ ସେମାନଙ୍କ ପ୍ରତିଭା ଓ ଦକ୍ଷତାକୁ ଉପଯୁକ୍ତ ସ୍ୱୀକୃତି ଦେବା ଦିଗରେ ଏହା ଏକ ପ୍ରଶଂସନୀୟ ପ୍ରୟାସ। ସୂଚନା ଯୋଗ୍ୟ ଯେ ମଣ୍ଡେଇ ମଞ୍ଚରେ ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କିନ୍ନର ସଂଘର ସଦସ୍ୟମାନଙ୍କୁ ମଣ୍ଡେଇ ମଞ୍ଚରେ ନୃତ୍ୟ ପରିବେଷଣ କରିବାର ସୁଯୋଗ ମିଳିଥିଲା। ସେହିପରି ସଂଘର ସଦସ୍ୟା ରାଧା ଧାକଡ ମଣ୍ଡେଇ ଲୋକଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଏକ ନୂଆ ଇତିହାସ ସୃଷ୍ଟି କରିଥିଲେ। ଏହା ପ୍ରମାଣ କରୁଛି ଯେ ସୁଯୋଗ ଓ ପ୍ରୋତ୍ସାହନ ମିଳିଲେ କିନ୍ନରମାନେ ମଧ୍ୟ ନିଜ ପ୍ରତିଭା ବଳରେ ସମାଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ। ଜିଲ୍ଲା କିନ୍ନର ସଂଘ କେବଳ ନିଜ ସମାଜର ଉନ୍ନତି ପାଇଁ ସୀମିତ ନ ରହି ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟରେ ମଧ୍ୟ ସକ୍ରିୟ ରହିଛି। ବର୍ଷା ଋତୁରେ ଗରିବ ଓ ଅସହାୟ ଲୋକଙ୍କୁ ଛତା ବଣ୍ଟନ, ଶୀତ ଋତୁରେ କମ୍ବଳ ବଣ୍ଟନ, ବିଭିନ୍ନ ସମୟରେ ରକ୍ତଦାନ, ପୂଜା କମିଟି ଓ କ୍ରୀଡ଼ା କମିଟିକୁ ଆର୍ଥିକ ସହାୟତା ପ୍ରଦାନ ଭଳି ଅନେକ ସାମାଜିକ କାର୍ଯ୍ୟରେ ସଂଘର ସଦସ୍ୟମାନେ ନିଜର ଯୋଗଦାନ ରଖିଆସୁଛନ୍ତି। ସଂଘ ଗଠନ ହେବା ପରଠାରୁ କିନ୍ନର ସମାଜର ସଦସ୍ୟମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଏକତା ଓ ସାମାଜିକ ଚେତନା ବୃଦ୍ଧି ପାଇଛି।ତେଲି ସାହି ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ କିନ୍ନର ସଂଘର ସଦସ୍ୟମାନଙ୍କୁ ନିମନ୍ତ୍ରଣ କରି ସମ୍ମାନ ପ୍ରଦାନ କରାଯାଇଥିବାରୁ ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ ସଂଘର ଅନ୍ୟ ସମସ୍ତ ସଦସ୍ୟ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ସଂଘର ସମସ୍ତ ସଦସ୍ୟଙ୍କ ସଫଳତା ଓ ସାମାଜିକ କାର୍ଯ୍ୟକଳାପକୁ ନେଇ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ସମେତ ମୁଖ୍ୟ ପରାମର୍ଶଦାତା ଜଗନ୍ନାଥ ମହାପାତ୍ର, ଉପଦେଷ୍ଟା ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, ପ୍ରୋଜେକ୍ଟ ଲିଡର ଏମ୍. ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ମହିଳା ଉପଦେଷ୍ଟା ତଥା ସମାଜସେବୀ ଶର୍ମିଷ୍ଠା ଦେଓ, ଅଧିବକ୍ତା କିଶୋରୀ ପଟ୍ଟନାୟକ, ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଣ୍ଡା, ପ୍ରିନ୍ସିପାଲ ସ୍ୱର୍ଣ୍ଣଲତା ପଟ୍ଟନାୟକ, ସମାଜସେବୀ ନୀନୀବାବୁ ତ୍ରିପାଠୀ, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ଦୁର୍ଗା ପାଢ଼ୀ, ଇଞ୍ଜିନିୟର ଚନ୍ଦନା ମଲ୍ଲିକ, ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମକି କିନ୍ନର ଓ ସହସମ୍ପାଦକ ପ୍ରୀତି କିନ୍ନର ପ୍ରମୁଖ ଆନନ୍ଦ ପ୍ରକାଶ କରିବା ସହ ସଂଘର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦ ଓ ଶୁଭେଚ୍ଛା ଜଣାଇଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

