ଦୁନ୍ଦେଲମାଲରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ଜୁନାଗଡ଼,୭/୧୧(ମନୀ ସ ) : ଗୁଣାତ୍ମକ ପ୍ରାଥମିକ ଶିକ୍ଷାର ପ୍ରସାର ଲକ୍ଷ୍ୟରେ ରାଜ୍ୟରେ ଚୟନ ହୋଇଥିବା ୬୩୦ଟି ବିଦ୍ୟାଳୟ ମଧ୍ୟରୁ କଳାହାଣ୍ଡି ଜିଲ୍ଲାର ୧୬ଟି ବିଦ୍ୟାଳୟ ମଧ୍ୟରେ ଜୁନାଗଡ଼ ବ୍ଲକର ଏକମାତ୍ର ଦୁନ୍ଦେଲମାଲସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ତପନ ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ସିତେଶ ପାଢ଼ୀ, ସରପଞ୍ଚ ଜ୍ୟୋତି ବେମାଲ, ପ୍ରଧାନଶିକ୍ଷକ ବିରଞ୍ଚି କୁମାର ତାଣ୍ଡି ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟବାନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତାମାନେ ଓଡ଼ିଆ ସାହିତ୍ୟ, ଶିକ୍ଷା ଓ ସମାଜ ସଂସ୍କାର କ୍ଷେତ୍ରରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ତାଙ୍କ ନାମରେ ବିଦ୍ୟାଳୟର ନାମକରଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟ, ଜ୍ଞାନ ଓ ନୈତିକ ମୂଲ୍ୟବୋଧ ପ୍ରତି ଆଗ୍ରହ ବଢ଼ାଇବ ବୋଲି ମତ ପ୍ରକାଶ ପାଇଥିଲା। ଏହି ବିଦ୍ୟାଳୟ ଅଞ୍ଚଳର ଶିକ୍ଷାଗତ ବିକାଶ ସହ ଗ୍ରାମାଞ୍ଚଳର ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବାରେ ସହାୟକ ହେବ ବୋଲି ଅତିଥିମାନେ ଆଶାବ୍ୟକ୍ତ କରିଥିଲେ। ଶିକ୍ଷକ ଜ୍ଞାନେନ୍ଦ୍ରିୟ ଛତ୍ରିଆ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ, ଅଭିଭାବକ ଓ ସ୍ଥାନୀୟ ଶିକ୍ଷାପ୍ରେମୀ ଉପସ୍ଥିତ ଥିଲେ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

