ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ତିକ୍ତ ସେ ଅନୁଭୂତି

ତିକ୍ତ ସେ ଅନୁଭୂତି 

 

ଜୟ କୁମାର ମିଶ୍ର 

 

ପରିସ୍ଥିତି ମୋର, ଦେଇ ଗଲା ବର 

ମନକୁ ଜଗିଲା ନିତି, 

ଅଭାବ ଚାବୁକ, ଦେଇ ଦେଇ ଦୁଃଖ 

ଜlଳିଲା ଜ୍ଞାନର ଜ୍ୟୋତି ll

ସମୟ ସଂଚୟ, ମୁଲକର ଶ୍ରେୟ 

ଅତି ଗୁରୁତ୍ୱଟି ଥିଲା, 

ପୂରା ପରିବାର, ମୋ ପରେ ନିର୍ଭର 

ହୋଇ ସବୁ ଚଳୁ ଥଲା ll

ସ୍ୱଳ୍ପ ରୋଜଗାର, ବହୁତ ବେଭାର 

ଦାୟିତ୍ୱ ନିର୍ବାହ କଥା, 

ପ୍ରତିଟି ଆଦାୟ , ଅମୂଲ୍ୟର ଶ୍ରେୟ 

ଘର ସଜାଡିବା ଚିନ୍ତା ll

ମଦ ପିଇଲିନି ମଉଜ କଲିନି 

ବହୁ ଦୂରେ ରହିଗଲି  

ସାଙ୍ଗସlଥି ମୋର, କଲେ ହତାଦର 

ଗୋଠ ଖଣ୍ଡିଆଟି ହେଲି ll

ହେଲି ଏକଏକା, ନାହିଁ କେହି ସଖା

ବନ୍ଧୁ ତ କରିଲେ ପର, 

କେହି ବୁଝିଲାନି, ମୋର ଦୁଃଖ ସୁଖ 

ଯାତନାଟି ବାରମ୍ବାର ll

ଶୁଭ ଅଶୁଭରେ, ଜାନି ଯାତରାରେ 

ନିର୍ବାଚନ ଯେବେ ହେବ, 

ମଦୁଆଙ୍କ ମେଳି, ବାହାଦୁରି କଳି 

ହୋ ହାଲ୍ଲା ଶୁଭୁଥିବ ll

କେତେ ଯେ କାହାଣୀ, ଟୀକା ଓ ଟିପ୍ପଣୀ 

ରାଣ ଓ ପ୍ରମାଣ କେତେ, 

କେତେ କନ୍ଦାକଟା, ପଉରଷ ଛିଟା 

ବିବାଦଟି ବହୁ ମତେ ll

ବୃଥାରେ ପ୍ରଶଂସା, ପାଶେ କରେ ବସା 

ଶୁଣେ ଦାତାକାରି ସାଥି, 

କିଏ କହେ ବୀର, କିଏ କହେ ହିରୋ 

କିଏ କରେ ସ୍ତବ ସ୍ତୁତି ll

 କିଏ କଟୁ କହି, ମୋ ମନ କନ୍ଦାଇ 

କହିଲା ସଂଚୟ କରେ, 

ଆଉ କିଏ କହେ, ଏ ଯୁଗର ନୁହେଁ 

କୂପ ମଣ୍ଡୁକଟି ଘରେ ll

ଘରଣୀକୁ ଭୟ, ଅସ୍ଥିର ଅଥୟ 

ମରଦ ପୁରୁଷ ନାହିଁ, 

ମଦ ଓ ମାଦକ, ମଉଜ ସଉକ 

ଆବୋରି ସେ ନେଉ ନାହିଁ ll

କେତେ ଆଖି ଠରା, ହସର ପସରା 

ତୁଚ୍ଛ ତାଛଲ୍ୟରେ ଭରା, 

ଭୁଲି ଯାଇ ଥିଲେ , ଶିଷ୍ଟ ଶିଷ୍ଟାଚାର 

ବଡ଼, ସାନ ମାନ୍ୟ ପରା ll

ଦିନ ଗଡ଼ିଗଲା, ମାସ, ବର୍ଷ ହେଲା 

ମଦ ତ ମଦୁଆ କଲା, 

ବୋତଲରୁ କିଏ, ପେକେଟକୁ ନିଏ 

କରି କେତେ ହୋ ହାଲ୍ଲା ll

କିଏସେ ପଡିଲା, କିଏସେ ଗଡ଼ିଲା

ଲୁଗାକୁ କାଢିଲା କିଏ, 

କିଏ ସେ ବିକିଲା, ସୁନା ବାନା ଜମି 

ଚୋର ହୋଇ ବନ୍ଧା ହେଲା ll

ଡାକ୍ତର ଖାଇଲା, ଓକିଲତ ନେଲା 

ନେଲା ମଧ୍ୟସ୍ତ,ଟାଉଟର,  

କିଏ ଖଣ୍ଟ ଚୋର, ଠକ ଟାଉଟର 

କେତେ ଅବା ହରବର ll

ମାଇପ କlନ୍ଦଇ ହାଣ୍ଡିଶାଳେ ବସି 

ମାଆ ମଝିଘରେ କାନ୍ଦେ, 

ବାପର କାନ୍ଦଣା, ଅକୁହା ବେଦନା

ବିଭୁଙ୍କୁ ମନରେ ବନ୍ଦେ ll

ପିଲା ପାଠ ପଢ଼ା, ଭବିଷ୍ୟତ ଗଢ଼ା 

ମଦ ଖାଇ ଧୋଇ ଦେଲା, 

ଦାଣ୍ଡେ ଲୋକ ହସା,ଅଶାନ୍ତି ବରଷା 

କା ଇଜ୍ଜତ ମହତ ଗଲା ll

ଦାୟିତ୍ୱ ସରିଛି, ଏକା ଏକା ଅଛି 

ଵିଭୂଙ୍କ କରୁଣା ବୋଳି, 

ଆଜି ମୁଁ ଶାନ୍ତିରେ, ଶୋଉଛି ନିଦରେ 

ମଦଠାରୁ ଦୂରେ ବୋଲି ll

ଯିଏ ହୀନ କଲା, ସେ ହୀନ ହୋଇଲା 

କୁଟୁମ୍ବ ମାଇପ ସାଥେ, 

ତାର ଦୂରlବସ୍ତା, ନାହିଁ ଓଠେ ଭାଷା 

କହିବାକୁ କାବ୍ୟ ଚିତ୍ରେ ll

ଅଭାବ, ସ୍ବଭାବ, ଦେଲା ପରାଭବ 

ବୁଦ୍ଧି ଶିଖାଇଲା କେତେ 

ନେଡି ଗୁଡ଼ ଖସି, କହୁଣୀକୁ ଗଲା 

କି ଲାଭ ହୋଇଲା ସତେ ll

ଜୟ କୁମାର ମିଶ୍ର,

ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,

ଜିଲ୍ଲା-ଗଜପତି 

ଓଡିଶା, 761206, 

Related posts

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା କୃଷ୍ଣ କେଶବ

Sunil Chandra Nayak

ସର୍ପାଘାତରେ ଶିଶୁକନ୍ୟା ସୁଚିତ୍ରା ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

Leave a Comment

error: Content is protected !!