ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଞ୍ଚ ମାସରେ ୯,୦୦୦ ଟ୍ରେନ୍ ବାତିଲ: କୋଇଲା ପରିବହନ ପାଇଁ ୧,୯୩୪ ଟ୍ରେନ୍ ବାତିଲ.

କରୋନା ମହାମାରୀ ବ୍ୟାପିବା ପରେ ଲକ୍‌ଡାଉନ୍‌ ଘୋଷଣା ହେବାରୁ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।

ଚଳିତ ବର୍ଷର ପାଞ୍ଚ ମାସ ଭିତରେ ରେଳବାଇ ୯୦୦୦ରୁ ଅଧିକ ଟ୍ରେନ୍ ବାତିଲ କରିଥିବା ବେଳେ ସେଥିରୁ ପ୍ରାୟ ୧୯୦୦ ଟ୍ରେନ୍‌କୁ କୋଇଲା ପରିବହନ ପାଇଁ ବାଟ ଛାଡ଼ିବା ଲାଗି ବାତିଲ କରାଯାଇଥିଲା। ଆର୍‌ଟିଆଇରେ ମଗାଯାଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ରକ୍ଷଣାବେକ୍ଷଣ ଓ ମରାମତି କାମ ଲାଗି ୬,୯୯୫ ଟ୍ରେନ୍‌ର ଚଳାଚଳକୁ ବାତିଲ କରାଯାଇଥିଲା। ଏହା ବ୍ୟତୀତ ମାର୍ଚ୍ଚରୁ ମେ’ ମଧ୍ୟରେ କୋଇଲା ପରିବହନ ଲାଗି ୧୯୩୪ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରାଯାଇଥିଲା।

ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ଗୁଡ଼ିକରେ କୋଇଲାର ଘୋର ଅଭାବ ଦେଖାଦେବାରୁ ସମ୍ଭାବ୍ୟ ବିଦ୍ୟୁତ ସଙ୍କଟକୁ ରୋକିବା ଲାଗି ଅଗ୍ରାଧିକାର ଭିତ୍ତିରେ ପାୱାର ପ୍ଲାଣ୍ଟ୍‌ ପର୍ଯ୍ୟନ୍ତ କୋଇଲା ପରିବହନ କରିବାକୁ ରେଳବାଇକୁ କୁହାଯାଇଥିଲା। ଜାନୁଆରି ଓ ଫେବ୍ରୁଆରିରେ କୋଇଲା ପରିବହନ ଲାଗି କୌଣସି ଟ୍ରେନ୍ ବାତିଲ ହୋଇନଥିଲା। କିନ୍ତୁ ଗତ ତିନି ମାସରେ କୋଇଲା ବୋଝେଇ ଟ୍ରେନ୍‌କୁ ବାଟ ଛାଡ଼ିବା ଲାଗି ୮୮୦ ମେଲ୍‌/ ଏକ୍ସପ୍ରେସ୍ ଟ୍ରେନ୍ ଓ ୧,୦୫୪ ଯାତ୍ରୀବାହୀ ଟ୍ରେନ୍ ବାତିଲ ହୋଇଛି। ଚଳିତ ବର୍ଷ ଜାନୁଆରିରୁ ମେ’ ମଧ୍ୟରେ ୩,୩୯୫ଟି ମେଲ୍‌ ଓ ଏକ୍ସପ୍ରେସ୍ ଟ୍ରେନ୍‌ର ଚଳାଚଳ ବାତିଲ କରାଯାଇଥିଲା। ସେଥି‌ରୁ ୩,୬୦୦ ‌ଯାତ୍ରୀବାହୀ ଟ୍ରେନ୍‌କୁ ନିର୍ମାଣ କାର୍ଯ୍ୟ ଲାଗି ବାତିଲ କରିବାକୁ ପଡ଼ିଥିଲା। ସମାନ କାରଣ ପାଇଁ ମେ’ ମାସରେ ୧,୧୪୮ ମେଲ୍‌/ଏକ୍ସପ୍ରେସ୍ ଟ୍ରେନ୍ ଓ ୨,୫୦୯ ଯାତ୍ରୀବାହୀ ଟ୍ରେନ୍‌ର ଚଳାଚଳ ବାତିଲ କରାଯାଇଥିଲା। ଚଳାଚଳ କରୁଥିବା ଟ୍ରେନ୍ ସଂଖ୍ୟା କମ୍ ହେବାରୁ ଯାତ୍ରୀମାନଙ୍କୁ କନ୍‌ଫର୍ମ ଟିକଟ ଦେବାକୁ ରେଳବାଇ ସଂଘର୍ଷ କରୁଛି। ୨୦୨୧-୨୨ରେ ୧.୬ କୋ‌ଟିରୁ ଅଧିକ ଯାତ୍ରୀ ୱେଟିଂ ଲିଷ୍ଟ୍‌ରେ ଥିବାରୁ ଯାତ୍ରା କରିପାରିନଥିଲେ। ରେଳବାଇ ଦୈନିକ ୧୧,୦୦୦ରୁ ଅଧିକ ଟ୍ରେନ୍‌ ଚଳାଚଳର ଦେଖାଶୁଣା କରୁଛି। ୨୦୧୬ରେ ସାଧାରଣ ବଜେଟ୍‌ ସହ ରେଳ ବଜେଟ୍‌ର ମିଶ୍ରଣ ହେବା ପରେ ୬ ବର୍ଷ ମଧ୍ୟରେ ରେଳବାଇ ୮୦୦ ନୂଆ ଟ୍ରେନ୍ ଯୋଡ଼ିଛି।

୨୦୨୦ ମସିହାରେ କରୋନା ମହାମାରୀ ବ୍ୟାପିବା ପରେ ଲକ୍‌ଡାଉନ୍‌ ଘୋଷଣା ହେବାରୁ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିଲେ ମଧ୍ୟ ଟ୍ରେନ୍ ଯାତ୍ରା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ। ଅନେକ ରୁଟ୍‌ରେ ବହୁ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍‌ର ଚଳାଚଳ ବନ୍ଦ ରହିଛି। ସେଥିପାଇଁ ପର୍ବପର୍ବାଣୀ ଓ ଉତ୍ସବ ଆଦି ସମୟରେ ଟ୍ରେନ୍ ଯାତ୍ରୀମାନଙ୍କୁ ହଟହଟା ହେବାକୁ ପଡ଼ୁଛି। ଟିକଟ ବୁକିଂ କରୁଥିଲେ ମଧ୍ୟ ତାହା କନଫର୍ମ ହେଉନଥିବାରୁ ଯାତ୍ରା ଯୋଜନା ପ୍ରସ୍ତୁତ କରିବାରେ ଅସୁବିଧା ଭୋଗିବାକୁ ପଡ଼ୁଛି।

ଅନ୍ୟ ପକ୍ଷରେ ରେଳବାଇ ମାଲ ପରିବହନରୁ ଏହାର ଆୟ ବଢ଼ାଇବା ଲାଗି ଉଦ୍ୟମ ଜାରି ରହିଛି। କାର୍‌ଠାରୁ ଆରମ୍ଭ କରି କୃଷିଜାତ ସାମଗ୍ରୀ ପର୍ଯ୍ୟନ୍ତ ଅନେକ କିଛି ଏହା ପରିବହନ କରୁଛି। ସଡ଼କ ପରିବହନ ତୁଳନାରେ ଏହା ସୁରକ୍ଷିତ ଓ ସୁଲଭ ମାଧ୍ୟମ ଭାବେ ଉଭା ହୋଇଛି। କୋଇଲା ପରିବହନରୁ ମଧ୍ୟ ରେଳବାଇର ଆୟ ବଢ଼ିଛି। ଗତବର୍ଷ ମେ’ ତୁଳନାରେ ଚଳିତ ବର୍ଷ ମେ’ରେ ରେଳବାଇ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ପର୍ଯ୍ୟନ୍ତ ୨୮% ଅଧିକ କୋଇଲା ପହଞ୍ଚାଇଛି। ଗତବର୍ଷ ଏହା ୪୧ ନିୟୁତ ଟନ୍ କୋଇଲା ପଠାଇଥିବା ବେଳେ ଚଳିତ ବର୍ଷ ତାହାକୁ ୫୨ ନିୟୁତ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିପାରିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ରେଳବାଇ ୧୮ ନିୟୁତ ଟନ୍ ଅଧିକ କୋଇଲା ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ପାଖରେ ପହଞ୍ଚାଇଛି।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ) ରିପୋର୍ଟ….

Related posts

ଅଭିନବ ଉପାୟରେ ଜନ୍ମ ଦିନ ପାଳନ

Sunil Chandra Nayak

ଚିତ୍ତ ରଞ୍ଜନ ଦେହୁରୀ ଙ୍କ କବିତା ଦିନେ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ନୀଳାଚଳ ଧାମ

Sunil Chandra Nayak

Leave a Comment

error: Content is protected !!