ସାଇ ବାବାଙ୍କ ଜୟଧ୍ୱନିରେ ପ୍ରକମ୍ପିତ ଢେଙ୍କାନାଳ
ସାଇ ସତସଙ୍ଗ ସେବା ଟ୍ରଷ୍ଟର ତ୍ରିଦିବସୀୟ ବାର୍ଷିକ ଉତ୍ସବ ଉଦ୍ଘାଟିତ
ଢେଙ୍କାନାଳ: ସାଇ ବାବାଙ୍କ ଭକ୍ତି, ଶ୍ରଦ୍ଧା ଓ ସେବାର ଭାବନାକୁ ନେଇ ସାଇ ସତସଙ୍ଗ ସେବା ଟ୍ରଷ୍ଟ, ଢେଙ୍କାନାଳ ଆନୁକୂଲ୍ୟରେ ଆୟୋଜିତ ତ୍ରିଦିବସୀୟ ବାର୍ଷିକ ଉତ୍ସବର ଶୁଭାରମ୍ଭ ଶୁକ୍ରବାର ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନରେ ଆୟୋଜିତ ବିଶାଳ ସାଇ ପାଲିଙ୍କି ଶୋଭାଯାତ୍ରାରେ ସମଗ୍ର ଢେଙ୍କାନାଳ ସହର ଭକ୍ତିମୟ ହୋଇଉଠିଥିଲା।
ସୌଦାମିନୀ ସ୍କୁଲ ପରିସରରୁ ଶିରିଡ଼ିରୁ ଆସିଥିବା ପୂଜକଙ୍କ ଦ୍ୱାରା ସାଇ ବାବାଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଆରତୀ ପରେ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା। ଏହି ଭବ୍ୟ ଶୋଭାଯାତ୍ରା ଶ୍ରୀରାମ ମଣ୍ଡପ ଅଭିମୁଖେ ବାହାରି ସହରର ମୁଖ୍ୟ ରାସ୍ତା ପରିକ୍ରମା କରିଥିଲା।
ଶୋଭାଯାତ୍ରାରେ ପୁରୀର ପ୍ରସିଦ୍ଧ ଘଣ୍ଟୁଆ ଦଳଙ୍କ ଘଣ୍ଟନାଦ ଓ ଶଙ୍ଖଧ୍ୱନି ପରିବେଶକୁ ଆଧ୍ୟାତ୍ମିକ ମୟ କରିଥିବା ବେଳେ କଟକର ପ୍ରସିଦ୍ଧ ସିଂଘ ବାଜା ଦଳ ଏହାର ଆକର୍ଷଣକୁ ଆହୁରି ବଢ଼ାଇଥିଲେ। ଏଥିସହ ଲଉଡ଼ି ଖେଳାଳିଙ୍କ ଚିତ୍ତାକର୍ଷକ ଲଉଡ଼ି ବାଡ଼ି ଖେଳ ଦର୍ଶକଙ୍କ ମନ ମୋହିଥିଲା। ସୁସଜ୍ଜିତ ବିମାନରେ ସାଇ ବାବାଙ୍କ ମୂର୍ତ୍ତିଙ୍କୁ ବିରାଜମାନ କରାଯାଇ ନଗର ପରିକ୍ରମା କରାଯାଇଥିଲା। ଶିରିଡ଼ି ସାଇ ବାବାଙ୍କ ବିମାନ ଓ ପାଦୁକା ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥିଲା।
ଏହି ଶୋଭାଯାତ୍ରାରେ ଶହ ଶହ ସାଇ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇ ସାଇ ବାବାଙ୍କ ଜୟ ଜୟକାର କରିଥିଲେ। ଭକ୍ତିମୟ ପରିବେଶ ଓ ଜୟଧ୍ୱନିରେ ସମଗ୍ର ଢେଙ୍କାନାଳ ସହର ପ୍ରକମ୍ପିତ ହୋଇଉଠିଥିଲା।
ଶୋଭାଯାତ୍ରା ଶ୍ରୀରାମ ମଣ୍ଡପରେ ପହଞ୍ଚିବା ପରେ ସେଠାରେ ଏକ ଭବ୍ୟ ଭଜନ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ଭକ୍ତମାନେ ସାଇ ଭଜନରେ ମଜ୍ଜି ଯାଇଥିଲେ। ଉପସ୍ଥିତ ସମସ୍ତ ଭକ୍ତଙ୍କ ପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ଏହି ତ୍ରିଦିବସୀୟ ଉତ୍ସବର ଦ୍ୱିତୀୟ ଦିନ ଶନିବାର ସାଇ ସତ୍ୟନାରାୟଣ ବ୍ରତ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ତୃତୀୟ ଦିନ ରବିବାର ଏକଦିବସୀୟ ସାଇ ସତଚରିତ ପାରାୟଣ ଆୟୋଜନ କରାଯିବ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଭକ୍ତ ଯୋଗଦେବାକୁ ଟ୍ରଷ୍ଟ ପକ୍ଷରୁ ନିବେଦନ କରାଯାଇଛି।
ନବନିର୍ମାଣ ସଂଗଠନର ଢେଙ୍କାନାଳରେ ବିଶାଳ ଶୋଭାଯାତ୍ରା
ଢେଙ୍କାନାଳରେ, ୧୩!୧୧: ନବନିର୍ମାଣ କୃଷକ ସଂଗଠନ ଆଜି ଢେଙ୍କାନାଳ ଜିଲ୍ଲାରେ ତାର ଶକ୍ତି ପ୍ରଦର୍ଶନ କରିଛି। ନୂଆ ସରକାର ନିର୍ବାଚନରେ ଦେଇଥିବା ପ୍ରତିଶୃତି ସହ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ନବନିର୍ମାଣ ସଂଗଠନ ସରକାରକୁ ଆହ୍ବାନ ଦେଇଛି। ଜିଲ୍ଲା ସଂଯୋଜକ ପ୍ରହଲ୍ଲାଦ ସାହୁ, ଜିଲ୍ଲା ପ୍ରଭାରୀ ଅଶ୍ବିନୀ ଜେନାଙ୍କ ନେତୃତ୍ବରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଆସିଥିବା ହଜାର ହଜାର ସଂଖ୍ୟାରେ କୃଷକ, ମହିଳା, ଯୁବକ ଓ ଛାତ୍ରମାନେ ବାଜି ଚୌକ ଛକରେ ଏକତ୍ରିତ ହୋଇଥିଲେ। ସେଠାରୁ ଶୋଭାଯାତ୍ରାକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ୧୭ ଦଫା ଦାବୀ ସହିତ ହାତରେ ପ୍ଲା କାର୍ଡ, ବ୍ୟାନର ଧରି ବାଜିଚୌକ ଛକ ରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଅଭିମୁଖେ ଆସିଥିଲେ। ପରେ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବିକ୍ଷୋଭକାରୀଙ୍କୁ ଉଦବୋଧନ ଦେଇ ନବନିର୍ମାଣ କୃଷକ ସଂଗଠନ ଓ ଯୁବଛାତ୍ର ସଂଗଠନର ପ୍ରତିଷ୍ଠାତା ଅକ୍ଷୟ କୁମାର ବକ୍ତବ୍ୟ ଦେଇ କହିଥିଲେ ଯେ, ପ୍ରଶାସନ ଲୋଭିମୁଖୀ ନ ହେବା ଦ୍ବାରା ସାଧାରଣ ଲୋକେ ଉପେକ୍ଷିତ ହେଉଛନ୍ତି। ବର୍ଷ ବର୍ଷ ଧରି ଢେଙ୍କାନାଳ ଜିଲ୍ଲାରେ ଆତଙ୍କ ସୃଷ୍ଟି କରୁଥିବା ହାତୀ, ବାରହା କବଳରୁ ରକ୍ଷା ପାଇବାର ସ୍ଥାୟୀ ପ୍ରତିକାର ଆଜି ପର୍ଯ୍ୟନ୍ତ କରାଯାଉ ନାହିଁ କି କ୍ଷତି ପୂରଣ ଚାଷୀଙ୍କୁ ମିଳୁନାହିଁ। ବୟସ ୮୦ ହେଲା ପରେ ବି ବୁଢ଼ାବୁଢ଼ୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ। ଏହା ଶାସନର ବଡ଼ ବିସଙ୍ଗତି, ଯେଉଁମାନେ ଇନ୍ଦରାବାସ, ଭତ୍ତା ପ୍ରଭୃତିର ଯୋଗ୍ୟ ହୀତାଧିକାରୀ ସେମାନଙ୍କୁ ନିଜ ଆଡ଼ ବ୍ଲକ୍ ଓ ଜିଲ୍ଲା ପ୍ରଶାସନ କ୍ୟାମ୍ପ କରି ସମାଧାନ କରନ୍ତୁ ଏବଂ ନିଶା କୁ ଢେଙ୍କାନାଳ ରୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିବା ନେତା ତୁରନ୍ତ ନିଶା କୁ ଢେଙ୍କାନାଳ ରୁ ହଟେଇ ଧନ ଜୀବନ ରକ୍ଷା କରନ୍ତୁ । ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନଓ୍ବର ଅଲ୍ଲୀ କହିଲେ, ଢେଙ୍କାନାଳ ଜିଲ୍ଲାର ଚାଷୀ, ମହିଳା, ଯୁବକ ଓ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟାରେ ଜର୍ଜରିତ। ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ, ଯୁବକଙ୍କୁ ରୋଜଗାର ଓ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ସରକାରଙ୍କ ପ୍ରାଥମିକତା ହେବା ଉଚିତ। ଏହି ଦାବିଗୁଡ଼ିକ ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ। ଢେଙ୍କାନାଳ ପ୍ରଭାରୀ ଅଶ୍ବିନୀ ଜେନା କହିଲେ, ଏହି ଆନ୍ଦୋଳନ ଚାଷୀ ଓ ସାଧାରଣ ଜନତାଙ୍କ ନ୍ୟାଯ୍ୟ ଅଧିକାର ପାଇଁ। ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ଦିଆଯାଇଥିବା ୧୭ ଦାବିକୁ ସରକାର ତୁରନ୍ତ ଏହାର ସମାଧାନ କରନ୍ତୁ ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ।
ଆଜିର ବିକ୍ଷୋଭ ରେ ରାଜ୍ୟ ସଂଯୋଜକ ରଶ୍ମି ରଞ୍ଜନ ସ୍ୱାଇଁ, ରାଜ୍ୟ ମହିଳା ସଂଯୋଜିକା ମଧୁମିତା ସାମଲ ,ଜିଲ୍ଲା ସଂଯୋଜକ ଚନ୍ଦ୍ରଶେଖର ବରାଳ ,ଭଦ୍ରକ ସଂଯୋଜକ ତ୍ରିଲୋଚନ ପଣ୍ଡା, ଜଗତସିଂପୁର ଜିଲ୍ଲାର ଚାଷୀ ନେତା ଦୁର୍ଗା ପ୍ରସାଦ ସ୍ୱାଇଁ, ସୁରେନ୍ଦ୍ର ମହାରଣା,ବାଲେଶ୍ୱର ସଂଯୋଜକ ରଞ୍ଜିତ ପଟ୍ଟନାୟକ,କେନ୍ଦ୍ରାପଡ଼ା ସଂଯୋଜକ ଅକୁର ପଲେଇ , ଢେଙ୍କାନାଳ ସହ ସଂଯୋଜକ ସୁଧାକର ପରିଡ଼ା , ମହିଳା ନେତ୍ରୀ ବାସନ୍ତୀ ସ୍ୱାଇଁ , ମହିଳା ନେତ୍ରୀ ଟିକିଲି ପଣ୍ଡା ଖୁଲଣା ମହାଳିକ ,ସୁଷମା ସାମଲ,ନରହରି ନାୟକ,ଜଗବନ୍ଧୁ ସାହୁ,ରଘୁନାଥ ସିଂ,ଧର୍ମାନନ୍ଦ ପୃଷ୍ଟି, ଶ୍ରୀପତି ପ୍ରଧାନ, ଦୁଷ୍ମନ୍ତ ଗଡ଼ନାୟକ,ରଥ ସେଠୀ,ଚନ୍ଦ୍ରମଣି ସାହୁ,ଭାଗିରଥୀ ସାହାଣୀ,ଖୋର୍ଦ୍ଧା ରୁ ନିରଞ୍ଜନ ପ୍ରଧାନ,ଗଞ୍ଜାମ ରୁ ଗଣେଶ ବେହେରା , ବହୁ ଚାଷୀ ନେତୃତ୍ୱ ଚାଷୀ ସାମିଲ ହେଇଥିଲେ।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

