ନବରଙ୍ଗପୁରରେ ବାଲ୍ୟ ବିବାହ ଓ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ସଚେତନତା ରାଲି
ଶିଶୁ ଦିବସ ଓ ଜିଲ୍ଲା ଆଇନ ସେବା ସପ୍ତାହ ଅବସରରେ ବିଭିନ୍ନ ବିଭାଗର ମିଳିତ ପ୍ରୟାସ
ନବରଙ୍ଗପୁର:( ୧୪/୧୧)(ରବି ନାରାୟଣ ମହାନ୍ତି)ବାଲ୍ୟ ବିବାହମୁକ୍ତ ଭାରତ ଗଠନ, ନିଶାମୁକ୍ତ ସମାଜ ସୃଷ୍ଟି, କନ୍ୟା ଶିଶୁଙ୍କ ସୁରକ୍ଷା ଏବଂ ଶିଶୁ ଅଧିକାର ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ନବରଙ୍ଗପୁରଠାରେ ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଯାଇଛି।ଜିଲ୍ଲା ଆଇନ ସେବା ସପ୍ତାହ, ବାଲ୍ୟ ବିବାହମୁକ୍ତ ଭାରତ ଅଭିଯାନ, ନିଶାମୁକ୍ତ ଭାରତ ଅଭିଯାନ, ଅନ୍ତର୍ଜାତୀୟ କନ୍ୟା ଶିଶୁ ଦିବସ ଏବଂ ଶିଶୁ ଦିବସ ପାଳନ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ନବରଙ୍ଗପୁର ସହରସ୍ଥିତ ଏକ୍ସ-ବୋର୍ଡ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ରାଲିର ଶୁଭାରମ୍ଭ ହୋଇଥିଲା। ଏହି ରାଲିରେ ସହରର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହ ଓ ସ୍ୱତଃସ୍ଫୂର୍ତ୍ତ ଭାବେ ଯୋଗଦେଇଥିଲେ।ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିପ୍ସା ଗୋଚ୍ଛାୟତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ତନୁଶ୍ରୀ ମିଶ୍ର ଏବଂ ଡିଏସ୍ପି ଶ୍ରୀମତୀ କିଶୋର ପୁନମ କିସପେଟ୍ଟା ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଆଇନଜୀବୀ ଶ୍ରୀମତୀ କିଶୋର ପଟ୍ଟନାୟକ, ଜେଣ୍ଡର କୋଅର୍ଡିନେଟର ଶ୍ରୀମତୀ ମମତା ପରିଚ୍ଛା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ (ABEO), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁରେଶ ପଟ୍ଟନାୟକ, ସୁରକ୍ଷା ଅଧିକାରୀ ଶ୍ରୀମତୀ ରୋମା ପଟ୍ଟନାୟକ ଏବଂ ସମାଜସେବୀ ଶ୍ରୀମତୀ ମନୋରମା ମାଝୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧି, ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଏହି ସଚେତନତା ରାଲିର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ନିରାକରଣ, ନିଶାଦ୍ରବ୍ୟ ସେବନର ଭୟାବହ ପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା, କନ୍ୟା ଶିଶୁଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବା, ଶିଶୁ ଅଧିକାରର ସୁରକ୍ଷା, ମାଗଣା ଆଇନ ସହାୟତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ସର୍ବାଙ୍ଗୀଣ ବିକାଶକୁ ପ୍ରୋତ୍ସାହିତ କରିବା।ରାଲିରେ ସାମିଲ ଛାତ୍ରଛାତ୍ରୀ ଓ ଅଙ୍ଗନବାଡ଼ି କର୍ମୀମାନେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦେଇ ବାଲ୍ୟ ବିବାହ, ନିଶାଦ୍ରବ୍ୟ ସେବନ, ଲିଙ୍ଗଗତ ଭେଦଭାବ ତଥା ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ସାଧାରଣ ଜନତାଙ୍କୁ ସଚେତନ କରିଥିଲେ। ଏଥିସହିତ ପ୍ରତ୍ୟେକ ଶିଶୁଙ୍କ ପାଇଁ ଶିକ୍ଷା, ସୁରକ୍ଷା, ସମାନ ଅଧିକାର ଓ ମର୍ଯ୍ୟାଦା ସୁନିଶ୍ଚିତ କରିବା ଦିଗରେ ସମାଜର ସମସ୍ତ ବର୍ଗର ଲୋକଙ୍କ ସକ୍ରିୟ ସହଯୋଗ ଓ ସହଭାଗିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ସମନ୍ୱୟ ଦାୟିତ୍ୱ ଜିଲ୍ଲା ହବ୍ ଫର୍ ଏମ୍ପାୱାରମେଣ୍ଟ ଅଫ୍ ଓମେନ୍ (HEW)ର ଫାଇନାନ୍ସିଆଲ୍ ଲିଟରେସି ସ୍ପେସାଲିଷ୍ଟ ଶ୍ରୀମତୀ ସସ୍ମିତା ପାତ୍ର ଓ ଆଇଟି ଆସିଷ୍ଟାଣ୍ଟ ଶ୍ରୀ ପ୍ରଶାନ୍ତ ନାଗ ତଥା ୱାନ୍ ଷ୍ଟପ୍ ସେଣ୍ଟର (OSC)ର ଆଡମିନିଷ୍ଟ୍ରେଟର ଶ୍ରୀମତୀ ରଞ୍ଜିତା ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ସୁଚାରୁରୂପେ ସମ୍ପାଦନ କରିଥିଲେ।ବାଲ୍ୟ ବିବାହମୁକ୍ତ ଭାରତ, ନିଶାମୁକ୍ତ ସମାଜ ଏବଂ ମହିଳା ଓ ଶିଶୁଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ସମାନତାଭିତ୍ତିକ ପରିବେଶ ଗଠନ ଦିଗରେ ଏହି ସଚେତନତା ରାଲି ଏକ ଗୁରୁତ୍ୱପୂର୍ଣ୍ଣ ସାମୂହିକ ପ୍ରୟାସର ବାର୍ତ୍ତା ପ୍ରଦାନ କରିଛି। ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହ ପ୍ରତ୍ୟେକ ଶିଶୁଙ୍କ ପାଇଁ ଏକ ସୁସ୍ଥ, ସୁରକ୍ଷିତ, ଶିକ୍ଷିତ ଓ ଶିଶୁ ଅନୁକୂଳ ସମାଜ ଗଠନ କରିବା ଦିଗରେ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

