ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତାର ପଞ୍ଚଦଶ ଅଧ୍ଯାୟର ସାରକଥା-୧୫

ଶ୍ରୀମଦ୍ ଭଗବତ୍ ଗୀତାର ପଞ୍ଚଦଶ ଅଧ୍ଯାୟର ସାରକଥା-୧୫

    ଏ ଅଧ୍ଯାୟ ସମଗ୍ର ଗୀତା ଶାସ୍ତ୍ରର ତଥା ବେଦାର୍ଥର ସାରସଂକଳନ ବୋଲି ପୂଜ୍ଯପାଦ ଆଚାର୍ଯ୍ୟ ଶଙ୍କର ଓ ଶ୍ରୀଧର ସ୍ବାମୀ କହୁଛନ୍ତି । ଯେଉଁ ବ୍ଯକ୍ତି ଅନନ୍ଯ ଭାବରେ ଭଗବାନଙ୍କର ଉପାସନା କରିବେ ସେ ସଂସାରର ମାୟା ଜାଲକୁ ଚ୍ଛିନ୍ନ କରି ପାରିବେ । ତ୍ରିଗୁଣାତୀତ ନହେଲେ କେହି ମୁକ୍ତି ପାଇପାରିବେ ନାହିଁ । ଏ ସବୁ ପୂର୍ବ ଅଧ୍ଯାୟରେ ଭଗବାନ୍ କହିସାରିବା ପରେ ଏ ଅଧ୍ଯାୟରେ ସଂସାର ବିଷୟରେ ସମ୍ଯକ୍ ଧାରଣା ଦେଲେ । ଏ ସଂସାରକୁ ଗୋଟିଏ ଅଶ୍ବତ୍ଥ ବୃକ୍ଷ ବୋଲି ସେ କହିଲେ- ଯେପରି ଉପନିଷଦ ମାନଙ୍କରେ ବର୍ଣ୍ଣିତ ଅଛି । ଏ ବୃକ୍ଷର ମୂଳ ଉର୍ଦ୍ଧ୍ବରେ -ପରଂବ୍ରହ୍ମ ଏହାର ମୂଳ । ଏହାର ଶାଖା ସବୁ ଉପର ଓ ତଳ ଆଡେ ବିସ୍ତୃତ । ଦେବତାମାନେ,ମନୁଷ୍ୟମାନେ ଓ ନାନାପ୍ରକାର ପଶୁପକ୍ଷୀ ଏ ବୃକ୍ଷର ଶାକ୍ଷା ରୂପେ କଳ୍ପିତ ହୋଇଅଛି । ପତ୍ର ସାହାଯ୍ୟରେ ବୃକ୍ଷ ପୁଷ୍ଟିଲାଭ କଲାପରି ଏ ସଂସାର ବୃକ୍ଷ ବେଦସବୁର ନିର୍ଦ୍ଦେଶାନୁସାରେ କର୍ମାନୁଷ୍ଠାନ କରି ତିଷ୍ଠି ରହିଛି । ଯେତେକାଳ ଜୀବ ବିଷୟବାସନାର ମାୟାରେ ଆବଦ୍ଧଥାଏ , ସେତେଦିନ ଯାଏ ତାର ଜ୍ଞାନ ଲାଭ ହୁଏ ନାହିଁ । ତୀବ୍ର ବୈରାଗ୍ୟ ଦ୍ବାରା ସଂସାରର ମାୟା ଜାଲକୁ କାଟି ପାରିଲେ ମନୁଷ୍ୟ ପରମପଦ ଲାଭ କରିବାରେ ଅଗ୍ରସର ହୁଏ ।

     ଜୀବାତ୍ମା ପରମାତ୍ମାଙ୍କ ଅଂଶ । କର୍ମଫଳ ଭୋଗ କରିବା ପାଇଁ ସେ ଉଚ୍ଚ ବା ନୀଚ୍ଚ ଯୋନି ଲାଭ କରେ ।ସେ ମନ ଓ ଇନ୍ଦ୍ରିୟମାନଙ୍କ ସହିତ ପୁରାତନ ଶରୀର ତ୍ଯାଗ କରି ନୂତନ ଶରୀରକୁ ଯାଏ । ନୂତନ ଶରୀର ଲାଭକରି ପୁଣି ବିଷୟଭୋଗରେ ମାତିଯାଏ । ଜୀବାତ୍ମାର ଦେହ ତ୍ଯାଗ , ପୁନଃ ନୂତନ ଶରୀର ଲାଭ ଓ ଶରୀରରେ ଅବସ୍ଥାନ ମୂଢବ୍ଯକ୍ତିମାନେ ଜାଣି ପାରନ୍ତି ନାହିଁ, ଜ୍ଞାନୀବ୍ଯକ୍ତି ଜାଣିପାରନ୍ତି ।

       ସୂର୍ଯ୍ୟଙ୍କର ଆଲୋକରେ ଜଗତ ଉଦ୍ଭାସିତ ହୁଏ । ସେହିପରି ଚନ୍ଦ୍ର ଓ ଅଗ୍ନିର ଆଲୋକରେ ମଧ୍ଯ । ମାତ୍ର ଏ ସମସ୍ତ ତେଜ ଜଗତକୁ ଧରି ରଖିଛନ୍ତି । ସେ ମଧ୍ଯ ପୃଥିବୀକୁ ଧାରଣ କରିବା ସଙ୍ଗେ ସଙ୍ଗେ ଔଷଧାଦିର ପୁଷ୍ଟି ବିଧାନ କରୁଛନ୍ତି – ଯାହା ଖାଇ ଜୀବଜଗତ ବଞ୍ଚିରହିଛି । ସେ ସମସ୍ତଙ୍କ ଦେହରେ ଜଠରାଗ୍ନି ରୂପରେ ସମସ୍ତ ଖାଦ୍ଯ ପଦାର୍ଥକୁ ହଜମ କରି ଶରୀରକୁ ପୁଷ୍ଟ କରୁଛନ୍ତି । ପରମାତ୍ମା ସମସ୍ତ ବେଦର ଜ୍ଞାତବ୍ଯ ତତ୍ତ୍ବ , ବେଦାନ୍ତକୃତ୍ ଓ ବେଦବିତ୍ ଅଟନ୍ତି । ସମସ୍ତ ଭୂତଗଣ କ୍ଷରପୁରୁଷ ଏବଂ ସେମାନଙ୍କ ଶରୀରରେ ଥିବା ଆତ୍ମା ଅକ୍ଷର ପୁରୁଷ ଅଟନ୍ତି । ପରମାତ୍ମା କ୍ଷର ଓ ଅକ୍ଷର ପୁରୁଷଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । ତାଙ୍କୁ ସମସ୍ତ ଲୋକ ଓ ସମସ୍ତ ବେଦରେ ପୁରୁଷୋତ୍ତମ କୁହାଯାଏ । ସେ ସମସ୍ତ ଜଗତର ରକ୍ଷକ , ପାଳକ , ଶାସକ ଅଟନ୍ତି । ମୋହତ୍ଯାଗ କରି ବୁଦ୍ଧିମାନ୍ ସାଧକ ପୁରୁଷୋତ୍ତମଙ୍କୁ ସର୍ବତୋଭାବରେ ପୂଜାକଲେ ସର୍ବଜ୍ଞ ଓ କୃତାର୍ଥ ହୋଇଥାନ୍ତି ।

      ଏ ଅଧ୍ଯାୟରେ ପୁରୁଷୋତ୍ତମତତ୍ତ୍ବ ବର୍ଣ୍ଣିତ ହୋଇଥିବାରୁ ଏ ଅଧ୍ଯାୟର ନାମକରଣ ପୁରୁଷୋତ୍ତମ ଯୋଗ କରାଯାଇଛି ।

 

ସଂଗ୍ରହକାରୀ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଫୁଲ ,ଫଗୁଣ ଓ ମଳୟ

Sunil Chandra Nayak

ପୁରୁଣାକଟକ ଥାନା ଅନ୍ତର୍ଗତ କରଡାକୋଠା ପୋଲ ନିକଟ ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!