ନୂଆପଡ଼ାରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ଆୟୋଜିତ
ନୂଆପଡ଼ା,୨୩.୧୧.(ସୁଜିତ କୁମାର ପ୍ରଧାନ )ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ PPT Challenge ପ୍ରତିଯୋଗିତା ନୂଆପଡ଼ା ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ମହାସମାରୋହରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ମୁଖ୍ୟ ଅତିଥି ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା ଓ ଜ଼ିଲ୍ଲା ଯୁବ ଅଧିକାରୀ, ମାଇ ଭାରତ, ଅଙ୍କିତ କୁମାର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ଅତିଥି ଓ ବିଚାରକମାନଙ୍କୁ ଉପଢୌକନ ପ୍ରଦାନ କରି ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ସମ୍ମାନିତ କରିଥିଲେ।ଜିଲ୍ଲା କ୍ରୀଡ଼ା ଅଧିକାରୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ PPT Challenge ପ୍ରତିଯୋଗିତାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ସୁବାଷ ଚନ୍ଦ୍ର ରଇତ ନିଜ ଅଭିଭାଷଣରେ କହିଥିଲେ ଯେ, ଏକବିଂଶ ଶତାବ୍ଦୀ ଯୁବପିଢ଼ିଙ୍କ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବାର ଏକ ଉପଯୁକ୍ତ ସମୟ। ଜିଲ୍ଲାର କଳା, ସଂସ୍କୃତି ଓ ଯୁବପିଢ଼ିଙ୍କ ଦକ୍ଷତା ଏବଂ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ଦେଶ ତଥା ଦେଶ ବାହାରେ ଏହାର ପ୍ରଚାର ଓ ପ୍ରସାର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଯୁବଶକ୍ତି ଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସକ୍ରିୟ ଭାବେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ।
ଯୁବ ଅଧିକାରୀ, ମାଇ ଭାରତ, ଅଙ୍କିତ କୁମାର ଶର୍ମା “ସ୍ଥାୟୀ ଶିଳ୍ପାୟନ ଏବଂ ସମ୍ବଳ ଆଧାରିତ ଅଭିବୃଦ୍ଧି” (Sustainable Industrialisation & Resource-led Growth) ଓ “ନିଶାମୁକ୍ତ ଯୁବା ଓ ବିକଶିତ ଭାରତ” ଭଳି ବିଷୟ ଉପରେ ନିଜର ମତ ଉପସ୍ଥାପନ କରିଥିଲେ। ଯୁବ ପ୍ରତିଭାର ବିକାଶ, କଳା ଓ ଲୋକସଂସ୍କୃତିର ପ୍ରୋତ୍ସାହନ, ଯୁବପିଢ଼ିଙ୍କ ମଧ୍ୟରେ ସାମାଜିକ ସଚେତନତା ବୃଦ୍ଧି ଓ ସୃଜନଶୀଳତାର ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ।
ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ମହରା ନିଜ ଅଭିଭାଷଣରେ କହିଥିଲେ ଯେ, ରାଜ୍ୟ ଓ ଦେଶର ବିକାଶ ପାଇଁ ଯୁବଶକ୍ତିର ଭାଗୀଦାରୀ ଅତ୍ୟନ୍ତ ଜରୁରୀ। ଉଚ୍ଚଶିକ୍ଷିତ ହେବା ସହ ନିଜର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ମଧ୍ୟ ସମ୍ମାନ ଦେବା ଉଚିତ। ଗୁରୁଜନଙ୍କୁ ସର୍ବଦା ସମ୍ମାନ ଦେବା ସହ ନିଜର ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା ପାଇଁ ଏହି ମଞ୍ଚ ଏକ ଉପଯୁକ୍ତ ମାଧ୍ୟମ। ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ନିଜକୁ ଦେଶ ଗଠନ ପ୍ରକ୍ରିୟାରେ ସାମିଲ କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ।
PPT Challenge ପ୍ରତିଯୋଗିତାରେ ପୂର୍ବରୁ ଅନଲାଇନ୍ରେ ଆୟୋଜିତ ପ୍ରତିଯୋଗିତାରେ ରାଜ୍ୟସ୍ତରରେ ଚୟନିତ କୃତୀ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ “ସ୍ଥାୟୀ ଶିଳ୍ପାୟନ ଏବଂ ସମ୍ବଳ ଆଧାରିତ ଅଭିବୃଦ୍ଧି” (Sustainable Industrialisation & Resource-led Growth) ବିଷୟ ଉପରେ ୧୫ରୁ ୨୯ ବର୍ଷ ବୟସର ଯୁବକ ଓ ଯୁବତୀମାନେ PPT ମାଧ୍ୟମରେ ନିଜ ନିଜର ମତ, ଚିନ୍ତାଧାରା ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ।
ଆଜିର ପ୍ରତିଯୋଗିତାରେ ଦିନେଶ କୁମାର ସାହୁ ପ୍ରଥମ, ଦୀପକ ପ୍ରସାଦ ଠାକୁର ଦ୍ୱିତୀୟ ଏବଂ ଓଜସ୍ୱିନୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ହସ୍ତରୁ ପୁରସ୍କୃତ ହୋଇଥିଲେ।
ଆଗାମୀ ୦୪/୧୨/୨୦୨୬ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମସ୍ଥିତ ଟେନିସ୍ ଅଡିଟୋରିୟମରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ PPT Challenge ପ୍ରତିଯୋଗିତାରେ ପ୍ରଥମରୁ ଷଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଦୁଇଟି ଦଳରେ ବିଭକ୍ତ ହୋଇ ନୂଆପଡ଼ା ଜିଲ୍ଲାକୁ ପ୍ରତିନିଧିତ୍ୱ କରିବେ। ଟିମ୍ ‘କ’ରେ ଦିନେଶ କୁମାର ସାହୁ, ମନୋଜ କୁମାର ଶବର ଓ ରଶ୍ମୀ ପଟେଲ ରହିଥିବାବେଳେ ଟିମ୍ ‘ଖ’ରେ ଦୀପକ ପ୍ରସାଦ ଠାକୁର, ଓଜସ୍ୱିନୀ ପ୍ରଧାନ ଓ ରୂପାଞ୍ଜଳି ବାଗ ସ୍ଥାନ ପାଇଛନ୍ତି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ନୂଆପଡ଼ା ଖେଲୋ ଇଣ୍ଡିଆ ସେଣ୍ଟରର ପ୍ରଶିକ୍ଷକ ଦେବଦତ୍ତ ସାହୁଙ୍କୁ ‘ଯୁବ ପ୍ରତୀକ’ (Youth Icon) ଭାବେ ସମ୍ମାନିତ କରିଥିଲେ।
PPT Challenge ପ୍ରତିଯୋଗିତାର ବିଚାରକ ଭାବେ ପ୍ରବୋଧ ହୋତା, ପ୍ରଧାନ ଶିକ୍ଷକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ଼; ଭାବତୋଷ ପଣ୍ଡା, CRCC, ଗୋଡ଼ଫୁଲା ଏବଂ ବରିଷ୍ଠ ଶିକ୍ଷକ କିଶୋର କୁମାର ପ୍ରଧାନ, କନ୍ଦୁବାହାର ଉଚ୍ଚ ବିଦ୍ୟାଳୟ ଯୋଗଦେଇ ପ୍ରତିଯୋଗିତାର ସୁଚାରୁ ସମ୍ପାଦନରେ ସହଯୋଗ କରିଥିଲେ।
ଏଥିସହ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୂଚନା ଦେଇଛନ୍ତି ଯେ, ଗତ ୧୪/୧୧/୨୦୨୬ ଓ ୧୫/୧୧/୨୦୨୬ରେ ଆୟୋଜିତ କରାଳ ଟ୍ରାକ୍ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳ, ଏକକ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଏବଂ ନୁକଡ଼ ନାଟକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳ ଆଗାମୀ ୪ ଡିସେମ୍ବରରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–ଯୁବୋତ୍ସବ ୨୦୨୭ ଅନ୍ତର୍ଗତ କରାଳ ଟ୍ରାକ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଯାତ୍ରା କରିବେ।
ଶେଷରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

