ଶ୍ରୀମଦ୍ ଭଗବତ୍ ଗୀତାର ପଞ୍ଚଦଶ ଅଧ୍ଯାୟର ସାରକଥା-୧୫
ଏ ଅଧ୍ଯାୟ ସମଗ୍ର ଗୀତା ଶାସ୍ତ୍ରର ତଥା ବେଦାର୍ଥର ସାରସଂକଳନ ବୋଲି ପୂଜ୍ଯପାଦ ଆଚାର୍ଯ୍ୟ ଶଙ୍କର ଓ ଶ୍ରୀଧର ସ୍ବାମୀ କହୁଛନ୍ତି । ଯେଉଁ ବ୍ଯକ୍ତି ଅନନ୍ଯ ଭାବରେ ଭଗବାନଙ୍କର ଉପାସନା କରିବେ ସେ ସଂସାରର ମାୟା ଜାଲକୁ ଚ୍ଛିନ୍ନ କରି ପାରିବେ । ତ୍ରିଗୁଣାତୀତ ନହେଲେ କେହି ମୁକ୍ତି ପାଇପାରିବେ ନାହିଁ । ଏ ସବୁ ପୂର୍ବ ଅଧ୍ଯାୟରେ ଭଗବାନ୍ କହିସାରିବା ପରେ ଏ ଅଧ୍ଯାୟରେ ସଂସାର ବିଷୟରେ ସମ୍ଯକ୍ ଧାରଣା ଦେଲେ । ଏ ସଂସାରକୁ ଗୋଟିଏ ଅଶ୍ବତ୍ଥ ବୃକ୍ଷ ବୋଲି ସେ କହିଲେ- ଯେପରି ଉପନିଷଦ ମାନଙ୍କରେ ବର୍ଣ୍ଣିତ ଅଛି । ଏ ବୃକ୍ଷର ମୂଳ ଉର୍ଦ୍ଧ୍ବରେ -ପରଂବ୍ରହ୍ମ ଏହାର ମୂଳ । ଏହାର ଶାଖା ସବୁ ଉପର ଓ ତଳ ଆଡେ ବିସ୍ତୃତ । ଦେବତାମାନେ,ମନୁଷ୍ୟମାନେ ଓ ନାନାପ୍ରକାର ପଶୁପକ୍ଷୀ ଏ ବୃକ୍ଷର ଶାକ୍ଷା ରୂପେ କଳ୍ପିତ ହୋଇଅଛି । ପତ୍ର ସାହାଯ୍ୟରେ ବୃକ୍ଷ ପୁଷ୍ଟିଲାଭ କଲାପରି ଏ ସଂସାର ବୃକ୍ଷ ବେଦସବୁର ନିର୍ଦ୍ଦେଶାନୁସାରେ କର୍ମାନୁଷ୍ଠାନ କରି ତିଷ୍ଠି ରହିଛି । ଯେତେକାଳ ଜୀବ ବିଷୟବାସନାର ମାୟାରେ ଆବଦ୍ଧଥାଏ , ସେତେଦିନ ଯାଏ ତାର ଜ୍ଞାନ ଲାଭ ହୁଏ ନାହିଁ । ତୀବ୍ର ବୈରାଗ୍ୟ ଦ୍ବାରା ସଂସାରର ମାୟା ଜାଲକୁ କାଟି ପାରିଲେ ମନୁଷ୍ୟ ପରମପଦ ଲାଭ କରିବାରେ ଅଗ୍ରସର ହୁଏ ।
ଜୀବାତ୍ମା ପରମାତ୍ମାଙ୍କ ଅଂଶ । କର୍ମଫଳ ଭୋଗ କରିବା ପାଇଁ ସେ ଉଚ୍ଚ ବା ନୀଚ୍ଚ ଯୋନି ଲାଭ କରେ ।ସେ ମନ ଓ ଇନ୍ଦ୍ରିୟମାନଙ୍କ ସହିତ ପୁରାତନ ଶରୀର ତ୍ଯାଗ କରି ନୂତନ ଶରୀରକୁ ଯାଏ । ନୂତନ ଶରୀର ଲାଭକରି ପୁଣି ବିଷୟଭୋଗରେ ମାତିଯାଏ । ଜୀବାତ୍ମାର ଦେହ ତ୍ଯାଗ , ପୁନଃ ନୂତନ ଶରୀର ଲାଭ ଓ ଶରୀରରେ ଅବସ୍ଥାନ ମୂଢବ୍ଯକ୍ତିମାନେ ଜାଣି ପାରନ୍ତି ନାହିଁ, ଜ୍ଞାନୀବ୍ଯକ୍ତି ଜାଣିପାରନ୍ତି ।
ସୂର୍ଯ୍ୟଙ୍କର ଆଲୋକରେ ଜଗତ ଉଦ୍ଭାସିତ ହୁଏ । ସେହିପରି ଚନ୍ଦ୍ର ଓ ଅଗ୍ନିର ଆଲୋକରେ ମଧ୍ଯ । ମାତ୍ର ଏ ସମସ୍ତ ତେଜ ଜଗତକୁ ଧରି ରଖିଛନ୍ତି । ସେ ମଧ୍ଯ ପୃଥିବୀକୁ ଧାରଣ କରିବା ସଙ୍ଗେ ସଙ୍ଗେ ଔଷଧାଦିର ପୁଷ୍ଟି ବିଧାନ କରୁଛନ୍ତି – ଯାହା ଖାଇ ଜୀବଜଗତ ବଞ୍ଚିରହିଛି । ସେ ସମସ୍ତଙ୍କ ଦେହରେ ଜଠରାଗ୍ନି ରୂପରେ ସମସ୍ତ ଖାଦ୍ଯ ପଦାର୍ଥକୁ ହଜମ କରି ଶରୀରକୁ ପୁଷ୍ଟ କରୁଛନ୍ତି । ପରମାତ୍ମା ସମସ୍ତ ବେଦର ଜ୍ଞାତବ୍ଯ ତତ୍ତ୍ବ , ବେଦାନ୍ତକୃତ୍ ଓ ବେଦବିତ୍ ଅଟନ୍ତି । ସମସ୍ତ ଭୂତଗଣ କ୍ଷରପୁରୁଷ ଏବଂ ସେମାନଙ୍କ ଶରୀରରେ ଥିବା ଆତ୍ମା ଅକ୍ଷର ପୁରୁଷ ଅଟନ୍ତି । ପରମାତ୍ମା କ୍ଷର ଓ ଅକ୍ଷର ପୁରୁଷଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । ତାଙ୍କୁ ସମସ୍ତ ଲୋକ ଓ ସମସ୍ତ ବେଦରେ ପୁରୁଷୋତ୍ତମ କୁହାଯାଏ । ସେ ସମସ୍ତ ଜଗତର ରକ୍ଷକ , ପାଳକ , ଶାସକ ଅଟନ୍ତି । ମୋହତ୍ଯାଗ କରି ବୁଦ୍ଧିମାନ୍ ସାଧକ ପୁରୁଷୋତ୍ତମଙ୍କୁ ସର୍ବତୋଭାବରେ ପୂଜାକଲେ ସର୍ବଜ୍ଞ ଓ କୃତାର୍ଥ ହୋଇଥାନ୍ତି ।
ଏ ଅଧ୍ଯାୟରେ ପୁରୁଷୋତ୍ତମତତ୍ତ୍ବ ବର୍ଣ୍ଣିତ ହୋଇଥିବାରୁ ଏ ଅଧ୍ଯାୟର ନାମକରଣ ପୁରୁଷୋତ୍ତମ ଯୋଗ କରାଯାଇଛି ।