ଓଡ଼ିଶାର ଅମୃତ ସନ୍ଧାନୀ ନବକୃଷ୍ଣ ଚୌଧୁରୀ ଏବଂ ଜାତୀୟ କବି ବୀରକିଶୋର ଦାସଙ୍କ ଜୟନ୍ତୀ ଉପଲକ୍ଷେ ସ୍ମୃତିଚାରଣ ସଭା..
ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅମୃତ ସଂଧାନୀ ଜନନେତା ନବକୃଷ୍ଣ ଚୌଧୁରୀ ଏବଂ ଜାତୀୟ କବି ବୀରକିଶୋର ଦାସଙ୍କର ସ୍ମୃତିଚାରଣ ସଭା ସହିତ ସ୍ବତନ୍ତ୍ର କାବ୍ୟସଂଧ୍ୟା ଅନୁଷ୍ଠିତ ହୋଇଯାଇଛି ।
ଶ୍ରୀ ମହାପାତ୍ର ତାଙ୍କ ପ୍ରାରମ୍ଭିକ ଅଭିଭାଷଣ ସହିତ ଏକ ଭିତ୍ତି ପ୍ରବନ୍ଧ ଓଡ଼ିଆ ଜାତିର ସ୍ପର୍ଦ୍ଧିତ ଏହି ଦୁଇ ବ୍ୟକ୍ତିତ୍ଵଙ୍କର ସାମଗ୍ରିକ ଜୀବନର ସାଧନା, ସ୍ବାଧୀନତା ସଂଗ୍ରାମରେ ଯୋଗଦାନ, ଜନସେବା, ସାମାଜିକ ନ୍ୟାୟର ପ୍ରତିଷ୍ଠା ପାଇଁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗରେ ସମାଜବାଦ ଓ ସର୍ବୋଦୟ ମାଧ୍ୟମରେ କିପରି ସମନ୍ୱୟ ଆଣିବାକୁ ପଡ଼ିବ ଏବଂ ଏହାର ପ୍ରଥମ ପଦକ୍ଷେପ ସ୍ୱରୂପ ଭୂସଂସ୍କାର କ୍ଷେତ୍ରରେ କୃଷିକ୍ଷେତ୍ରରୁ ଶୋଷଣ ଦୂରକରି କ୍ଷୁଦ୍ର ଚାଷୀଙ୍କୁ ନ୍ୟାୟ ଦେବାପାଇଁ ସମଗ୍ର ଭାରତବର୍ଷରେ ନବବାବୁ ପ୍ରଥମେ ଭୁସଂସ୍କାର ଆଇନ ପ୍ରଣୟନ କରିଥିଲେ ବୋଲି ଅଭିହିତ କରିବା ସଙ୍ଗେ ସଙ୍ଗେ ଜାତୀୟ କବି ବୀରକିଶୋରଙ୍କ ଜାତୀୟତାବାଦୀ କବିତା ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟ ଅତିଥି ରୂପେ ଯୋଗଦେଇ ସାହିତ୍ୟିକ ବ୍ରଜେନ୍ଦ୍ର କୁମାର ଦାଶ ଜାତୀୟ କବି ବୀରକିଶୋରଙ୍କ କାବ୍ୟ ସାଧନା , ପରାଧୀନ ଓ ସ୍ବାଧୀନ ଭାରତରେ ତାଙ୍କର ସଫଳ ନେତୃତ୍ୱ ଓ ସାଧନା ସଂପର୍କରେ ଆଲୋଚନା ରଖିବା ସହିତ ବାସ୍ତବ ଜନଜୀବନର ବର୍ତ୍ତମାନର ରାଜନୈତିକ ନେତୃତ୍ବ ଓ ନବବାବୁଙ୍କର ରାଜର୍ଷୀ ତୂଲ୍ୟ ଜନସେବାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ସେ କିପରି ଅନ୍ୟ ମାନଙ୍କ ଠାରୁ ଅନନ୍ୟ ଏବଂ ବୀରକିଶୋର କିପରି ବିପ୍ଳବୀ ପ୍ରକୃତରେ ଜାତୀୟ କବି ପ୍ରତିପାଦନ କରିଥିଲେ ।
ସଭାପତି ଶ୍ରୀ ପତି ତାଙ୍କ ସଭାପତିତ୍ବ ଅଭିଭାଷଣରେ ସାମଗ୍ରିକ ଆଲୋଚନାର ନିଷ୍କର୍ଷକୁ ଉପସ୍ଥାପନ କରି ବୀରକିଶୋରଙ୍କ କାବ୍ୟକୃତି ବିଦ୍ରୋହୀ ବୀଣା,ରଣଭେରୀ, ମୋହନ ବଂଶୀ,ରଣ ଦୁନ୍ଦୁଭି,ଫୁଲ ଚନ୍ଦନ, ବୀରଗୀତିକାରୁ ପଂକ୍ତି ଉଦ୍ଧାର କରି ସାଧାରଣ ଜନତାଙ୍କ ହୃଦୟରେ ତାଙ୍କର କବିତା ସ୍ବାଧୀନତା ପାଇଁ କିପରି ସ୍ଫୁଲିଙ୍ଗର ଉର୍ମି ତୋଳିଥିଲା ଆଲୋଚନା କରିବା ସହିତ ନବକୃଷ୍ଣଙ୍କ ରାଜନୈତିକ ସଂଘର୍ଷ କାଳୀନ ଚିତ୍ର ଏବଂ ରାଜନୀତିରୁ ଅବ୍ୟାହତି ପରେ ମାନବ ସେବା ଓ ସାଧନା ସଂପର୍କରେ ଏକ ଜୀବନ୍ତ ପ୍ରାମାଣିକ ଚିତ୍ର ଅଙ୍କନ କରିଥିଲେ ।
ଏହି ପ୍ରଥୀତଯଶା ବ୍ୟକ୍ତିତ୍ଵଙ୍କ ସ୍ମୃତିନୈବେଦ୍ୟ ସ୍ବରୂପ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଡ଼ଃ କୃପାସିନ୍ଧୁ ନାୟକ, ପରେଶ ବିଶ୍ବାଳ, ପ୍ରତାପ ପଣ୍ଡା, ବଳରାମ ରାଉଳ, ତ୍ରିଲୋଚନ ସ୍ବାଇଁ, ଅର୍ଚ୍ଚନା ପାତ୍ର, ଗୌତମ ଦାସ, ହୃଦାନନ୍ଦ ପଟେଲ, ଶିବପ୍ରସାଦ ଦାସ, ମୁକୁନ୍ଦଦେବ ନାୟକ, ମନୋଜ ବେହେରା, ତ୍ରିନାଥ ସିଂହ,ଧୋବେଇ ବେହେରା, ସୌମ୍ୟରଞ୍ଜନ ପ୍ରଧାନ, ଗୀତାରାଣୀ ବେହେରା ପ୍ରମୁଖ କବିତାପାଠ କରିଥିଲେ ।
ଏହି ସ୍ମୃତିତର୍ପଣ ସଭାରେ ବିଶିଷ୍ଟ ସାରସ୍ଵତ ସାଧକ ସର୍ବଶ୍ରୀ ଗଗନ ବିହାରୀ ଧଳ, ଡଃ ସୁମନ ଦତ୍ତ, ମନୋଜ କୁମାର ନନ୍ଦ, ସଂଜୀବ ଭୋଇ, ଡଃ ନଗେନ ଦାସ, ଅକ୍ଷୟ ସାମଲ, ପ୍ରଫୁଲ୍ଲ ସାମଲ , ବାସୁଦେବ ସାହୁଙ୍କ ସମେତ ରାଉରକେଲାର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟ ପ୍ରେମୀମାନେ ଉପସ୍ଥିତ ଥିଲେ ।ପରିଶେଷରେ ଶ୍ରୀ ପ୍ରତାପ କୁମାର ପଣ୍ଡା ସମସ୍ତ ଆମନ୍ତ୍ରିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

